ଖୋଲିଲା  ଜୟା ହୋଟେଲ୍ : ସୁରକ୍ଷା ପାଇଁ ୧୬୩ ଧାରା ବଳବତ୍ତର, ପୁଲିସ ମୁତୟନ

ସାକ୍ଷୀଗୋପାଳ : ଆଜି ଜୟା ହୋଟେଲ୍ ଖୋଲିଥିବାବେଳେ ଏହାର ସୁରକ୍ଷା ପାଇଁ ୧୬୩ ଧାରା ବଳବତ୍ତର ରହିଛି ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ନିମନ୍ତେ ପୁଲିସ ମୁତୟନ କରାଯାଇଛି।
ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ପ୍ରଶାସନ ତରଫରୁ ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ତଥା ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଜୟା ହୋଟେଲକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି।
ଆଜି ସତ୍ୟବାଦୀ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା, ପିପିଲି ଏସଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ସଦଳବଳେ ଜୟା ହୋଟେଲ ନିକଟରେ ପହଞ୍ଚିଥିଲେ। ଗତ ୫ ତାରିଖରେ ଜିଲା ପ୍ରଶାସନ ତରଫରୁ ସିଲ ହୋଇଥିବା ଜୟା ହୋଟେଲର ସିଲ ଖୋଲିଥିଲେ। ଜୟା ହୋଟେଲ ମାଲିକ ପ୍ରଦୀପ କୁମାର ବାରିକଙ୍କୁ ଚାବି ହସ୍ତାନ୍ତର କରିଥିଲେ।
ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏହି ହୋଟେଲରେ ମଟନ ବଦଳରେ ଗୋମାଂଶ ଦିଆଯାଉଅଛି ବୋଲି ଭିଡ଼ିଓ ଭାଇରାଲ କରି ଗୁଜବ ସୃଷ୍ଟି କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   ଜୟା ହୋଟେଲକୁ ସୁରକ୍ଷା ପ୍ରଦାନ ନିମନ୍ତେ ଜୟା ହୋଟେଲ ନିକଟରେ ୧୬୩ ଧାରା ବଳବତ୍ତର ରହିଛି। ପୂର୍ବପରି ପୁଲିସ ମୁତୟନ ଜାରି ରହିଛି।
ଚଳିତ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଜୟା ହୋଟେଲରେ ମଟନ ବଦଳରେ ଗ୍ରାହକମାନଙ୍କୁ ଗୋମାଂଶ ପ୍ରଦାନ କରା ଯାଉଅଛି ବୋଲି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓ ଭାଇରାଲ ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଜୟା ହୋଟେଲ ଓ ଏହି କାର୍ଯ୍ୟରେ ଲିପ୍ତ ଅପରାଧୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଆନ୍ଦୋଳନ ଚେତାବନୀ ଦିଆ ଯାଇଥିଲା।
ଏହି ସମ୍ବେଦନଶୀଳ ମାମଲାରେ ପୁରୀ ଜିଲା ପ୍ରଶାସନ ତରଫରୁ ଗତ ତା ୫-୩-୨୦୨୫ରିଖରେ ଜୟା ହୋଟେଲକୁ ସିଲ କରା ଯାଇଥିଲା। ଜୟା ହୋଟେଲର ୧ କିଲୋମିଟର ପରିଧି ମଧ୍ୟରେ ୧୬୩ ଧାରା ଜାରି କରାଯାଇଥିଲା। ଜୟା ହୋଟେଲର ସୁରକ୍ଷା ନିମନ୍ତେ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ହୋଟେଲରୁ ମାଂସ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଓୟୁଏଟି ଭୁବନେଶ୍ୱର ପଠା ଯାଇଥିଲା। ମାତ୍ର ଏହି ପରୀକ୍ଷା ରିପୋର୍ଟ ଆଜି ପର୍ଯ୍ୟନ୍ତ ମିଳି  ପାରିନାହିଁ ବୋଲି ଜଣାପଡ଼ିଛି।
ପ୍ରଶାସନର ପଦକ୍ଷେପ ବିରୋଧରେ ଜୟା ହୋଟେଲ ମାଲିକ ପ୍ରଦୀପ କୁମାର ବାରିକ ଓଡ଼ିଶା ହାଇକୋର୍ଟ ଇଜିଲାସରେ ଏକ ମାମଲା ଦାୟର କରିଥିଲେ। ଏହି  ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ ଶୁଣାଣି କରି ଜୟା ହୋଟେଲ ଖୋଲିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଆସନ୍ତା ଏପ୍ରିଲ ୧୭ ତାରିଖରେ ମାମଲର ପରବର୍ତ୍ତୀ ଶୁଣାଣି ହେବ ।
ନିର୍ଦ୍ଦେଶ ପାଇବା ପରେ ପୁରୀ ଜିଲା ପ୍ରଶାସନ ତରଫରୁ ଜୟା ହୋଟେଲ ଖୋଲିବା ନେଇ ଅନୁମତି ଦିଆଯାଇଛି ଏବଂ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କୁ ଜିଲା ପ୍ରଶାସନ ତରଫରୁ ଅବଗତ କରାଯାଇଛି।

Comments are closed.