ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ, ବାଗଦାଦୀ ହତ୍ୟାର ପ୍ରତିଶୋଧ ନେବାକୁ ଚେତାବନୀ
ଦାମାସ୍କସ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ(ଆଇଏସ) ମୁଖ୍ୟ ଆବୁ ବକର ଅଲ୍-ବାଗଦାଦୀ ନିହତ ହେବା ପରେ ଏହାର ଉତ୍ତରାଧିକାରୀ ଭାବେ ଆବୁ ଇବ୍ରାହିମ ଅଲ-ହାସିମି ଅଲ୍-କ୍ୟୁରେଶୀକୁ ଚୟନ କରାଯାଇଛି। ଆଇଏସ୍ ଉତ୍ତରାଧିକାରୀ ହେବା ପରେ ଆବୁ ଇମ୍ରାହିମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛି। ସେ ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ ବୋଲି କହିବା ସହିତ ଆଇଏସ ସମର୍ଥକମାନେ ବାଗଦାଦୀ ହତ୍ୟାର ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଛି।
ଗତ ରବିବାର ଅପରେଶନ ବାଗଦାଦୀ ସଫଳ ହେବା ପରେ ଟ୍ରମ୍ପ କହିଥିଲେ, ବାଗଦାଦୀ ନିଜର ଜୀବନ ବଞ୍ଚାଇବାକୁ ସୁଡ଼ଙ୍ଗ ଭିତରେ ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ହରାଇଛି। ମରିବା ବେଳକୁ ସେ କାନ୍ଦି କାନ୍ଦି ଚିତ୍କାର କରିଛି। ବାଗଦାଦୀ ଏକ କୁକୁର ଭଳି ମରିଛି ବୋଲି ଟ୍ରମ୍ପ କହିଥିଲେ। ଏହାର ଉତ୍ତରରେ ଆଇଏସ ପକ୍ଷରୁ ନୂଆ ଉତ୍ତରାଧିକାରୀ ଇବ୍ରାହିମର ଏକ ଅଡିଓ ଜାରି କରାଯାଇଛି, ଯେଉଁଥିରେ ଇବ୍ରାହିମ ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ ବୋଲି କହିଛି। ଆଇଏସ ସମର୍ଥକମାନେ ବାଗଦାଦୀ ହତ୍ୟାର ପ୍ରତିଶୋଧ ନେବେ। ଆମେରିକା ବେଶୀ ଖୁସି ନ ହେଉ ବୋଲି ସେ ଚେତାବନୀ ଦେଇଛି।
Comments are closed.