mission shakti banner

ପ୍ରଦୂଷଣ ବଳୟରେ ଝାରସୁଗୁଡ଼ା, ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦ ପାର୍

nua o banner

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବାୟୁ ପ୍ରଦୂଷଣ ବଢ଼ୁଛି। ବୁଧବାର ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏୟୁଆଇ) ୧୦୫ ଥିବା ତଥ୍ୟରୁ ଜଣାପଡ଼ିଛି। ମୁମ୍ବଇର ଏକ୍ୟୁଆଇ ୭୮ଥିବା ବେଳେ ହାଇଦ୍ରାବାଦର ୧୦୬ ଓ ରାଜସ୍ଥାନର ଜୟପୁର ସହର ୧୦୯ ରହିଛି। ଯାହା ଝାରସୁଗୁଡ଼ାର ଆଜିର ପ୍ରଦୂଷଣ ସୂଚକାଙ୍କରୁ ସାମାନ୍ୟ ଅଧିକ। ତେବେ ଦେଶର ସର୍ବାଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ଦିଲ୍ଲୀର ପ୍ରଦୂଷଣ ସୂଚକାଙ୍କ ହେଉଛି ଏକ୍ୟୁଆଇ ୧୩୭। ଆଗକୁ ଝାରସୁଗୁଡ଼ାର ତାପମାତ୍ରା ସହିତ ବାୟୁ ପ୍ରଦୂଷଣ ବଢ଼ିବା ପୂର୍ବାନୁମାନ କରାଯାଇଛି। ଆଇକ୍ୟୁ ଏୟାର ନାମକ ଏକ ୱେବ୍ ସାଇଟରେ ଝାରସୁଗୁଡ଼ାର ପ୍ରଦୂଷଣ ୧୧ ତାରିଖ ୧୨୧ ଓ ୧୨ ତାରିଖ ୧୧୫ ଏକ୍ୟୁଆଇ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଶିଳ୍ପ ଓ ଖଣି ଘେରି ରହିଥିବା ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହରର ବାୟୁ ସର୍ବଦା ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ବାୟୁ ପ୍ରଦୂଷଣ ସକାଶେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଝାରସୁଗୁଡ଼ା ସହରରେ ଥିବା ବେଦାନ୍ତ, ଜେଏସଡବ୍ଲୁ ବିପିଏସଏଲ, ବନହରପାଲିର ଓପିଜିସି ଓ ଜେଏସଡବ୍ଲୁ ପାୱାର ସମେତ ପଡ଼ୋଶୀ ଜିଲାର ଦର୍ଲିପାଲିରେ ଥିବା ଏନଟିପିସି ଭଳି ବୃହତ୍ତର ତାପଜ କାରଖାନା ଗୁଡ଼ିକ ପାଇଁ ପ୍ରଦୂଷଣ ବଢ଼ୁଛି। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଉଦାସୀନତା ହେତୁ ପ୍ରଦୂଷଣ ଉତ୍ସର୍ଜନ ହ୍ରାସ କରିବା ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସହର ଉପକଣ୍ଠରେ ଏସଏମସିର ଦୁଇଟି ତାପଜ ବିଦ୍ୟୁତ ତଥା ଷ୍ଟିଲ କାରଖାନା, ଓଡ଼ିଶା ମେଟାଲିକ୍ସର ତାପଜ ବିଦ୍ୟୁତ ଇତ୍ୟାଦି ଅନ୍ୟୁନ ୧୫ଟି ଛୋଟବଡ଼ କାରଖାନା ରହିଛି।

ଖଣିରୁ କୋଇଲା ପରିବହନ କରୁଥିବା ଓ ବିଭିନ୍ନ କାରଖାନାରୁ ମାଲ୍ ପରିବହନ କରୁଥିବା ହଜାର ହଜାର ଭାରୀଯାନର ମଧ୍ୟ ପ୍ରଦୂଷଣ ବଢ଼ାଇବାରେ ବଡ଼ ଭୂମିକା ରହୁଛି। ପ୍ରଦୂଷଣ ଉତ୍ସର୍ଜନ ହ୍ରାସ ସକାଶେ ଅନେକ ପଦ‌େ‌କ୍ଷପ ଗ୍ରହଣ କରାଯାଉଛି। ହେଲେ ସେଥିପାଇଁ ଆବଶ୍ୟକ ଖର୍ଚ୍ଚ, ଚରୈବେତି ଚରୈବେତି ନ୍ୟାୟରେ ଚାଲିଛି। ଟଙ୍କା ଖର୍ଚ୍ଚ କରି ଅପଡେଟ କିଏ ବା କରିବ? ତା ଛଡ଼ା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ବି ନିରବ। ସଚେତନ ନାଗରିକ ବାଲାଜୀ ଶତପଥୀ କହିଛନ୍ତି ଶିଳ୍ପ ଓ ରାଜପଥ ଯୋଗୁଁ ପ୍ରଦୂଷଣ ବଢ଼ୁଛି। ହେଲେ ପ୍ରଦୂଷଣ ରୋକିବା ଦିଗରେ ପ୍ରଦୂଷର ନିୟନ୍ତ୍ରଣ ବିଭାଗ ନିଦାବିଷ୍ଣୁ ସାଜିଛି। ସବୁଠୁ ଦୁଃଖର କଥା ଆମେ ବାରମ୍ବାର ଦାବି କରିବା ପରେ ଝାରସୁଗୁଡ଼ାରେ ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟର ସ୍ଥାପନ କରାଯାଉନାହିଁ। ଫଳରେ ପ୍ରକୃତରେ ବାୟୁ ଗୁଣବତ୍ତା କେତେ ତାହା ଆମେ ଜାଣି ପାରୁନାହୁଁ। ଏ ଦିଗରେ ଆବଶ୍ୟକ ପଦ‌େ‌କ୍ଷପ ନେବା ନିତାନ୍ତ ଜରୁରୀ। ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ କିଶୋର ମହାନ୍ତି ନିର୍ବାଚନରେ ମାତ୍ରାଧିକ ଶିଳ୍ପାୟନ ପାଇଁ ଅତିଷ୍ଠ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିବା କୁହାଯାଉଛି। ବର୍ତ୍ତମାନ ବିଭିନ୍ନ ଦଳର ପ୍ରାର୍ଥୀ ଏହି ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

Comments are closed.