ଜିଲା ପ୍ରଶାସନ ନିକଟରେ ଫେରାଦ ହେଲେ ପ୍ରଭାବିତ ଗ୍ରାମବାସୀ

ଖଣିରେ ବିସ୍ଫୋରଣ ଯୋଗୁଁ ବିପଦରେ ଜନଜୀବନ ଓ ଗୃହପାଳିତ ପଶୁ

କେନ୍ଦୁଝରଗଡ଼ : ଯୋଡା ଖଣିକ୍ଷେତ୍ର ଅଧିନ ଟାଟା କମ୍ପାନୀ ପରିଚାଳିତ ବିଚାକୁଣ୍ଡିସ୍ଥିତ ଗଙ୍ଗେଇଯୋଡା ମାଙ୍ଗାନିଜ ଖଣିରେ ଖଣିଜସମ୍ପଦ ଉତ୍ତୋଳନ ପାଇଁ  ବ୍ଲାଷ୍ଟିଙ୍ଗ ବା ବିସ୍ଫୋରଣ ସମୟରେ ଖଣି ସଂଲଗ୍ନ ଯୋଡା ପୌରପାଳିକା ୧୧ନଂ ୱାର୍ଡ କୁଦୁରସାହି ଓ ୧୨ନଂ ୱାର୍ଡ କୋଇଲାହାଟିଂ ବାସିନ୍ଦାଙ୍କ ବହୁ ବାସଗୃହ ଓ ଗୃହପାଳିତ ପଶୁଙ୍କ ଗୁହାଳଘର କାନ୍ଥ ଫାଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏ ସମ୍ପର୍କରେ ଖଣି ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଏମ୍‌‌ଆଇପିଏଲ କର୍ତ୍ତୃପକ୍ଷଙ୍କୁ ବସ୍ତିବାସିନ୍ଦା ବହୁବାର ଗୁହାରୀ କରିଥିଲେ ହେଁ କୌଣସି ସୁଫଳ ମିଳିପାରିଲା ନାହିଁ । ଏପରିକି ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ପାନୀୟଜଳ ଯୋଗାଣ, ବିଦ୍ୟୁତ୍‌‌ ଯୋଗାଣ ଓ ଡ୍ରେନ ମରାମତି ନେଇ ପ୍ରତିଶୃତି ଦେଇ ଆସୁଥିଲେ ହେଁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ଧରିତ୍ରୀ ସାମଲ, ଚିତ୍ରସେନୀ ମୁଣ୍ଡା, ବାସନ୍ତୀ ମୁଣ୍ଡା, ଗୀତା ଚାତ୍ତାର, ଲଛମନ ମୁଣ୍ଡା, ଭାଗବତ ପାତ୍ର, ଶ୍ୟାମସୁନ୍ଦର ମୁଣ୍ଡା ପ୍ରମୁଖ ବୁଧବାର ଜିଲାପାଳଙ୍କ ନିକଟକୁ ଗୁହାରୀ କରିବାକୁ ଆସିଥିବା ଅବସରରେ ଏହା କହିଛନ୍ତି । ଜିଲାପାଳ ନିଜେ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପୂର୍ବକ ତ୍ୱରିତ୍‌‌ ନ୍ୟାୟ ପ୍ରଦାନ କରିବାକୁ ଧରିତ୍ରୀ ସାମଲ ଓ ଚିତ୍ରସେନୀ ମୁଣ୍ଡା ନିବେଦନ କରିଛନ୍ତି।

Comments are closed.