ଝୁମ୍ପୁରା: ଝୁମ୍ପୁରା ବ୍ଲକର ୨୦ ନମ୍ବର ଜାତୀୟ ରାଜପଥର ଅର୍ଶଳା ଠାରୁ ଦୁର୍ଗାପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଠାଏ ଠାଏ ଖାଲ ହୋଇଥିବାରୁ ବର୍ଷା ହେଲେ ଖାଲରେ ପାଣି ଜମିବା ସହିତ ରାସ୍ତା କାଦୁଅ ହୋଇ ଯାଉଥିବାରୁ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତାରେ ହୋଇଥିବା ଖାଲକୁ ବିଭାଗୀୟ ଅଧିକାରୀ ବର୍ଷା ଦିନ ଆଗରୁ ମରାମତି କରୁନଥିବାରୁ ବର୍ତ୍ତମାନ ରାସ୍ତା ଉପରେ ଦିନ ଦିନ ଧରୀ ପାଣି ଜମି ରହୁଥିବାରୁ ଏହି ପାଣିରେ ମଶା ମାନେ ଅଣ୍ଡା ଦେଇ ତାଙ୍କର ବଂଶ ବୃଦ୍ଧି କରିବାରେ ସୁବିଧା ହେଉଛି। ରାସ୍ତାର ବିଭିନ୍ନ ସ୍ଥାନରେ ରହିଥିବା ଖାଲ ଗୁଡିକୁ ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଗ୍ରାମବାସୀଙ୍କ ଅଭିଯୋଗକୁ ପାଇ ମଧ୍ୟ ଅଭିଯୋଗ ଭିତ୍ତି ହିନ ଭାବି ଅଭିଯୋଗକୁ ଅଳିଆ ଗଦାରେ ପକାଇ ଦେଉଛନ୍ତି।
ବର୍ତ୍ତମାନ ରାସ୍ତାରେ ଏତେ ପାଣି ଜମୁଛି ଯେ ରାସ୍ତା ପୋଖରୀ ପରି ଦେଖା ଯାଉଥିବାରୁ ହଂସ ଗୁଡିକ ପୋଖରୀକୁ ନଯାଇ ବର୍ତ୍ତମାନ ରାସ୍ତାରେ ଜମି ରହୁଥିବା ପାଣିରେ ଖେଳାବୁଲା କରୁଛନ୍ତି। ସେହିପରି ଅର୍ଶଳା ଦାଣ୍ଡର ପାଣିକୁ ନିଷ୍କାସନ କରିବା ପାଇଁ ଡ୍ରେନର ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ଠିକ୍ ଭାବରେ ନିଷ୍କାସନ ହୋଇପାରୁ ନାହିଁ ଯାହା ଫଳରେ ରାସ୍ତାରେ ଦିନ ଦିନ ଧରୀ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଅର୍ଶଳା ଗାଁ ଦାଣ୍ଡ ରାସ୍ତାରେ ଜମି ରହୁଥିବା ପାଣିକୁ ନିଷ୍କାସନ କରି ଦାଣ୍ଡକୁ ଶୁଖିଲା ରଖିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ ଭାବରେ ଧ୍ୟାନ ଦେବାକୁ ଜନସାଧାରଣରେ ଅଭିଯୋଗ ହେଉଛି। ଝୁମ୍ପୁରା ବ୍ଲକର ଅର୍ଶଳା ଦୁର୍ଗାପୁର ଏକ ପ୍ରମୁଖ ରାସ୍ତା ହୋଇଥିଲେ ମଧ୍ୟ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲକୁ ସମତୁଲ କରିବା ଦିଗରେ ବିଭାଗ କାହିଁକି ଦୃଷ୍ଟି ଦେଉ ନାହାନ୍ତି ଜନସାଧାରଣରେ ପ୍ରଶ୍ନ ଉଠୁଛି।



