ଚନ୍ଦ୍ରଯାନ-୨ ଅଭିଯାନ ୯୫% ସଫଳ : ଇସ୍ରୋ
୬ ବର୍ଷ ଚନ୍ଦ୍ରକକ୍ଷରେ କାର୍ଯ୍ୟକରିବ ଅର୍ବିଟର, ଲ୍ୟାଣ୍ଡର ସଂପର୍କରେ ସୂଚନା ଦେବା ଆଶା
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ପୁନର୍ବାର ଇତିହାସ ରଚିବାକୁ ଅଗ୍ରସର ହୋଇଥିବା ଭାରତ ଶୁକ୍ରବାର ରାତିରେ ସଫଳତାରୁ ମାତ୍ର ଗୋଟିଏ ପାଦ ପଛରେ ରହିଯାଇଛି। ମାତ୍ର ମିଶନକୁ ୯୫ ପ୍ରତିଶତ ସଫଳତା ମିଳିଛି ବୋଲି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଅଧ୍ୟକ୍ଷ ତଥା ଚନ୍ଦ୍ରଯାନ-୨ ଅଭିଯାନର ମୁଖ୍ୟ କେ. ସିବନ୍। ତେବେ ଚନ୍ଦ୍ରଯାନ-୨ କାର୍ଯ୍ୟ ଇସ୍ରୋର ଅନ୍ୟାନ୍ୟ ମହାକାଶ ଗବେଷଣା ଅଭିଯାନକୁ ପ୍ରଭାବିତ କରିବନି, ନିର୍ଦ୍ଧାରିତ ସମୟରେ ଗଗନଯାନ ଅଭିଯାନ କରାଯିବ। ସେଥିପାଇଁ ଇସ୍ରୋ ତାର କାର୍ଯ୍ୟ ଅବ୍ୟାହତ ରଖିଥିବା ଶିବନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏବେ ଆଗାମୀ ଦୁଇ ସପ୍ତାହ ଧରି ଲ୍ୟାଣ୍ଡର ସହ ଯୋଗାଯୋଗ ରକ୍ଷା କରିବାକୁ ପ୍ରୟାସ କରାଯାଉଛି। ଅର୍ବିଟର ଏବେ ଚନ୍ଦ୍ରପୃଷ୍ଠଠାରୁ ନିକଟ ଉଚ୍ଚତାରେ ୧୦୦ କିମି ପରିଧି ଭିତରେ ଘୂରି ବୁଲୁଥିବାରୁ ସେ ମଧ୍ୟ ଲ୍ୟାଣ୍ଡର ସଂପର୍କରେ ସୂଚନା ପ୍ରଦାନ କରିବ। ଅର୍ବିଟର ଏକବର୍ଷ ଚନ୍ଦ୍ରକକ୍ଷରେ ଘୂରିବୁଲିବ ବୋଲି ସ୍ଥିର କରାଯାଇଥିଲେ ମଧ୍ୟ ଏବେ ଏହାକୁ ୬ ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସ୍ଥିର ହୋଇଛି। ସାଢେ ୭ ବର୍ଷ ପର୍ଯ୍ୟନ୍ତ ଘୂରି ବୁଲିବା ଲାଗି ଅର୍ବିଟରରେ ଆବଶ୍ୟକ ଇନ୍ଧନ ରହିଥିବା ସିବନ୍ କହିଛନ୍ତି। ଫଳରେ ଏହା ପରବର୍ତ୍ତୀ ଚନ୍ଦ୍ରଯାନ ମିଶନ ଲାଗି ସହଜ ହୋଇପାରିବ ବୋଲି ବୈଜ୍ଞାନିକଗଣ
କହିଛନ୍ତି। ୨୩୪୯ କିଲୋଗ୍ରାମ ଓନଜର ଏହି ଅର୍ବିଟରରେ ମ୍ୟାପିଂ ଲାଗି ରହିଛି ୮ଟି ସାଇଣ୍ଟିଫିକ୍ ପେ-ଲୋଡ୍। ଏହା ସଠିକ୍ ରୂପେ କାର୍ଯ୍ୟକ୍ଷମ ଥିବା କହିଛନ୍ତି ସିବନ୍। ସିବନ୍ଙ୍କ ସୂଚନାନୁଯାୟୀ, ଏହି ସମୟ ମଧ୍ୟରେ ଅର୍ବିଟରଟି ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁର ଭୂମିରୂପ, ପୃଷ୍ଠଭାଗ ଆଦିର ମ୍ୟାପିଂ କରିବ। ଏପରିକି ଚନ୍ଦ୍ରର ବାହ୍ୟ ବାୟୁମଣ୍ଡଳ (ଏକ୍ଜୋସ୍ପିୟର) ସଂପର୍କରେ ତଥ୍ୟ ସଂଗ୍ରହ କରିବ। ଏହାବ୍ୟତୀତ ଚନ୍ଦ୍ରର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନାପ୍ରଦାନ ସହ ବହୁ ଫଟୋ ଉତ୍ତୋଳନ କରି ଇସ୍ରୋକୁ ପଠାଇବ। ଚନ୍ଦ୍ରକକ୍ଷର ୧୦୦ କିମି ପରିଧି ଭିତରେ ଏହା ଗତି କରିବ; ଯାହାକି ପୂର୍ବରୁ ହୋଇନାହିଁ। ଦକ୍ଷିଣମେରୁରେ ଜଳର ସନ୍ଧାନ, ଚନ୍ଦ୍ରର ଉତ୍ପତି, ଚନ୍ଦ୍ରପୃଷ୍ଠର ଜଳଅଣୁ ଓ ଖଣିଜ ସଂପର୍କରେ ରିମେଟ୍ ସେନ୍ସିଂ ଜରିଆରେ ମ୍ୟାପିଂ କରିବ ଅର୍ବିଟର। ଅର୍ବିଟରରେ ଏଭଳି ଶକ୍ତିଶାଳୀ କ୍ୟାମେରାମାନ ଖଞ୍ଜାଯାଇଛି; ଯାହାକି ଉଚ୍ଚମାନର ଚିତ୍ର ଉତ୍ତେଜନ କରିବାକୁ ସକ୍ଷମ ହୋଇପାରିବ। ଏହା ବିଶ୍ବ ସ୍ତରୀୟ ମହକାଶ ବିଜ୍ଞାନୀଙ୍କୁ ଚନ୍ଦ୍ର ସଂପର୍କରେ ଅଧିକ ତଥ୍ୟ ଓ ସୂଚନା ପ୍ରଦାନ କରିବାରେ ସହାୟକ ହୋଇପାରିବ। ଚନ୍ଦ୍ରଯାନ-୧ରେ କେବଳ ଉତ୍ତର ମେରୁ ସଂପର୍କରେ ଅନୁଧ୍ୟାନ କରାଯାଇଥିବାବେଳେ ଅନୁଲୋଚିତ ଦକ୍ଷିଣମେରୁ ସଂପର୍କରେ ଚନ୍ଦ୍ରଯାନ-୨ ବ୍ୟାପକ ତଥ୍ୟ ପ୍ରଦାନ କରିବ ବୋଲି ଇସ୍ରୋ କହିଛି।
ସୂଚନାଯୋଗ୍ୟ, ରାତି ୧.୪୯ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଅନ୍ତିମ ପ୍ରକ୍ରିୟା ଚାଲିଥିବାବେଳେ ଲ୍ୟାଣ୍ଡର ବିକ୍ରମ ହଠାତ୍ ଇସ୍ରୋଠାରୁ ସଂପର୍କ ଛିନ୍ନ କରିଥିଲା। ଚନ୍ଦ୍ରପୃଷ୍ଠରୁ ମାତ୍ର ମାତ୍ର ୨୧୦୦ ମିଟର ଦୂରରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଆଉ ଇସ୍ରୋକୁ ତଥ୍ୟ ପଠାଇ ନଥିଲା। ଏନେଇ ଇସ୍ରୋ ତା’ର ସମସ୍ତ ତଥ୍ୟକୁ ଯାଞ୍ଚ ଓ ଅନୁଧ୍ୟାନ କରୁଛି। ରୋଭର ପ୍ରଜ୍ଞାନକୁ ଧରି ବିକ୍ରମ ଗତ ୨ ତାରିଖରେ ଅର୍ବିଟରରୁ ଅଲଗା ହେବା ପରେ ଚନ୍ଦ୍ରକକ୍ଷରେ କୋମଳ ଅବତରଣ ଲାଗି ଘୂରି ବୁଲୁଥିଲା। ଗତକାଲି ରାତିରେ ଲ୍ୟାଣ୍ଡର ଓହ୍ଲାଇବା ପର୍ଯ୍ୟାୟର ଅନ୍ତିମ କ୍ଷଣରେ ଇସ୍ରୋଠାରୁ ସଂପର୍କ କଟିବା ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ କିଛିଟା ନିରାଶ କରିଥିଲା। ଲ୍ୟାଣ୍ଡରର ସ୍ଥିତି ସମ୍ବନ୍ଧରେ ତଥ୍ୟ ହାସଲ ନେଇ ଏବେ ବି ସମ୍ଭାବନା ରହିଛି। କାରଣ ସମ୍ପୂର୍ଣ୍ଣ ଅଭିଯାନର କେବଳ ୫% ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ କ୍ଷେତ୍ରରେ ସଫଳତା ମିଳିପାରି ନାହିଁ; କିନ୍ତୁ ଅଭିଯାନର ୯୫% ଏହାର ଅର୍ବିଟରରେ ନିହିତ, ଯାହାକି ଏବେ ସଫଳତା ପୂର୍ବକ ଚନ୍ଦ୍ରକୁ ପରିକ୍ରମା କରୁଛି। ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୧୦୦ କିମି ଦୂରତା ଓ ପରିଧିରେ ଅର୍ବିଟର ଏବେ ସୁରକ୍ଷିତ ଭାବେ ଚନ୍ଦ୍ରକୁ ପରିକ୍ରମା କରୁଛି। ଏହାର ତଥ୍ୟକୁ ଇସ୍ରୋ ଅନୁଶୀଳନ କରିବ।
କେବଳ ସେତିକି ନୁହେଁ; ଅନ୍ୟପଟେ ଚନ୍ଦ୍ରଯାନ-୨ ଅର୍ବିଟର ଲ୍ୟାଣ୍ଡରର ଫଟୋ ମଧ୍ୟ ଉତ୍ତୋଳନ କରିବାର ସମ୍ଭାବନା ରହିଛି ବୋଲି ଶନିବାର ଇସ୍ରୋ ସୂତ୍ରରୁ ଜଣାପଡିଛି। ବିକ୍ରମ ଯଦି ପ୍ରଜ୍ଞାନକୁ ଧରି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥାନ୍ତା, ତେବେ ପ୍ରଜ୍ଞାନ ରୋଭର ମାତ୍ର ପୃଥିବୀର ସମୟ ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ୧୪ ଦିନ କାମ କରିଥାନ୍ତା। ଏହି ସମୟରେ ସେ ଚନ୍ଦ୍ରପୃଷ୍ଠର ଭୂ-ଆଭ୍ୟନ୍ତରେ କେତେ ପରିମାଣର ଜଳ ରହିଛି ଓ ଏହାର ଗୁଣାତ୍ମକମାନ କ’ଣ ସେ ସଂପର୍କରେ ଏହି ସମୟ ଭିତରେ ମାତ୍ର ଅଧ କିମି (୫୦୦ ମିଟର) ଘୂରି ତଥ୍ୟ ସଂଗ୍ରହ କରିଥାନ୍ତା। ଅର୍ବିଟରଟି କାର୍ଯ୍ୟକ୍ଷମ ଥିବାରୁ ତାହା ଜରିଆରେ ଲ୍ୟାଣ୍ଡରର ସନ୍ଧାନ ଏହି ସମୟ ମଧ୍ୟରେ ମିଳିବ ବୋଲି ଆଶା କରାଯାଉଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି. ମାଧବନ ନାଏର କହିଛନ୍ତି ଅର୍ବିଟର ସୁସ୍ଥ ଏବଂ ସ୍ବାଭାବିକ ଢଙ୍ଗରେ ଚନ୍ଦ୍ରର କକ୍ଷପଥରେ କାର୍ଯ୍ୟ କରୁଛି।
ଭାରତର ଚନ୍ଦ୍ରଯାନ-୨କୁ ସମସ୍ତ ବିଦେଶୀ ରାଷ୍ଟ୍ର ପ୍ରଶଂସା କରିଛନ୍ତି। ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସାର ପରିଚାଳନା ସମ୍ପାଦକ କ୍ରିସ ଗାଗ୍ରିଡ କହିଛନ୍ତି ଅଭିଯାନର ୯୫% ହେଉଛି ଅର୍ବିଟର। ବିକ୍ରମ ଅବତରଣରେ ଅସଫଳ ହୋଇଥାଇପାରେ; ହେଲେ ଅର୍ବିଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବାରୁ ଅଭିଯାନକୁ ଆଦୌ ବିଫଳ କୁହାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖ ଯେ ମାତ୍ର ୯୭୮ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଯାନ-୨ ରେ ୨,୩୭୯ କିଲୋଗ୍ରାମ ଓଜନ ବିଶିଷ୍ଟ ଅର୍ବିଟର (୮ ପେ-ଲୋଡ ସହିତ), ୧୪୭୧ କି.ଗ୍ରା. ଲ୍ୟାଣ୍ଡର ବିକ୍ରମ ଏବଂ ୨୭ କି.ଗ୍ରା.ର ରୋଭର ପ୍ରଜ୍ଞାନ ରହିଛି। ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ମହାକାଶକୁ ଛଡାଯାଇଥିଲା। ସେପ୍ଟମ୍ବର ୨ରେ ବିକ୍ରମ-ପ୍ରଜ୍ଞାନ ଅର୍ବିଟରଠାରୁ ପୃଥକ ହୋଇଥିଲା। ପୃଥିବୀର କକ୍ଷପଥରେ ଏହା ୫ ଥର ପରିକ୍ରମା କରିବା ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା। ଚନ୍ଦ୍ରପୃଷ୍ଠଠାରୁ ୨.୧ କିଲୋମିଟର ଦୂରରେ ଲ୍ୟାଣ୍ଡରଟି ଇସ୍ରୋଠାରୁ ସମ୍ପର୍କ ହରାଇଥିଲା। ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇ ରହିବ।