ଜନସଂଖ୍ୟା ବୃଦ୍ଧି ଉଚିତ ବିକଳ୍ପ କି ?

ଭୁବନେଶ୍ବର : ଦେଶର ସାମ୍ପ୍ରତିକ ଦୃଶ୍ୟପଟରେ ଧର୍ମଧ୍ବଜାଧାରୀ ତଥା ଶାସକ ଗୋଷ୍ଠୀ ରାଜନେତାମାନେ ଆପଣାଆପଣା ରାଜ୍ୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବାର ଉଦାହରଣ ନଜରକୁ ଆସୁଛି। ନବବିବାହିତ ବ୍ରାହ୍ମଣ  ଦମ୍ପତି ୪ଟି ସନ୍ତାନ ଜନ୍ମ ଦିଅନ୍ତୁ ଓ ୧ ଲକ୍ଷ ଟଙ୍କା ପୁରସ୍କାର ପାଆନ୍ତୁ ବୋଲି ମଧ୍ୟପ୍ରଦେଶ ବ୍ରାହ୍ମଣ ବୋର୍ଡର ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁ ରାଜୋରିଆ ଘୋଷଣା କଲେ। ଅଧିକ ସନ୍ତାନ ଜନ୍ମଦେଇ ରାଜ୍ୟର ଜନସଂଖ୍ୟା ଦ୍ରୁତ ବୃଦ୍ଧି କରିବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍‌ ନିଜ ରାଜ୍ୟବାସୀଙ୍କୁ ନିବେଦନ କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କର ଜନସଂଖ୍ୟାର ଆଧାରିତ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ପ୍ରସ୍ତାବନକୁ ଦୃଷ୍ଟିରେ ରଖି ଉତ୍ତର ଭାରତ ରାଜ୍ୟସମୂହ ତୁଳନାରେ ତାମିଲନାଡ଼ୁ ପରି ଦକ୍ଷିଣ ଭାରତୀୟ ରାଜ୍ୟମ‌ାନେ ବେଶ୍‌ କିଛି ଆସନ ହରାଇବାର ଆଶଙ୍କାରେ ଷ୍ଟାଲିନ୍‌ଙ୍କ ଏ ଆହ୍ବାନ। ସେହି ଉପଲକ୍ଷ୍ୟରେ ଆନ୍ଧ୍ରପ୍ରଦେଶର ଟି.ଡି.ପି. ସାଂସଦ କେ, ଆପ୍ପାଲା ନାଇଡୁ ମହିଳାମାନଙ୍କୁ ତୃତୀୟ ସନ୍ତାନ ଜନ୍ମଦେବା ଲାଗି ପ୍ରୋତ୍ସାହନ ଦେଇ କହିଛନ୍ତି ଯେ, ଯଦି ତୃତୀୟ ସନ୍ତାନ ଝିଅ ହୁଏ, ତେବେ ସଂପୃକ୍ତ ଝିଅ ନାମରେ ୫୦,୦୦୦ ଟଙ୍କା ସ୍ଥାୟୀ ଜମା କରାଯିବ। ଏହି ସ୍ଥାୟୀ ଜମା ବୃଦ୍ଧିପାଇ ଝିଅ ବାହାଘର ବେଳକୁ ପ୍ରାୟ ଦଶଲକ୍ଷ ଟଙ୍କା ହୋଇଥିବ। ତୃତୀୟ ସନ୍ତାନ ପୁଅ ହେଲେ ତାଙ୍କୁ ଗାଈ ଉପହାର ଦିଆଯିବ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତାଙ୍କ ରାଜ୍ୟରେ ମହିଳାମାନଙ୍କୁ ସେମାନଙ୍କ ପ୍ରତ୍ୟେକ ସନ୍ତାନ ଜନ୍ମ ଲାଗି ସଂଖ୍ୟା ନିର୍ବିଶେଷରେ ମାତୃକାଳୀନ ଛୁଟି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ଏବେ ସ୍ଥାନୀୟ ପୌରସଂସ୍ଥା ଓ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ପାଇଁ ଦୁଇରୁ ଅଧିକ ସନ୍ତାନ ରହିବାକୁ ବାଧ୍ୟତାମୂଳକ କରିବାକୁ ଯାଉଛି।

ଅନ୍ୟ ଅନେକଙ୍କ ମଧ୍ୟରୁ ଉପରୋକ୍ତ ତଥ୍ୟ କିଞ୍ଚିତ୍‌ ଉଦାହରଣ ମାତ୍ର। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଦେଶରେ ରାଜ୍ୟ ରାଜ୍ୟ ଓ ସମ୍ପ୍ରଦାୟ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଁ ଏକ ତୀବ୍ର ଅସ୍ବାସ୍ଥ୍ୟକର ପ୍ରତିଯୋଗିତା ଅୟମାରମ୍ଭ ହେବାକୁ ଯାଉଛି, ଯାହା ଦେଶର ସାମ୍ପ୍ରତିକ ସ୍ଥିତାବସ୍ଥା ଏବଂ ସାମାଜିକ ଓ ଅର୍ଥନୈତିକ ସନ୍ତୁଳନକୁ ଅଧିକ ବିଗାଡ଼ିଦେବ। ଜାତିସଂଘର ପ୍ରକାଶିତ ତଥ୍ୟ ଅନୁସାରେ ଭାରତ ବର୍ତ୍ତମାନ ପୃଥିବୀର ଜନବହୁଳ ଦେଶ, ଯେଉଁଠି ଜନସଂଖ୍ୟା ଚୀନକୁ ଟପି ୧୪୨.୫୭ କୋଟିରେ ପହଞ୍ଚିଛିଟ୍ଟ କିନ୍ତୁ ଆୟତନ ଦୃଷ୍ଟିରୁ ଚୀନ୍‌ ବିଶ୍ବରେ ତୃତୀୟ ଓ ଭାରତ ସପ୍ତମ ବୃହତ୍ତମ ଦେଶ। ଜନସଂଖ୍ୟା ସାନ୍ଦ୍ରତାରେ ଭାରତ (୪୮୦.୫ ଲୋକ ପ୍ରତି ବର୍ଗ କି.ମି. ପ୍ରତି) ଚୀନ (୧୫୧.୩)ଠାରୁ ତିନିଗୁଣରୁ ଅଧିକ।

ଜିଡିପି ବା ମୋଟ୍‌ ଘରୋଇ ଉତ୍ପାଦରେ ଆମ ଦେଶ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛିଟ୍ଟ କିନ୍ତୁ ବିପୁଳ ଜନସଂଖ୍ୟା ଯୋଗୁଁ ମୁଣ୍ଡପିଛା ଆୟ ହିସାବରେ ଆମେ ପୃଥିବୀର ଅନ୍ୟତମ ଦରିଦ୍ରତମ ରାଷ୍ଟ୍ର। ଏପରି କି ଆଫ୍ରିକାର ଆଇଭରି କୋଷ୍ଟ ଓ ଆଙ୍ଗୋଲା ପରି ଦରିଦ୍ର ଦେଶଠାରୁ ମଧ୍ୟ ଦରିଦ୍ରତର। ଆଇଭରି କୋଷ୍ଟ ଓ ଆଙ୍ଗୋଲାର ହାରାହାରି ମୁଣ୍ଡପିଛା ବାର୍ଷିକ ଆୟ ଯଥାକ୍ରମେ ୨୬୪୬ ଓ ୩୨୦୫ ଆମେରିକୀୟ ଡଲାର ହୋଇଥିବାବେଳେ ଭାରତରେ ଏହା ୨୬୦୧ ଡଲାର।

ଜାତିସଂଘର ମାନବ ବିକାଶ ସୂଚକାଙ୍କ ରିପୋର୍ଟରେ ଭାରତର ସ୍ଥାନ ଅତ୍ୟନ୍ତ ଦୟନୀୟ। ସଦ୍ୟ ପ୍ରକାଶିତ ୨୦୨୫ ରିପୋର୍ଟ ଅନୁସାରେ ସୂଚକାଙ୍କରେ ସ୍ଥାନିତ  ୧୯୩ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୦। ୨୦୨୨ରେ ଏହାର ସ୍ଥାନ ଥିଲା ୧୩୩। ସେହିପରି ୨୦୨୪ ବିଶ୍ବ ଖୁସି ସୂଚକାଙ୍କରେ ୧୪୩ଦେଶ ମଧ୍ୟରୁ ଭାରତ ୧୧୮ତମ ସ୍ଥାନରେ ରହିଛି, ଯାହା ଜଣେ ହାରାହାରି ଭାରତୀୟର ସୁଖାନୁଭବର ଘୋର ଅଭାବର ଚିତ୍ର ପ୍ରଦର୍ଶନ କରେ। ଫିନ୍‌ଲ୍ୟାଣ୍ଡ ପ୍ରଥମ ସ୍ଥାନରେ ଥାଇ ଏକ ସର୍ବଶ୍ରେଷ୍ଠ ସୁଖୀ ଦେଶର ମାନ୍ୟତା ପାଇଥିଲାବେଳେ ପଡ଼ୋଶୀ ଚୀନ୍‌ ୬୦ ତମ, ନେପାଳ, ୯୩ତମ, ପାକିସ୍ତାନ ୧୦୮ ତମ ଓ ଶ୍ରୀଲଙ୍କା ୧୨୮ତମ ସ୍ଥାନରେ ଅଛନ୍ତିି। ୧୮୦ଟି ଦେଶକୁ ନେଇ ପ୍ରକାଶିତ ଟ୍ରାନ୍‌ସ୍‌ପରେନ୍‌ସି ଇଣ୍ଟରନେସନାଲ ୨୦୨୪ ଦୁର୍ନୀତି ଉପଲବ୍ଧି ସୂଚକାଙ୍କରେ ଭାରତର କ୍ରୀଡ଼ାଙ୍କ ୩୮ଶତାଂଶ ଯାହା ଦୁର୍ନୀତି କ୍ଷେତ୍ରରେ ବେଶ୍‌ ଆଗୁଆ ସ୍ଥାନକୁ ସୂଚାଏ। କ୍ରୀଡ଼ାଙ୍କ ୮୦ରୁ ଊର୍ଦ୍ଧ୍ବ ପ୍ରାପ୍ତ ହୋଇ ଡେନ୍‌ମାର୍କ, ଫିନ୍‌ଲ୍ୟାଣ୍ଡ, ସିଙ୍ଗାପୁର, ନିଉଜିଲ୍ୟାଣ୍ଡ ଆଦି ସର୍ବନିମ୍ନ ଦୁର୍ନୀତିଗ୍ରସ୍ତ ଦେଶର ମାନ୍ୟତା ପାଇଥିବାବେଳେ ଚୀନ୍‌ ୪୩ ପାଇ ଭାରତଠାରୁ ସ୍ବଚ୍ଛ ଦେଶର ମାନ୍ୟତା ପାଏ ଏବଂ ଦକ୍ଷିଣ ସୁଦାନ୍‌ (କ୍ରୀଡ଼ାଙ୍କ ୮) ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶର ଅପଖ୍ୟାତି ବହନ କରେ।

ପ୍ରଦୂଷଣ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ବରେ ଏକ ଚର୍ଚ୍ଚିତ ଦେଶ। ବିଶ୍ବର ପ୍ରଥମ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୫ଟି ଭାରତୀୟ ସହର ଅଛନ୍ତି। ରାଜଧାନୀ ଦିଲ୍ଲୀ ହେଉଛି ବିଶ୍ବର ଚତୁର୍ଥ ସର୍ବାଧିକ ପ୍ରଦୂଷିତ ସହର। ଏକ ଦେଶର ଜନସଂଖ୍ୟା ବା ପପୁଲେସନ୍‌ ସହିତ ଦାରିଦ୍ର‌୍ୟ, ବେକାରୀ, ଦୁର୍ନୀତି ଓ ପ୍ରଦୂଷଣ (ପଭର୍ଟି, ଅନ୍‌ଏମ୍ପ୍ଲୟମେଣ୍ଟ, କରପ୍‌ସନ୍‌ ଆଣ୍ଡ୍‌ ପଲ୍ୟୁସନ୍‌) ଆଦି ନକାରାତ୍ମକ ତତ୍ତ୍ବମାନ ଜଡ଼ି ରହିଥାନ୍ତି। ଜନସଂଖ୍ୟାର ଅନ୍ୟତମ ନକାରାତ୍ମକ  ଉପ-ଉତ୍ପାଦ ହେଲା ଭିଡ଼ ଏବଂ ଭିଡ଼ରୁ ଦଳାଚକଟା ଓ ଜୀବନ ହାନି। ଦେବଦେବୀ ମନ୍ଦିରଠାରୁ ଆରମ୍ଭକରି କାର‌୍ୟ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ,ଦୋକାନ ବଜାର ଆଦି ସବୁଠାରେ ଏବେ ଭିଡ଼ର ରାଜତ୍ବ। କିଛିଦିନ ତଳେ ତିରୁପତିରେ ଦଳାଚକଟାରେ ଛଅଜଣ ମରିଗଲେ।  ବିଗତ ବର୍ଷ ଜୁଲାଇ ଦୁଇ ତାରିଖରେ ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲାର ରତିଭାଣପୁରଠାରେ ଏକ ଧାର୍ମିକ ସମ୍ମିଳନୀରେ ଦଳାଚକଟାରେ ୧୨୩ଜଣଙ୍କ ପ୍ରାଣହାନି  ଘଟିଲା। ଏ ବର୍ଷ ବିଶ୍ବବିଖ୍ୟାତ ମହାକୁମ୍ଭ ମେଳାରେ ୨୯ ଜାନୁଆରୀ ୨୦୨୫, ମୌନି ଅମାବାସ୍ୟା ଦିନ ଦଳାଚକଟାରେ ଅନ୍ୟୂନ ୩୦ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହେଲା।

ନିଯୁକ୍ତି କ୍ଷେତ୍ରରେ ସ୍ବଳ୍ପ କେତୋଟି ନିମ୍ନ ଶ୍ରେଣୀୟ ପଦ ପାଇଁ ବିପୁଳ ସଂଖ୍ୟାର ଉଚ୍ଚ ଡିଗ୍ରୀଧାରୀ ପ୍ରାର୍ଥୀଙ୍କ ଆବେଦନ ଦେଶର ଦୟନୀୟ, ଦୁଃଖଦ ସ୍ଥିତିକୁ ପ୍ରତିପାଦନ କରେ। ନିକଟ ଅତୀତରେ ରାଜସ୍ଥାନରେ ୫୩୭୪୯ ପିଅନ ପଦ ପୂରଣ ପାଇଁ ୨୪.୭୬ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ, ଯେଉଁଥିରେ ଅନେକ ପିଏଚଡି, ଏମବିଏ ଆଇନ୍‌ ସ୍ନାତକ ଏବଂ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀ ମହଜୁଦ୍‌ ଥିଲେ। ଚାକିରି ଅଭାବ ତଥା ବେକାରୀ ସମସ୍ୟା କେତେ ଭୟଙ୍କର ରୂପ ଧାରଣ କରିଛି ଏଥିରୁ ଅନୁମେୟ। ମନେହୁଏ, ଜଣେ ସାଧାରଣ ମଣିଷର ଜୀବନ ଅତ୍ୟନ୍ତ ତୁଚ୍ଛ ଓ ମୂଲ୍ୟହୀନ ହୋଇଯାଇଛି। ଦାରିଦ୍ର‌୍ୟ ପ୍ରପୀଡ଼ିତ ପିତାମାତା ନବଜାତ ଶିଶୁମାନଙ୍କୁ ଅଳ୍ପ କେଇ ଟଙ୍କାରେ ଅନ୍ୟକୁ ବିକ୍ରି କରିଦେବାର ଦୃଷ୍ଟାନ୍ତ ଆମ ସମାଜରେ ବିରଳ ନୁହେଁ।

ଜନସଂଖ୍ୟା ବୃଦ୍ଧିରୁ ଯାନସଂଖ୍ୟା ବୃଦ୍ଧି, ରାସ୍ତାଜାମ୍‌, ଦୁର୍ଘଟଣା ଓ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି। ଫଳତଃ ଯାତାୟାତ ସମୟ ବୃଦ୍ଧି ଏବଂ ତଜ୍ଜନିତ ଆମ୍ବୁଲାନ୍ସରେ ରୋଗୀର ଜୀବନ ବିପନ୍ନ ଏବଂ ଦୁର୍ଘଟଣା ଜନିତ ଧନଜୀବନ କ୍ଷୟ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ୍‌କରୀଙ୍କ ସୂଚନା ଅନୁସାରେ ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଅଶୀହଜାର ବ୍ୟକ୍ତି ପ୍ରାଣ ହରାଇଥାନ୍ତି।

ଫସଲ କିଆରିରେ ବହଳ ଶସ୍ୟଗଛ ଥିଲେ ଚାଷୀ ଆବଶ୍ୟକତାଠାରୁ ଅଧିକ ଗଛସବୁ ଉପାଡ଼ି ନଷ୍ଟ କରିଦିଏ, ଯେମିତିକି ଅବଶିଷ୍ଟ ଗଛସବୁ ମାଟିରୁ ଯଥେଷ୍ଟ ପୋଷଣ ପାଇ ସୁସ୍ଥସବଳ ହୋଇ ବଢ଼ିବେ ଓ ଅଧିକ ଅମଳ ଦେବେ। ମଣିଷ ସମାଜରେ ମଧ୍ୟ ଏହି କଥାଟି ପ୍ରଯୁଜ୍ୟ। କିନ୍ତୁ ସାମ୍ପ୍ରତିକ ସ୍ଥିତି ଭିନ୍ନଚିତ୍ର ପ୍ରଦର୍ଶନ କରେ। ସମ୍ବଳ ସୀମିତଟ୍ଟ କିନ୍ତୁ ଉପଭୋକ୍ତା ଅନେକ। ତେଣୁ ବଞ୍ଚିବାର ସାଧନ, ସୁଖସୁବିଧା ହାସଲ ପାଇଁ ଚାଲିଛି ଜାନ୍ତବ ପ୍ରତିଯୋଗିତା ଏବଂ ସ୍ଥଳବିଶେଷରେ ହିଂସା, ମାଡପିଟ୍‌ ଓ ହତ୍ୟାକାଣ୍ଡ। ଭାଗବତକାର କହନ୍ତି- ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି। ଆର୍ଥିକ ଦୁରବସ୍ଥାର କବଳରେ ପଡ଼ି କେତେ ଯେ ବହୁସନ୍ତାନୀ ପରିବାର ଉଚ୍ଛନ୍ନ ହେଉଛନ୍ତି, କେତେ ହତ୍ୟା, ଆତ୍ମହତ୍ୟା ଓ ନିର‌୍ୟାତନାର କାହାଣୀମାନ ରଚିତ ହେଉଛି ତା’ର ପଟାନ୍ତର ନାହିଁ। ନଗଡ଼ାର ଅପପୁଷ୍ଟି, କୁପୋଷଣ ଜନିତ ଶିଶୁମୃତ୍ୟୁ, ଦାରିଙ୍ଗିବାଡ଼ିର ମାଣ୍ଡିପକା ଗାଁରେ ଆମ୍ବଟାକୁଆ ଯାଉ ଖାଇ ମୃତ୍ୟୁକୁ ବରଣ କରିବାର ଚିତ୍ର ଅନେକ ଭିତରୁ କେତୋଟି ଉଦାହରଣ ମାତ୍ର।

ସହରୀ ବସ୍ତିର ଦୁର୍ବଳ ଶିଶୁମାନେ ଆବଶ୍ୟକ ଖାଦ୍ୟ, ବସ୍ତ୍ର, ଔଷଧ ଆଦି ଅଭାବରୁ  ଦୁର୍ବଳର ଅସ୍ଥିକଙ୍କାଳ ଦେହନେଇ ବଞ୍ଚିଛନ୍ତି। ଅଭାବ ଅନଟନ ଏବଂ ବହୁ ସନ୍ତାନ ବିଶିଷ୍ଟ ପାରିବାରିକ ଜଞ୍ଜାଳରେ ଘାଣ୍ଟିହୋଇ ଜୀବନକୁ ଧିକ୍‌କାର କରେ ଅବହେଳିତା, ନିଷ୍ପେଷିତା ମା’ଟିଏ ଏବଂ ଅଶେଷ ଯନ୍ତ୍ରଣା କ୍ରୋଧରେ ନିଜ ଅଝଟ କ୍ଷୁଧାକ୍ଳିଷ୍ଟ ସନ୍ତାନଟିକୁ ପଶୁଭଳି ନିଷ୍ଠୁର ଭାବରେ ପ୍ରହାର କରି ରାସ୍ତାକୁ ବି ଠେଲିଦିଏ। ଶିଶୁ ଈଶ୍ବରଙ୍କର ଅନବଦ୍ୟ ସୁନ୍ଦର ସୃଷ୍ଟି। ଅମୃତର ସନ୍ତାନ। ଏକ ସୁଖକର, ଆମୋଦମୟ ଜୀବନ ତା’ର ପ୍ରାପ୍ୟ। ସେତକ ନ ଦେଇପାରିଲେ ତାକୁ ସଂସାରକୁ ଆଣିବା ଅସମୀଚୀନ ପାପ।

ଦେଶ ଦେଶ ଭିତରେ ବେଆଇନ ଅନୁପ୍ରବେଶ ସମ୍ପ୍ରତି ବିଶ୍ବର ଅନ୍ୟ ଏକ ଗମ୍ଭୀର ସମସ୍ୟା। ଏକ ଅପେକ୍ଷାକୃତ ଜନବହୁଳ ଏବଂ ଦରିଦ୍ର ଦେଶର ନାଗରିକ ସୁଖତର ଜୀବନର ସନ୍ଧାନରେ ଆବଶ୍ୟକ ସ୍ଥଳେ ଅନ୍ୟ ଦେଶର ସୀମାଡେଇଁ ସେ ଦେଶକୁ ବେଆଇନ ଅନୁପ୍ରବେଶ କରେ। ନିକଟ ଅତୀତରେ ବିପୁଳ ସଂଖ୍ୟାର ବେଆଇନ ଅନୁପ୍ରବେଶକାରୀ ବିଦେଶୀ ନାଗରିକମାନଙ୍କୁ (ବହୁ ଭାରତୀୟ ସମେତ) ଆମେରିକା ଟ୍ରମ୍ପ ପ୍ରଶାସନ ହାତରେ କଡ଼ି ଓ ଗୋଡ଼ରେ ବେଡ଼ି ପକାଇ ସେନା ମାଲବୁହା ବିମାନରେ ବସ୍ତାପରି ଲଦି ଯେମିତି ନିଷ୍ଠୁର ଓ ଅମାନବିକ ଭାବରେ ମୂଳ ଦେଶମାନଙ୍କୁ ପ୍ରେରଣା କଲା ତାହା ବିଶ୍ବର ପ୍ରତି ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ମର୍ମାହତ କରିଥିଲା। ପଡ଼ୋଶୀ ବାଂଲାଦେଶର ବିପୁଳ ସଂଖ୍ୟାର ବେଆଇନ୍‌ ଅନୁପ୍ରବେଶକାରୀ ଆମ ଦେଶରେ ବସତି ସ୍ଥାପନ କରି ରହିଅଛନ୍ତି।

ଏହି ହେତୁ ଏକ  ରାଜ୍ୟର ରାଜନୈତିକ ସ୍ବାର୍ଥ ହାସଲ ପାଇଁ ପ୍ରସ୍ତାବିତ ଜନିସଂଖ୍ୟା ବୃଦ୍ଧିକରଣ ଅପେକ୍ଷା ଏହାର ଅସନ୍ତୁଳନକୁ ରୋକିବାର ପନ୍ଥା ସନ୍ଧାନ କରିବା ଶ୍ରେୟସ୍କର ମନେହୁଏ। ଜନସଂଖ୍ୟା ସଂକୋଚନ ଓ ଉପଲବ୍ଧ ସମ୍ବଳର ସୁଷମ ବଣ୍ଟନ ଦ୍ବାରା ସମ୍ପ୍ରତି ପରିଦୃଷ୍ଟ ଧନୀ-ଦରିଦ୍ର ଦୂରତ୍ବ ଅନେକଟା ହ୍ରାସ କରାଯାଇପାରିବ। ଅନ୍ୟଥା ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବାଦ୍ବାରା ପରିଣାମ ହେବ ଅତୀବ ଭୟଙ୍କର। କାହାକୁ କିଛି ଟଙ୍କା, କିଛି ସୁବିଧା ଅବା ଗାଈଟିଏ ଦେଇ ଦେଲେ ତା’ର ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବନାହିଁ। ଏକ ଦୁଃସ୍ଥ, ଅସ୍ବାସ୍ଥ୍ୟକର ଏବଂ ଦାରିଦ୍ର‌୍ୟଭରା ପରିବେଶ ଭିତରକୁ ନୂଆ ସୃଷ୍ଟିଟିକୁ ନଆଣି ସ୍ଥିତ ଶିଶୁମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ସ୍ବଚ୍ଛଳତା ଦିଗରେ ସହାୟତା ପ୍ରଦାନ ଅଧିକ ସମୀଚୀନ।

ମନେ ରଖିବାକୁ ହେବ ଯେ ନାରୀ ଏକ ପିଲାଜନ୍ମକାରୀ ଯନ୍ତ୍ର ନୁହେଁ। ସେ ଜଣେ ମଣିଷ ଏବଂ ତା’ର ବି ନିଜ ଇଚ୍ଛା ଅନୁସାରେ ବଞ୍ଚିବାର ଅଧିକାର ଅଛି। ଅଧିକ ଶିଶୁ ଜନ୍ମକରି ନିଜ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ବାଜିରେ ଲଗାଇଦେବାକୁ ନାରୀକୁ କିଏ ବାଧ୍ୟ କରିପାରିବ? ବହୁ ଜନସଂଖ୍ୟା ଜନିତ ଅନାହାର, ଦାଦନ, କୁପୋଷଣ, ଅପପୁଷ୍ଟି ଓ ଦାରିଦ୍ର‌୍ୟ ଭଳି ଅପବାଦ ଓ ଅପଯଶର ଶିକାର ହେଉଥିବା ସମାଜ ବା ଦେଶ ପାଇଁ ପୁନଃ ଜନସଂଖ୍ୟା ବୃଦ୍ଧି ଗୋଦର ଗୋଡ଼ରେ ମାଉଁସ ଲାଗିବା ପରି। ସୁତରାଂ ସମସ୍ୟା ସମାଧାନର ଭିନ୍ନ ପନ୍ଥା, ଭିନ୍ନ ବିକଳ୍ପ ସନ୍ଧାନ କରି ତଦନୁଯାୟୀ କାର‌୍ୟ୍ୟ କରିବା ବୁଦ୍ଧିମାନର କାର‌୍ୟ୍ୟ ହେବଟ୍ଟ ଜନସଂଖ୍ୟା ବୃଦ୍ଧି ନୁହେଁ।

ସୁକାନ୍ତ ମହାରଣା

ଲେଖକ ଜଣେ ଅବସରପ୍ରାପ୍ତ ଅଧ୍ୟାପକ

Comments are closed.