ଜନ୍ତରମନ୍ତରରେ ବିକ୍ଷୋଭ ଅଧିକାରକୁ ଅନୁମତି

0

ନୂଆଦିଲ୍ଲୀ: ଜନ୍ତରମନ୍ତରରେ ବିକ୍ଷୋଭ ପାଇଁ ସର୍ବସାଧାରଣଙ୍କ ଥିବା ଅଧିକାର ଉପରେ ନିଷେଧାଦେଶ ଜାରି କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଶବ୍ଦ ପ୍ରଦୂଷଣ କାରଣରୁ ଜନ୍ତରମନ୍ତରରେ ବିକ୍ଷୋଭ, ସଭା, ଆନ୍ଦୋଳନ ଆଦି ଉପରେ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍ ଗତ ବର୍ଷ ନିଷେଧାଦେଶ ଜାରି କରିଥିଲେ।
ଏହି ଆଦେଶ ବିରୋଧରେ ଆଗତ ମାମଲାର ଶୁଣାଣି କରି ବିଚାରପତି ଏ କେ ସିକ୍ରି ଓ ଅଶୋକ ଭୁଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗତ ସୋମବାର ଉପରୋକ୍ତ ରାୟ ଦେଇଛନ୍ତି। ଏଥିସହିତ ବୋଟ୍‍ କ୍ଲବ୍‍ଠାରେ ମଧ୍ୟ ୧୯୯୩ରୁ ସଭା ସମିତି ଉପରେ ଲାଗୁ ହୋଇଥିବା କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଅବଶ୍ୟ ଉପରୋକ୍ତ ଦୁଇ ସ୍ଥାନରେ କୌଣସି ବିକ୍ଷୋଭ ଦ୍ୱାରା ଯେପରି ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ନ ହେବ କିମ୍ବା ଅଯଥା ବିଶୃଙ୍ଖଳା ସୃଷ୍ଟି ନହେବ, ଉଚ୍ଚ ଶବ୍ଦରେ ସ୍ଲୋଗାନ୍‍ ଦିଆ ନ ଯିବ, ଡାକବାଜି ଯନ୍ତ୍ର ବ୍ୟବହାର ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହିତ ଏଥିପାଇଁ ନିର୍ଦେଶାବଳୀ ପ୍ରସ୍ତୁତ କରିବାକୁ ଦିଲ୍ଲୀ ପୁଲିିସକୁ ନିର୍ଦେଶ ଦେଇଛନ୍ତି।
ଯନ୍ତରମନ୍ତରରେ ସଭା ଓ ବିକ୍ଷୋଭ ଆଦି ପାଇଁ ପ୍ରତିବର୍ଷ ଅନ୍ୟୂନ ୨୪ ହଜାର ଆବେଦନ ଆସୁଥିଲା। ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍ଙ୍କ ନିଷେଧାଦେଶ ପରେ ରାମଲୀଲା ମୈଦାନରେ ସଭା ବିକ୍ଷୋଭ ଆଦି ଅନୁଷ୍ଠିତ ହେଉଥିଲା। ଇତିମଧ୍ୟରେ ୧୧ଟି ବଡ଼ ଧରଣର ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ବିକ୍ଷୋଭ ପାଇଁ ୫୦ ହଜାର ଟଙ୍କା ଫି’ ଦାଖଲ କରିବାକୁ ପଡ଼ୁଥିଲା।

Leave A Reply