ଯାଜପୁର ତୃତୀୟ ବିବାହ ମାମଲା: ଦେଢଶୁର ଓ ଶ୍ୱଶୁର ଗିରଫ

ଯାଜପୁର : ଯାଜପୁର ଜିଲା କୋରେଇ ଅଞ୍ଚଳର ବହୁ ଚର୍ଚ୍ଚିତ ତୃତୀୟ ବିବାହ ମାମଲାରେ ନ୍ୟାୟ ପାଇଁ ସବିନା ବିବି ଯାଜପୁର ଏସପିଙ୍କୁ ଭେଟିଲା ପରେ ପୁଲିସ ତତ୍ପର ହୋଇ ଦେଢଶୁର ଓ ଶ୍ୱଶୁରଙ୍କୁ ଗିରଫ କରିଛି। ଏମାନଙ୍କ ଗିରଫ ପରେ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ପୀଡ଼ିତାଙ୍କ ଘରେ ପଶି କିଛି ଦୁର୍ବୃତ୍ତ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ନିଜର ଏବଂ ଦୁଇ ବର୍ଷର ଝିଅ ସହ ପୁରା ପରିବାରକୁ ସୁରକ୍ଷା ଦେବାକୁ ସବିନା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି। ଅଭିଯୁକ୍ତ ସ୍ୱାମୀ ଫେରାର ଥିବାରୁ ନିଜକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଓ ତାଙ୍କ ପରିବାର ।
ସୂଚନାଯୋଗ୍ୟ, ସବିନା ବିବିଙ୍କର ସେକ ଅଜିମୁଦ୍ଦିନଙ୍କ ପୁଅ ଇମରାନ ଖାନଙ୍କ ସହ ମୁସଲମାନ ପରମ୍ପରା ଅନୁଯାୟୀ ବିବାହ ହୋଇଥିଲା। ମାତ୍ର ଗତ ସପ୍ତାହରେ କୋରେଇ ଥାନା ଅନ୍ତର୍ଗତ ମାଲଦା ଗ୍ରାମର ସରୁଫିଦ୍ଦିନଙ୍କ ବଡ ଝିଅ ସହିତ ଇମରାନ ପୁନଶ୍ଚ ତୃତୀୟ ବିବାହ କରୁଥିଲେ। ବିବାହ ଚାଲିଥିବା ସମୟରେ ଘଟଣାସ୍ଥଳରେ ପହଞ୍ଚି ଦ୍ୱିତୀୟ ପତ୍ନୀ ସବିନା ଏହାକୁ ବିରୋଧ କରିଥିଲେ। ଇମରାନ ତାଙ୍କୁ ତଲାକ ନଦେଇ ପୁନଶ୍ଚ କିଭଳି ବିବାହ କଲେ ବୋଲି ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସକୁ ବିବାହ ବନ୍ଦ କରିବା ପାଇଁ ବହୁ ଗୁହାରି କରିଥିଲେ ହେଁ ପୁଲିସ ପାଖରୁ ନ୍ୟାୟ ନପାଇ ସବିନା ନିଜେ ନିଜ ସ୍ୱାମୀର ବାହାଘର ବନ୍ଦ କରିବାକୁ ଉଦ୍ୟମ କରି ଏଥିରେ ବିଫଳ ହୋଇଥିଲେ।

Comments are closed.