ଆରଡି : ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଭାବେ ପରିଚିତ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଅଣଦେଖା ଯୋଗୁ ପୀଠ ଓ ମନ୍ଦିରର ବିକାଶ ବର୍ଷବର୍ଷ ଧରି ନାଲିଫିତା ତଳେ ପଡି ରହିଛି। ବିଶେଷକରି ପୀଠର ନାନାବିଧ ସମସ୍ୟାକୁ ନେଇ ବହୁବାର ଜିଲାସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ମନ୍ଦିରର ସେବାୟତମାନେ ପ୍ରକାଶ କରିଛନ୍ତି। ଏପରିକି ଚଳିତ ଜାଗରଯାତ୍ରା ଜିଲାସ୍ତରୀୟ ବୈଠକକୁ ସେବାୟତମାନେ ଯିବେ ନାହିଁ ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ମଣିବାବାଙ୍କ ଜାଗରଯାତ୍ରା ନୀତିକାନ୍ତି କିପରି ହେବ ତାହା ସେବାୟତମାନେ ନିଷ୍ପତ୍ତି ନେବେ ବୋଲି ମଧ୍ୟ ଚେତାବନି ଦେଇଛନ୍ତି। ବିଗତ ୩୦ବର୍ଷ ରୁ ଉର୍ଦ୍ଧ ହେବ ମନ୍ଦିର ବେଢାର ସମ୍ପ୍ରସାରଣ ସହିତ ପୀଠର ସାମଗ୍ରିକ ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ଆଜି ପର୍ଯ୍ୟନ୍ତ ହୋିପାରିନାହିଁ। ଗତ ୨୦୧୮ ମସିହାରେ ପୁର୍ନବାର ପୀଠ ଓ ମନ୍ଦିରର ସୈାନ୍ଦର୍ଯ୍ୟକରଣ ସହିତ ମନ୍ଦିର ବେଢାର ସମ୍ପ୍ରସାରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯିବା ସହିତ ଭଦ୍ରକ ଟାଉନପ୍ଲାନିଂ ପକ୍ଷରୁ ନୂତନ ଭାବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଉକ୍ତ ବୈଠକରେ ଚାନ୍ଦବାଲି ବିଧାୟକ, ଭଦ୍ରକ ଜିଲାପାଳ, ମନ୍ଦିର ଟ୍ରଷ୍ଟି, ସେବାୟତ ଓ ବିଭିନ୍ନ ବିଭାଗର ପ୍ରଦାଧିକାରୀ ଯୋଗ ଦେଇଥିଲେ। ପ୍ରସ୍ତାବ ଅନୁଯାୟୀ ଭୋଗମଣ୍ଡପ, ମନ୍ଦିର କାର୍ଯ୍ୟାଳୟ, ଭକ୍ତମାନଙ୍କ ଉପାସନା ଗୃହ, ଦୈନଦିନ ଦର୍ଶନ ନିମନ୍ତେ ପାଦଚଲା ରାସ୍ତା, ମନ୍ଦିର ବେଢାର ସମ୍ପ୍ରସାରଣ, ଶିଶୁ ଉଦ୍ୟାନ, ବୋଟିଂ ପାର୍କ ଆଦି ୨୩ଟି ଯୋଜନା ନିମନ୍ତେ ପ୍ରାୟ ୪୫କୋଟି ଟଙ୍କାର ଖର୍ଚ୍ଚ ହେବ ବୋଲି ସ୍ଥିର କରାଯାଇଥିଲା। ଏପରିକି ଏହାର ସମସ୍ତ ନଥି ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରକୁ ପଠାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ପ୍ରଥମ ପ୍ରଯ୍ୟାୟରେ ୧୪କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯିବା ସହିତ ପ୍ରସ୍ତାବିତ କାର୍ଯ୍ୟ କିପରିଭାବେ କରାଯିବ ସେଥିପାଇଁ ଜିଲାସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ପୀଠକୁ ଆସି କ୍ଷେତ୍ରୀୟ ପରିଦର୍ଶନ କରିବା ସହିତ ଇନଟାକ ପକ୍ଷରୁ ସ୍କେଚମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ମନ୍ଦିର କୋଠରୁ ୩.୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଉକ୍ତ ଯୋଜନା ଏବେ ପୂର୍ବ ପରି ନାଲିଫିତା ତଳେ ପଡି ରହିଥିଲେ ମଧ୍ୟ କାହାରି ଆନ୍ତରିକତା ନାହିଁ ବୋଲି ଏବେ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି। ସେହିପରି ଗତ ଶ୍ରାବଣୀଯାତ୍ରା ପୂର୍ବରୁ ମନ୍ଦିର ବେଢା ପ୍ରାଙ୍ଗଣରେ ଶ୍ରାବଣୀମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ସେହିପରି ଡ୍ରେନେଜ ବିଭାଗ ପକ୍ଷରୁ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଶିବଗଙ୍ଗା ପୁଷ୍କରିଣୀର ସୈାନ୍ଦର୍ଯ୍ୟକରଣ, ପଙ୍କ ଉଦ୍ଧାର, ଚନ୍ଦନ ମନ୍ଦିର ନିର୍ମାଣ ପାଇଁ ଯୋଜନା ହୋଇଥିଲେ ମଧ୍ୟ କାର୍ଯ୍ୟ ଅଧାରୁ ଅର୍ଥଭାବ ଦର୍ଶାଇ ଡ୍ରେନେଜ ବିଭାଗ କାର୍ଯ୍ୟକୁ ବନ୍ଦ କରିଦେଇଛି। ଏହି କାର୍ଯ୍ୟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୭ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ନିର୍ଦେଶ ଥିଲେ ମଧ୍ୟ ୧୮ମାସ ହେବ ପୁଷ୍କରିଣୀ ଶୁଖିଲା ପଡିଥିବାରୁ ମଣିବାବାଙ୍କର ଚନ୍ଦନଯାତ୍ରା ବନ୍ଦ ହେବା ସହିତ ପାଇପ ପାଣିରେ ସମସ୍ତ ସେବାପୂଜା ଅନୁଷ୍ଠିତ ହେଉଛି। ଅନ୍ୟପଟେ ମନ୍ଦିର ଓ ଭକ୍ତମାନଙ୍କର ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଭକ୍ତମାନେ ନାନା ସମସ୍ୟାରେ ସମୁଖିନ୍ନ ହେଉଥିବା ବେଳେ ମନ୍ଦିରର ସମସ୍ତ ଧନସମ୍ପତ୍ତି ଅସୁରିକ୍ଷିତ ଭାବେ ପଡି ରହିଛି। ମନ୍ଦିରର ବାରମ୍ବାର ଚୋରି ଘଟଣା ପରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ତାହା ଠିକ ଭାବେ କାର୍ଯ୍ୟ କରୁନଥିବାରୁ ଲୋକ ଦେଖାଣିଆ ଭଳି ଲାଗି ରହିଛି ବୋଲି ରାଜ୍ୟ ଭକ୍ତ ମହାସଂଘ ଅଭିଯୋଗ ଆଣିଛି। ପୀଠକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଶୈାଚ ନିମନ୍ତେ ସାମନ୍ୟ ପରିସ୍ରାଗାରଟିଏ ନଥିବାରୁ ନାନା ହଇରାଣ ହରକତ ହେବାକୁ ପଡୁଛି ମହିଳା ଭକ୍ତମାନଙ୍କୁ। ଏପରି ଘଟଣା ବାବଦରେ ମନ୍ଦିରର ସେବାୟତମାନେ ଜିଲାସ୍ତରୀୟ ବିଭିନ୍ନ ବୈଠକରେ ବାରମ୍ବାର ପ୍ରସ୍ତାବ ଆଣୁଥିଲେ ମଧ୍ୟ ଜିଲାପ୍ରଶାସନ କର୍ଣ୍ଣପାତ କରୁନଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ଏପରିକି ଚଳିତ ଜାଗରଯାତ୍ରା ପ୍ରସ୍ତୁତି ବୈଠକ ଆସନ୍ତା ୪ରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଉକ୍ତ ବୈଠକକୁ ମନ୍ଦିରର ସେବାୟତମାନେ ଯିବେ ନାହିଁ ବୋଲି ରୋକଠୋକ ଭାବେ ମନା କରିଦେଇଛନ୍ତି।



