୩୭ତମ ଜଗନ୍ନାଥ ଚେତନା ମହାଅଧିବେଶନ ଆରମ୍ଭ
ଯାଜପୁର : ଶୁକ୍ରବାର ଠାରୁ ଯାଜପୁରରେ ୩୭ତମ ଜଗନ୍ନାଥ ଚେତନା ମହାଅଧିବେଶନ ଆରମ୍ଭ ହୋଇଛି । ୧୦ ଦିନ ପାଇଁ ବିରଜା କ୍ଷେତ୍ର ପାଲଟିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର । ପୁରୀ ଶ୍ରୀ ମନ୍ଦୀରରୁ ଆଜ୍ଞାମାଳ ଆସି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ପହଂଚିଲା ପରେ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ୩୦୦ରୁ ଉର୍ଦ୍ଧ ସଂକିର୍ତ୍ତନ ଦଳ ଘଣ୍ଟ, ହୁଳୁହୁଳି ସହ ଭଜନ କିର୍ତ୍ତନ କରି ସ୍ୱତନ୍ତ୍ର ପଟୁଆରରେ ଶୋଭାଯାତ୍ରା କରି ଅଧିବେଶନସ୍ଥଳକୁ ଆସିଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚେତନା ଅଧିବେଶନ ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ପ୍ରତ୍ୟକ ଦିନ ମହାପ୍ରଭୁଙ୍କ ୩୨ ବେଶ, ୫୬ ଭୋଗ, ମହାବିଷ୍ଣୁ ଅବତାର ପ୍ରଦର୍ଶିତ ହେବାର କାର୍ୟ୍ୟକ୍ରମ ରହିଛି । ଏଥିସହିତ ମହାପ୍ରଭୁଙ୍କ ମହିମା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରାଯିବା ସହ ଜଗନ୍ନାଥ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେବ । ଜଗନ୍ନାଥଙ୍କ ଚେତନାକୁ ଘରେ ଘରେ ପ୍ରଚାର କରିବା ଉଦେଶ୍ୟରେ ଏଭଳି ଏକ ସମାବେଶ ଆୟୋଜନ କରାଯାଉ ଥିବା ଯାଜପୁର ଜିଲାପାଳ କହିଛନ୍ତି । ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ୟ୍ୟନାରାୟଣ ରଥ ଶର୍ମାଙ୍କ ତତ୍ୱାବଧାନରେ ଆୟୋଜିତ ମହାଅଧିବେଶନକୁ ଦେଖିବା ପାଇଁ ଯାଜପୁରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାଶନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।