ଯାଜପୁର: ନିର୍ବାଚନୀ ମାମଲାରେ ଯାଜପୁର ଜିଲ୍ଲାର ୩୩ ନମ୍ବର ଜୋନରୁ ନିର୍ବାଚିତ ବିଜେଡ଼ି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଜିଲ୍ଲା ଦୌରା ଜଜ୍ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତିନି ସନ୍ତାନର ଜନନୀ ହୋଇଥିବାରୁ ଝରଣାଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ସହ ସଂପୃକ୍ତ ଜୋନ୍ର ସଭ୍ୟପଦ ପୂରଣ ପାଇଁ ପୁନଃ ନିର୍ବାଚନ କରିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖ ଦିନ ଏହି ରାୟ ପ୍ରକାଶ ପାଇଥିଲେ ମଧ୍ୟ ଆଜି ଏହାକୁ ବିଧିବଦ୍ଧ ଭାବରେ ଉନ୍ମୁକ୍ତ କରାଯାଇଛି । ଝରଣାଙ୍କ ସହ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟଶ୍ରୀ ସାହୁଙ୍କ ପକ୍ଷରୁ ଦାୟର ଇଲେକସନ୍ କେସ୍ ନଂ-୩/୨୦୧୭ରେ ଏହି ରାୟ ଶୁଣାଇଛନ୍ତି ଅଦାଲତ ।
ସୂଚନା ଯୋଗ୍ୟ, ଓଡ଼ିଶା ଜିଲ୍ଲା ପରିଷଦ ଆଇନ ଅନୁଯାୟୀ ଝରଣାଙ୍କ ସଭ୍ୟପଦ ରଦ୍ଦ ପାଇଁ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଜୟଶ୍ରୀ ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ରୀତା ମିଶ୍ର ଯାଜପୁର ଜିଳ୍ଲା ଦୌରା ଜଜ୍ଙ୍କ ଅଦାଲତରେ ତା. ୧୦.୦୩.୨୦୧୭ରେ ଦୁଇଟି ମାମଲା ଦାୟର କରିଥିଲେ । ଝରଣା ରାଉତ ତାଙ୍କର ଦ୍ୱିତୀୟ କନ୍ୟାକୁ ଅନ୍ୟର କନ୍ୟା ବୋଲି ଦର୍ଶାଇଥିବାର ପ୍ରମାଣ ଅଦାଲତ ପାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରୁଛନ୍ତି ବୋଲି ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିଚାରବେଳେ ଜୟଶ୍ରୀଙ୍କ ପକ୍ଷରୁ ଦାଖଲ ୨୮ଟି ପ୍ରମାଣଯୋଗ୍ୟ ଦଲିଲ ଅଦାଲତ ଗ୍ରହଣ କରିବା ସହ ୧୧ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିବାବେଳେ ପ୍ରତିପକ୍ଷ ଝରଣାଙ୍କ ପକ୍ଷରୁ ୩ଟି ଦଲିଲ ଓ ତିନି ସାକ୍ଷୀଙ୍କର ବୟାନ ଲିପିବଦ୍ଧ କରିଥିଲେ । ସମସ୍ତ ତଥ୍ୟପ୍ରମାଣକୁ ଓ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଜିଲ୍ଲା ଦୌରାଜଜ୍ ତାଙ୍କର ତୂଡ଼ାନ୍ତ ରାୟ ଶୁଣାଇଛନ୍ତି ।



