ଡେସ୍କ: ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର (ଏନସିଏସସିଡିଏ) ଭୁବନେଶ୍ୱର ପକ୍ଷରୁ ଆସନ୍ତା ଅଗଷ୍ଟ ୨୬ତାରିଖ ଦିନ ରାଜ୍ୟରେ ଥିବା ଶ୍ରବଣ ବାଧିତମାନଙ୍କ ପାଇଁ କାର୍ୟ୍ୟାଳୟ ପରିସରରେ ମାଗଣା ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଭି ମାର୍ଟ, ମାକ୍ସ ଏବଂ ଫ୍ଲିପକାର୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ଗୁଡିକରେ ଖାଲି ଥିବା ଅନ୍ୟୁନ ୩୦ଟି ପଦବୀକୁ ଶ୍ରବଣ ବାଧିତଙ୍କ ଦ୍ୱାରା ପୂରଣ କରିବା ପାଇଁ ୟୁଥ୍ ଫର୍ ଜବସ ଫାଉଣ୍ଡେସନ ପକ୍ଷରୁ ଏହି ନିଯୁକ୍ତି ମେଳା ହେବ।
ଆଗ୍ରହୀ ପ୍ରାର୍ଥୀମାନେ ନିଜର ସମ୍ପୂର୍ଣ୍ଣ ବାୟୋଡାଟା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର, ପାସପୋର୍ଟ ସାଇଜ ଫଟୋ, ପାନ୍ କାର୍ଡ, ଆଧାରକାର୍ଡ, ଶିକ୍ଷାଗତ ପ୍ରମାଣପତ୍ର ସହିତ ଏହି ମେଳାରେ ଅଂଶଗ୍ରହଣ କରିପାରିବେ ବୋଲି ଏନସିଏସସିଡିଏ ପକ୍ଷରୁ ସୂଚନା ଦିଆଯାଉଛି।
ଅଗଷ୍ଟ ୨୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ୧୮ ରୁ ୩୦ ବର୍ଷ ବୟସ ମଧ୍ୟରେ ମାଟ୍ରିକ ଓ ତଦୁର୍ଦ୍ଧ ଯୋଗ୍ୟତା ସମ୍ପନ୍ନ ଉଭୟ ମହିଳା ଓ ପୁରୁଷ ଏନସିଏସସିଡିଏ (ପୂର୍ବନାମ ଭିଆରସିଏଚ୍), ପ୍ଲଟ ନଂ ୧, ୨, ୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱରର ମଧୁସୂଦନ ପାର୍କ ସାମ୍ନାରେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ୦୬୭୪-୨୩୫୨୩୧୭ ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ।



