ମୁମ୍ବଇ: ଶାହରୁଖ ଖାନଙ୍କ ‘ଯବାନ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ତେବେ ପ୍ରଥମ ଦିନରେ ‘ଯବାନ’ କେତେ ଆୟ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ତେବେ ପୂର୍ବରୁ ଅନୁମାନ କରାଯାଇଥିଲା ଯେ, ଏହା ଜବରଦସ୍ତ ବ୍ୟବସାୟ କରିବ। ଇତି ମଧ୍ୟରେ ଶାହରୁଖଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ର ବକ୍ସ ଅଫିସ୍ ଆୟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ପ୍ରଥମ ଦିନରେ ‘ଯବାନ’ ଭାରତରେ ୭୫ କୋଟି ଟଙ୍କା ଆୟ କରିଛି। ଏଥିରେ ହିନ୍ଦୀ ଭାଷାରେ ୬୫ କୋଟି, ତାମିଲରେ ୫ କୋଟି ଓ ତେଲୁଗୁରେ ୫ କୋଟି ଟଙ୍କା ଆୟ କରିଛି। ତେବେ ବିଶ୍ବବ୍ୟାପୀ ଏହା ୧୨୦ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ପ୍ରଥମ ଦିନରେ ରେକର୍ଡ଼ ଆୟ କରିଛି ‘ଯବାନ’, କାରଣ ଶାହରୁଖଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ସିନେମା ପାଲଟି ନୂଆ ଇତିହାସ ସୃଷ୍ଟି କରିଛି। ଏହି ଖବର ପ୍ରଶଂସକଙ୍କୁ ଖୁବ୍ ଖୁସି କରିବ ନିଶ୍ଚୟ।
ସୂଚନାଯୋଗ୍ୟ, ‘ଯବାନ’ରେ ଶାହରୁଖ ଖାନଙ୍କ ସହ ନୟନତାରା, ବିଜୟ ସେତୁପତି, ସାନ୍ୟା ମାଲହୋତ୍ରା, ପ୍ରିୟମଣି, ଯୋଗୀ ବାବୁ, ସୁନୀଲ ଗ୍ରୋଭର ଓ ରିଦ୍ଧି ଡୋଗରା ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ଦୀପିକା ପାଦୁକୋନ ଓ ସଞ୍ଜୟ ଦତ୍ତଙ୍କୁ ବିଶେଷ ଭାବେ କିଛି ସମୟ ପାଇଁ ଫିଲ୍ମରେ ଦେଖିବାକୁ ମିଳିଛି, ଯାହା ପ୍ରଶଂସକଙ୍କୁ ଖୁସି କରିଦେଇଛି।



