ଜଗତ ରାଏର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଅଗ୍ରାହ୍ୟ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଥମ ରାଜକ୍ଷମା ଆବେଦନ ଅଗ୍ରାହ୍ୟ କରିଛନ୍ତି। ୨୦୦୬ରେ ଜଣଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ଅପେକ୍ଷାରେ ଥିବା ଜଗତ ରାଏ ରାଜକ୍ଷମା ଆବେଦନ କରିଥିଲେ। ୨୦୧୭ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରରବ ମୁଖାର୍ଜୀଙ୍କ ନିକଟକୁ ଏହି କ୍ଷମା ଆବେଦନ ପଠା ଯାଇଥିଲା; କିନ୍ତୁ ଏହା ଉପରେ ସେ କୌଣସି ନିଷ୍ପତ୍ତି ନେଇପାରି ନଥିଲେ। ତାଙ୍କ ଅବସର ପରେ ଗତ ୧୦ମାସ ଧରି ନୂଆ ରାଷ୍ଟ୍ରପତି କୋବିନ୍ଦ ଏହା ଉପରେ ତର୍ଜମା କରୁଥିଲେ। ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ ପରେ କୋବିନ୍ଦ ଜଗତ ରାଏର ଆବେଦନକୁ ଖାରଜ କରିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।
ଜଗତ ରାଏ ୨୦୦୬ ଜାନୁଆରୀ ୧ତାରିଖ ରାତିରେ ବୈଶାଳୀ ଜିଲା ଅନ୍ତର୍ଗତ ରାମପୁର ଶ୍ୟାମଚାନ୍ଦ ଗ୍ରାମର ବିଜେନ୍ଦ୍ର ମହାତୋଙ୍କ ଘରେ ବାହାରୁ ତାଲା ଲଗାଇ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗାଢ଼ ନିଦରେ ଶୋଇଥିବା ମହାତୋଙ୍କ ପତ୍ନୀ ବେବି ଦେବୀ, ତିନି ପୁଅ ଓ ଦୁଇ ଝିଅ ଏଥିରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ଅଭିଯୁକ୍ତମାନେ ମହାତୋଙ୍କୁ ଧରି ଘର ସାମ୍ନାରେ ଥିବା ଏକ ପଡ଼ିଆରେ କିରୋସିନି ଢ଼ାଳି ନିଆ ଲଗାଇ ଦେଇଥିଲେ। ସାଧାରଣ ଗୋଟିଏ ମଇଁଷି ଚୋରି ଘଟଣା ନେଇ ମହାତୋ ଥାନାରେ ଜଗତ ରାଏ, ୱାଜିର ରାଏ ଓ ଅଜୟ ରାଏଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାର ପ୍ରତ୍ୟାହାର ପାଇଁ ଅଭିଯୁକ୍ତମାନେ ମହାତୋଙ୍କ ଉପରେ ଚାପ ପକାଇ ଥିଲେ। ଏଥିରେ ଅରାଜି ହେବାରୁ ମହାତୋଙ୍କ ଉପରେ ଦାଉ ସାଧି ଜଗତ ରାଏ ଏଭଳି ଭୟଙ୍କର ପ୍ରତିଶୋଧ ନେଇଥିଲେ। ଏହି ଘଟଣା ନେଇ ଜଗତ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଫାଷ୍ଟଟ୍ରାକ୍‍ କୋର୍ଟରେ ବିଚାର ହୋଇଥିଲା। ପରେ ୨୦୧୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏହାକୁ ‘ବିରଳରୁ ବିରଳତମ ମାମଲା’ ଭାବେ ବିଚାରକରି ଜଗତ୍‍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୭ରେ ସେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରଣବ ମୁଖାର୍ଜୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୩୦ଟି ରାଜକ୍ଷମା ଆବେଦନ ଖାରଜ କରିଥିଲେ। ସର୍ବାଧିକ ରାଜକ୍ଷମା ଆବେଦନ ଖାରଜ କରିବା ରେକର୍ଡ ପୂର୍ବତନ ରାଷ୍ଟ୍ରପତି ଆର. ଭେଙ୍କଟରମଣଙ୍କ ନାମରେ ରହିଛି। ସେ ୧୯୮୭ରୁ ୧୯୯୨ ମଧ୍ୟରେ ୪୫ଟି ଆବେଦନ ଅଗ୍ରାହ୍ୟ କରିଥିଲେ।

Leave A Reply