ଇସଲାମାବାଦ : କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ରୂପ ଦେବା ପାଇଁ ଜାତିସଙ୍ଘ ନିରାପତ୍ତା ପରିଷଦରେ ପାକିସ୍ତାନର ଉଦ୍ୟମ ବିଫଳ ହେବା ସତ୍ତ୍ବେ ଏହା ଏବେ ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ର ଦ୍ବାରସ୍ଥ ହେବାକୁ ଯାଉଛି। ଏ ସମ୍ପର୍କରେ ସମସ୍ତ ଆଇନଗତ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଦେଶର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ମଙ୍ଗଳବାର ଅନୁମୋଦନ ଦେଇଥିବା ସେ କହିଛନ୍ତି। ଏକ ଘରୋଇ ଟିଭିକୁ ସାକ୍ଷାତକାର ଦେଇ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ସମ୍ପୂର୍ଣ୍ଣ ବେଅାଇନ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ବୋଲି ବିଶ୍ବତମାମ ମତ ବ୍ୟକ୍ତ କରିବା ସତ୍ତ୍ବେ କ୍ୟୁରେସୀଙ୍କ ଏଭଳି ମନ୍ତବ୍ୟ ବିସ୍ମୟ ସୃଷ୍ଟି କରିଛି। କୁଳଭୂଷଣ ଯାଦବ ମାମଲାରେ ଆଇସିଜେରେ ପରାଭବ ଭୋଗିଥିବା ପାକିସ୍ତାନ ଏହି ମାମଲାରେ ଆଦୌ ସଫଳତା ପାିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


