ଜାମ୍ମୁ-କାଶ୍ମୀରେ ହେବ ନାହିଁ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ ..- ଜାମ୍ମୁ-କାଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲେ ମଧ୍ୟ ବର୍ତ୍ତମାନର ପରିସ୍ଥିତିଯୋଗୁଁ ସେଠାରେ ବିଧାନସଭା ନିର୍ବାଚନ କରାଯିବ ନାହିଁ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକ୍କିମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
ଜାମ୍ମୁ-କାଶ୍ମୀରର ବିଧାନସଭା ପ୍ରସଙ୍ଗରେ ଗୃହମନ୍ତ୍ରାଳୟ ସହ ନିର୍ବାଚନ କମିଶନଙ୍କର ଆଲୋଚନା ହୋଇଥିଲା । ମାତ୍ର ବର୍ତ୍ତମାନର ପରିସ୍ଥିତିରେ ସେଠାରେ ବିଧାନସଭା ନିର୍ବାଚନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ଗତଥର ୨୦୧୪ ମସିହାରେ ଚାରୋଟି ପର୍ଯ୍ୟାୟରେ ଜାମ୍ମୁ-କାଶ୍ମୀରର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୮୭ଟି ବିଧାନସଭା ଆସନ ରହିଛି । ଏଥିରେ ପିଡିପି ୨୮, ବିଜେପି ୨୫ ଓ ନ୍ୟାସନାଲ କନ୍ଫରେନସ୍ ୧୫ ଓ କଂଗ୍ରେସ ୧୨ଟି ଆସନରେ ବିଜୟ ଲାଭ କରିଥିଲା । ପରେ ପିଡିପି ଓ ବିଜେପିର ମେଣ୍ଟ ସରକାର ଗଠନ କରାଯାଇଥିଲା । ମେଣ୍ଟ ସରକାର ଭାଙ୍ଗିଯିବାରୁ ୨୦ ଡିସେମ୍ବର ୨୦୧୮ ମସିହାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।