www.samajalive.in
Friday, December 12, 2025
14.1 C
Bhubaneswar

ଆଲୋକର ଅଭିନବ ରୂପ

ଭୁବନେଶ୍ବର : ଆଲୋକ ଶକ୍ତିର ଏକ ରୂପ। ଆଲୋକର ଦ୍ୱୈତ ପ୍ରକୃତି ଅଛି। କେତେବେଳେ ଏହାର ତରଙ୍ଗ ରୂପ ଆଉ କେତେବେଳେ ଅବା ଏହାର କଣିକା ରୂପ (ଫୋଟନ) ଆଧାରରେ ବିଭିନ୍ନ ପ୍ରାକୃତିକ ଓ କୃତ୍ରିମ ଘଟଣାର ବ୍ୟାଖ୍ୟା କରାଯାଇଥାଏ। ଆଲୋକର କଣିକା ଫୋଟନର କୌଣସି ବସ୍ତୁତ୍ୱ ନାହିଁ। ଏଗୁଡ଼ିକ ସାଧାରଣତଃ ପରସ୍ପର ସହିତ କୌଣସି ଆନ୍ତଃକ୍ରିୟା କରେ ନାହିଁ। ତେଣୁ ଆଲୋକର ଜମାଟ ବାନ୍ଧିବା ବା ଏହାକୁ ସ୍ଥିର ରଖିବା ଯେ ସମ୍ଭବ ତାହା ବୈଜ୍ଞାନିକମାନେ ଭାବି ନ ଥିଲେ। ତେବେ ସାମ୍ପ୍ରତିକ ଏକ ଗବେଷଣାରେ, ବିଜ୍ଞାନୀମାନେ ଏକ ବିଶେଷ ପ୍ରକାରର ‘ବୋଷ-ଆଇନଷ୍ଟାଇନ କନଡେନସେଟ’ ଓ ‘ଏକ୍ସଟ୍ରିମ ଲେଜର କୁଲିଂ’ ପ୍ରଯୁକ୍ତି ବ୍ୟବହାର କରି ଆଲୋକ କଣିକାଗୁଡ଼ିକୁ ଏମିତିଭାବେ ଏକତ୍ର କରିବାରେ ସକ୍ଷମ ହୋଇଛନ୍ତି ଯେଉଁଥିରେ ସେଗୁଡ଼ିକ ଏକାଠି ହୋଇ ଗୋଟିଏ ସୁନିର୍ଦ୍ଦିଷ୍ଟ ଗଠନ ତିଆରି କରିଛି। ଏଥିରେ କଠିନ ପଦାର୍ଥ ସଦୃଶ ଗଠନ ଓ ତରଳ ସଦୃଶ ସାନ୍ଦ୍ରତା ବିହୀନ ପ୍ରବାହ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଛି। ଇଂରାଜୀରେ ଏହି ଦ୍ୱୈତ ବୈଶିଷ୍ଟ୍ୟଥିବା ଅବସ୍ଥାକୁ କୁହାଯାଏ ‘ସୁପର ସଲିଡ’ ଅବସ୍ଥା।
‘ସୁପର ସଲିଡ’ ପଦାର୍ଥର ଏକ ବିରଳ କ୍ୱାଣ୍ଟମ ଅବସ୍ଥା, ଯେଉଁଠି କଠିନର ସୁଶୃଙ୍ଖଳ ଗଠନ ଓ ତରଳର ଘର୍ଷଣହୀନ ପ୍ରବାହ ଏକାଠି ବିଦ୍ୟମାନ ଥାଏ। ଏହା ଏପରି ଏକ ଅବସ୍ଥା ଯେଉଠିଁ ପଦାର୍ଥ ସ୍ଫଟିକ ପରି ଗଠିତ ହୋଇ କଠିନର ଆକୃତି ଧାରଣ କରିଥାଏ ପୁଣି ତରଳ ପରି ଅନାୟାସରେ ପ୍ରବାହିତ ହୋଇପାରେ। ଅର୍ଥାତ୍‌ ଏହି ଅବସ୍ଥାରେ ପଦାର୍ଥର ପରମାଣୁଗୁଡ଼ିକ ଗୋଟିଏ ଦିଗରେ ଏକ ନିର୍ଦ୍ଦିଷ୍ଟ ଗଢଣରେ ବିନ୍ୟସ୍ତ ଥାଏ, ଅପର ଦିଗରେ ପୁଣି ତାହା ବିନା ଘର୍ଷଣରେ ପ୍ରବାହିତ ହୋଇ ପାରେ। ସାଧାରଣତଃ, ଯେତେବେଳେ କୌଣସି ତରଳ ଜମାଟ ବାନ୍ଧେ, ସେତେବେଳେ ଏହାର ଅଣୁଗୁଡ଼ିକର ଗତି ଧୀର ହୋଇଯାଏ ଓ ଏଗୁଡ଼ିକ କଠିନ ଆକାରରେ ବିନ୍ୟସ୍ତ ହୁଏ। ‘ପରମ ଶୂନ୍ୟ’ର ପାଖାପାଖି ତାପମାତ୍ରା(ମାଇନସ ୨୭୩.୧୫ ଡିଗ୍ରୀ ସେଲ୍‌ସିୟସ)ରେ ଏହି ପରୀକ୍ଷଣ କରାଯାଏ। ଏଥି ପୂର୍ବରୁ ବୈଜ୍ଞାନିକମାନେ ଏହି ‘ସୁପର ସଲିଡ’ ଅବସ୍ଥା କେବଳ ଅତି ଶୀତଳ ଗ୍ୟାସ କ୍ଷେତ୍ରରେ ପର‌୍ୟ୍ୟ ବେକ୍ଷଣ କରିଥିଲେ। ଏଥର, ଗବେଷକମାନେ ପରୀକ୍ଷାଗାରରେ ଆଲୋକର ଏହି ‘ସୁପର ସଲିଡ’ ଅବସ୍ଥା ପାଇବାରେ ସଫଳ ହୋଇଛନ୍ତି।
ଆଲୋକକୁ ‘ସୁପର ସଲିଡ’ରେ ରୂପାନ୍ତରିତ କରିବା ପାଇଁ ଗବେଷକମାନେ ଏକ ଲେଜର ରଶ୍ମିକୁ ବିଶେଷଭାବେ ପ୍ରସ୍ତୁତ କରାଯାଇଥିବା ଅତି କ୍ଷୁଦ୍ର ରିଜ୍(ହିଡ଼ ପରି) ସମ୍ବଳିତ ‘ଗ୍ୟାଲିୟମ ଆର୍ସେନାଇଡ’ ସେମିକଣ୍ଡକ୍ଟର ଉପରେ ପ୍ରକ୍ଷେପଣ କରଥିଲେ। ଏହି ପ୍ରକ୍ରିୟାରେ ଆଲୋକ ଓ ପଦାର୍ଥର ଆନ୍ତଃକ୍ରିୟାରୁ ‘ପୋଲାରିଟନ’ ନାମରେ ଏକ ମିଶ୍ର(ହାଇବ୍ରିଡ) କଣିକା ସୃଷ୍ଟି କରାଗଲା। ଏହି ପୋଲାରିଟନଗୁଡ଼ିକୁ ସୁନିର୍ଦ୍ଦିଷ୍ଟ କ୍ୱାଣ୍ଟମ ଅବସ୍ଥାରେ ସୀମାବଦ୍ଧ କରି ଗବେଷକମାନେ ଗୋଟିଏ ‘ସୁପର ସଲିଡ’ ଗଠନ କରିବାରେ ସକ୍ଷମ ହେଲେ। ଇଟାଲିର ବୈଜ୍ଞାନିକମାନେ କରିଥିବା ଏହି ଯୁଗାନ୍ତକାରୀ ଆବିଷ୍କାର ସମ୍ବନ୍ଧିତ ଗବେଷଣାପତ୍ରଟି ୫ ମାର୍ଚ୍ଚ, ୨୦୨୫ର ‘ନେଚର ଜର୍ନାଲ’ରେ ପ୍ରକାଶିତ ହୋଇଛି।
ଏହି ଆବିଷ୍କାର କେବଳ ପଦାର୍ଥ ବିଜ୍ଞାନ ବହିରେ ସ୍ଥାନିତ ହେବା ପରି ତାତ୍ତ୍ୱିକ କୌତୂହଳ ନୁହେଁ ବରଂ ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ରରେ ଏହା ଆଣିପାରେ ଏକ ବିପ୍ଳବ। ଏହା ସାହାଯ୍ୟରେ ‘କ୍ୱାଣ୍ଟମ କମ୍ପ୍ୟୁଟିଂ’ ରେ ଅତି ସ୍ଥିତିଶୀଳ ଓ ନିୟନ୍ତ୍ରଣଯୋଗ୍ୟ ‘ଫୋଟନିକ ସିଷ୍ଟେମ’ ତିଆରି କରାଯାଇ ପାରେ। ଏହା ଦ୍ୱାରା ଆଲୋକ- ଆଧାରିତ ସ୍ମୃତି ବା ତଥ୍ୟ ସଂରକ୍ଷଣର ନୂଆ ପଦ୍ଧତି ଉଦ୍ଭାବନର ସମ୍ଭାବନା ରହିଛି। ପୁଣି ଜ୍ୟୋତିଃ ପଦାର୍ଥ ବିଜ୍ଞାନ ଓ ମୌଳିକ କଣିକା ପଦାର୍ଥ ବିଜ୍ଞାନର ଗବେଷଣାରେ ମଧ୍ୟ ଏହା ନୂଆ ଜ୍ଞାନର ଦ୍ୱାର ଉନ୍ମୋଚନ କରି ପାରିବ।
ଆଲୋକକୁ ‘ସୁପର ସଲିଡ’ରେ ରୂପାନ୍ତର କରିବା ଏକ ଅତି ଦୁରୂହ ଓ ଚମକପ୍ରଦ ବୈଜ୍ଞାନିକ କୀର୍ତ୍ତି। ଏହା କେବଳ ବର୍ତ୍ତମାନ ବିଜ୍ଞାନର ସୀମାରେଖାକୁ ବିସ୍ତୃତ କରି ନାହିଁ, ବରଂ ଭବିଷ୍ୟତର ସମ୍ଭାବନାକୁ ଆହୁରି ଉଦ୍ଦୀପନାମୟ କରିଛି। ବୈଜ୍ଞାନିକମାନେ ହୁଏତ ନିକଟ ଭବିଷ୍ୟତରେ ଏପରି ପ୍ରଯୁକ୍ତି ତିଆରି କରି ପାରିବେ, ଯେଉଠି ଆଲୋକ କେବଳ ମାତ୍ର ଆଲୋକର ଉତ୍ସ ନୁହେଁ, ବରଂ ହେବ ଏକ ନୂଆ ପ୍ରକାରର ପଦାର୍ଥର ରୂପ।
ମୃଦୁଳା ମିଶ୍ର
ଲେଖିକା ପଦାର୍ଥ ବିଜ୍ଞାନର ଜଣେ ସହଯୋଗୀ ପ୍ରଫେସର

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories