ଗୁରୁବାର ଉତ୍‌କ୍ଷେପଣ ହେବ ଆଇଆରଏନଏସଏସ-୧ଆଇ ଉପଗ୍ରହ

0

ଚେନ୍ନଇ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁରୁବାର ଏହାର ଅଷ୍ଟମ ଦିଗନିର୍ଣ୍ଣୟକାରୀ ଉପଗ୍ରହ ଆଇଆରଏନଏସଏସ୍‌-୧ଆଇ ଉପଗ୍ରହର ଉତ୍‌କ୍ଷେପଣ କରିବ। ଗୁରୁବାର ସକାଳ ୪ଟା ୦୪ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରରୁ ଇସ୍ରୋର ରକେଟ୍‌ ପିଏସଏଲଭି-ସି୪୧ ଏହି ଉପଗ୍ରହକୁ ଧାରଣ କରି ମହାକାଶ ଅଭିମୁଖେ ଗତି କରିବ। ପୂର୍ବରୁ ଇସ୍ରୋ ୭ଟି ଦିଗନିର୍ଣ୍ଣୟକାରୀ ଉପଗ୍ରହ ଉତ୍‌କ୍ଷେପଣ କରିସାରିଛି। ପ୍ରଥମ ଦିଗନିର୍ଣ୍ଣୟକାରୀ ଉପଗ୍ରହ ଆଇଆରଏନଏସ୍‌ଏସ୍‌-୧ଏ ଏବେ ଅଚଳ ହୋଇପଡିଥିବାରୁ ତା’ ସ୍ଥାନରେ ଆଇଆରଏନଏସଏସ୍‌-୧ଆଇ କାର୍ଯ୍ୟ କରିବ। ଆଇଆରଏନଏସ୍‌ଏସ୍‌-୧ଏ ଉପଗ୍ରହର ତିନିଟି ରୁବିଡିୟମ୍‌ ଆଟମିକ୍‌ କ୍ଲକ୍‌ ଏବେ ଅଚଳ ହୋଇପଡିଛି। ଫଳରେ ଏହାର ପୂର୍ବପରି କାର୍ଯ୍ୟ କରିବାରେ ଅକ୍ଷମ ହୋଇଛି। ଇସ୍ରୋର ଦ୍ୱିତୀୟ ଥର ପାଇଁ ଏପରି ବଦଳ ଉପଗ୍ରହ ପ୍ରେରଣ କରିବାକୁ ଚେଷ୍ଟା କରିଛି। ଆଇଆରଏନଏସଏସ୍‌-୧ଆଇର ଓଜନ ୧.୪ ଟନ୍‌। ଏହି ଉପଗ୍ରହ ଜାହାଜ ଚଳାଚଳ କ୍ଷେତ୍ରରେ ସହଯୋଗ କରିଥାଏ। ସମୁଦ୍ରରେ ଜାହାଜକୁ ଦୂରତା ମାପ କରିବା ଓ ଦିଗ ନିର୍ଣ୍ଣୟ ସମ୍ପର୍କରେ ଏହି ଉପଗ୍ରହ ସୂଚନା ଦେଇଥାଏ।

Leave A Reply