ଜିତେନ୍ଦ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

0

ସିମଳା : ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ଏକ ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଘଟଣାଟି ଆଜକୁ ୪୭ ବର୍ଷ ପୂର୍ବେ ହିମାଚଳ ପ୍ରଦେଶର ରାଜଧାନୀ ସିମଳା ସହରରେ ଘଟିଥିଲା ବୋଲି ଅଭିଯୋଗକାରିଣୀଙ୍କ ଏତଲାରୁ ଜଣାପଡିଛି। ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା ଜଣକ ସମ୍ପର୍କରେ ତାଙ୍କର ମାଉସୀ ଝିଅ ଭଉଣୀ।
ଏତଲା ଅନୁଯାୟୀ ୧୯୭୧ରେ ଜିତେନ୍ଦ୍ର କୌଣସି ଏକ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନିମନ୍ତେ ସିମଳାର ଏକ ହୋଟେଲରେ ରୁମ ବୁକିଂ କରିଥିଲେ। ସେତେବେଳେ ଜିତେନ୍ଦ୍ରଙ୍କୁ ୨୮ ବର୍ଷ ବୟସ ହୋଇଥିବାବେଳେ ସମ୍ପର୍କୀୟା ଭଉଣୀଙ୍କ ବୟସ ଥିଲା ୧୮ ବର୍ଷ। ସୁଟିଂ ଦେଖିବାକୁ ଜିତେନ୍ଦ୍ର ଉକ୍ତ ମହିଳାଙ୍କୁ ସିମଳା ଆମନ୍ତ୍ରଣ କରିବା ସହ ଉକ୍ତ ହୋଟେଲରେ ଆଉ ଏକ ରୁମ ମଧ୍ୟ ବୁକିଂ କରିଥିଲେ। ତଦନୁଯାୟୀ ମହିଳା ଜଣକ ନିର୍ଦ୍ଧାରିତ ତାରିଖରେ ସେଠାରେ ପହଞ୍ଚି ହୋଟେଲରେ ଅବସ୍ଥାନ କରିଥିଲେ। ରହଣି କାଳରେ ଗୋଟିଏ ରାତିରେ ଜିତେନ୍ଦ୍ର ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ରୁମ୍‌ରେ ପ୍ରବେଶ କରି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। କିଛି ଦିନ ପୂର୍ବେ ସଂପୃକ୍ତ ମହିଳା ନିଜର ଅଭିଯୋଗ ସମ୍ପର୍କରେ ହିମାଚଳ ପ୍ରଦେଶ ପୁଲିସ ମହାନିର୍ଦେଶକ (ଡିଜି)ଙ୍କ ନିକଟକୁ ଇ-ମେଲ କରିଥିଲେ। ଡିଜି ଏହାର ତଦନ୍ତ ଦାୟିତ୍ୱ ସିମଳା ଏସ୍‌ପିଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଏତଲାକୁ ଆଧାର କରି ଛୋଟା ସିମଳା ଥାନାରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୪ ଅନୁଯାୟୀ ଜିତେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଗାମୀ ଦିନରେ ଜଣେ ବିଚାରପତିଙ୍କ ସମ୍ମୁଖରେ ମହିଳାଙ୍କ ବୟାନ ରେକର୍ଡ କରାଯିବ। ତେବେ ୧୯୭୧ରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୪ ଅନୁଯାୟୀ ତଦନ୍ତ କରାଯିବ ବୋଲି ସିମଳା ଏସ୍‌ପି ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଏଭଳି ଅଭିଯୋଗକୁ ଜିତେନ୍ଦ୍ରଙ୍କ ଓକିଲ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି।

Leave A Reply