ଏସିଆ କପ୍‍ରେ ହାର୍ଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଜନସନ୍‍

0

ମୁମ୍ବଇ : ଆଗାମୀ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଭାରତକୁ ବିଜୟୀ କରାଇବାରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ମିଚେଲ୍‍ ଜନସନ୍‍। ବିଶେଷ କରି ଭାରତୀୟ ଦଳ ସେପ୍ଟେମ୍ବର ୧୯ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବାକୁ ଯାଉଥିବା ବେଳେ ଏହି ମ୍ୟାଚ୍‍ରେ ହାର୍ଦିକଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ବୋଲି ସେ ମତ ଦେଇଛନ୍ତି। ସୂଚନାଥାଉକି ଆସନ୍ତା ସେପ୍ଟେମ୍ବର ୧୫ରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସରେ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ମନୋନୟନ ସେପ୍ଟେମ୍ବର ୧ରେ ହେବ। ଭାରତୀୟ ଦଳ ସେପ୍ଟେମ୍ବର ୧୮ରେ ଯୋଗ୍ୟତା ଅର୍ଜନ କରିଥିବା ଏକ ଦଳ ବିପକ୍ଷରେ ଖେଳିବ। ଏହା ପରଦିନ ଦଳ ପାକିସ୍ତାନକୁ ଭେଟିବ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଜନସନ୍‍ କହିଥିଲେ ଭାରତ ଓ ପାକିସ୍ତାନ କ୍ରିକେଟ୍‍ ଦଳ ମଧ୍ୟରେ ଯେତେବେଳେ ମ୍ୟାଚ୍‍ ଖେଳାଯାଏ ତାହାର ରୋମାଞ୍ଚ ବେଶ୍‍ ଅଧିକ ରହିଥାଏ। ଏସିଆ କପ୍‍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‍ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‍ରେ ଭାରତ ପକ୍ଷରୁ ଦ୍ରୁତ ବୋଲର ଉମେଶ ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଅଧିକ ରହିବ। ହାର୍ଦିକ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ବେଶ୍‍ ଭଲ ପ୍ରଦର୍ଶନ କରୁଥିବା ଜନସନ୍‍ ମତ ଦେଇଛନ୍ତି।
ଭଲ ଗତି ଏବଂ ସଠିକ୍‍ ଲାଇନ୍‍ ଲେନ୍‍ଥରେ ବୋଲିଂ କରିବାରେ ପାଣ୍ଡ୍ୟା ବେଶ୍‍ ଦକ୍ଷ ଥିବାରୁ ସେ ପାକିସ୍ତାନୀ ବ୍ୟାଟସମ୍ୟାନ୍‍ଙ୍କୁ ଅସୁବିଧାରେ ପକାଇବା ସମ୍ଭାବନା ରହିଛି ବୋଲି ଜନ୍‍ସନ କହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ଏସିଆ କପ୍‍ରେ କିପରି ବୋଲିଂ କରୁଛନ୍ତି ତାହା ମଧ୍ୟ ଦେଖିବା କଥା ବୋଲି ଜନ୍‍ସନ ମତ ଦେଇଛନ୍ତି।

Leave A Reply