ଆଇପିଏଲ-୧୭: ମୁମ୍ବଇ ଆଗରେ ଦିଲ୍ଲୀ ଆହ୍ୱାନ, ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଲକ୍ଷ୍ନୌ

ମୁମ୍ବଇ: ଆଇପିଏଲ-୧୭ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ୱାଙ୍ଖଡେ ଷ୍ଟାଡ଼ିୟମରେ ମୁମ୍ବଇ ଇଣ୍ଡିଆନ୍‌ସ -ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ ଅପରାହ୍ଣ ୩ଟା୩୦ରୁ ଖେଳାଯିବ। ସେହିପରି ଏକ୍‌ନାରେ ରାତି ୭ଟା ୩୦ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ୨ ମ୍ୟାଚ ଖେଳାଯିବ। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିପାରିନାହିଁ। ଦଳ ୩ଟି ମ୍ୟାଚରୁ ୩ଟି ପରାଜୟ ସହ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଦଳ ବିଫଳ ହେଉଛି। ବ୍ୟାଟିଂରେ ରୋହିତ ଶର୍ମା, ଈଶାନ କିଷନ, ତିଲକ ବର୍ମା, ଟିମ୍‌ ଡେଭିଡ୍ , ଦାୱଦ ବ୍ରେଭିସ ଓ ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ରହିଛନ୍ତି। କିନ୍ତୁ ଦଳ ଏପର୍ଯ୍ୟନ୍ତ ଅସ୍ଥିର ପ୍ରଦର୍ଶନ କରିଚାଲିଛି।

ରୋହିତଙ୍କ ବଦଳରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ବିଜୟ ନେଇ ସଂଘର୍ଷ କରୁଛି। ସୂର୍ଯ୍ୟକୁମାର ଯାଦବ ସୁସ୍ଥ ହେ​‌ାଇ ଦଳରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀ ବିପକ୍ଷ ମ୍ୟାଚ ଖେଳିବା ନେଇ ଆଶା କରାଯାଉଛି। ସୂର୍ଯ୍ୟଙ୍କ ଉପସ୍ଥିତି ଦଳର ମନୋବଳକୁ ବୃଦ୍ଧି ନିଶ୍ଚିତ କରିବ। ବୋଲିଂରେ ଯଶପ୍ରୀତ ବୁମ୍‌ରା, ରୋମାରିଓ ସେଫର୍ଡ,ମହମ୍ମଦ ନବି ଓ କୁମାର କାର୍ତ୍ତିକେୟ ପ୍ରମୁଖ ରହିଛନ୍ତି। ବୁମରାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବୋଲର ବିପକ୍ଷ ଦଳର ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାରେ ସଫଳ ହେଉନାହାନ୍ତି। ଦଳକୁ ବିଜୟ ଖାତା ଖୋଲିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ସ୍ଥିତିକୁ ସୁଧାରି ଖେଳିବାକୁ ପଡ଼ିବ। ଅନ୍ୟପକ୍ଷରେ ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୪ଟି ମ୍ୟାଚରୁ ୩ଟି ପରାଜୟ ଓ ଗୋଟିଏ ବିଜୟ ହାସଲ କରିଛି। ଦଳ ବ୍ୟାଟିଂ ବିଭାଗରେ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛିି। ଯାହା ପରାଜୟର ମୁଖ୍ୟ କାରଣ ହୋଇଛି। ଡେଭିଡ୍‌ ୱାର୍ଣ୍ଣର, ପୃଥ୍ବୀ ସ, ମିଚେଲ ମାର୍ଶ, ସାଇ ହୋପ୍‌, ଅଭିଷେକ ପୋରେଲ, ରିକି ଭୁଏ ପ୍ରମୁଖଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। କିନ୍ତୁ ନିୟମିତ ଭଲ ବ୍ୟାଟିଂ କରିବାରେ ବିଫଳ ହେଉଛନ୍ତି।ବୋଲିଂ ବିଭାଗରେ ଖଲିଲ ଅହମ୍ମଦ, ଇଶାନ ଶର୍ମା,କୁଳଦୀପ୍‌ ଯାଦବ, ସୁମିତ କୁମାର ରହିଛନ୍ତି। ବିଜୟ ଖାତା ଖୋଲିବାକୁ ସଂଘର୍ଷ କରୁଥିବା ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିବା ନେଇ ଦିଲ୍ଲୀ ନିକଟରେ ବଡ଼ ସୁଯୋଗ ରହିଛି। ଦ୍ବିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଗୁଜରାଟ ଟାଇଟାନ୍‌ସ – ଭେଟିବ। ଶୁବମାନ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ଭୋଗିଛି। ଦଳ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ବିଜୟ ଦ୍ବାରରେ ପହଞ୍ଚି ମଧ୍ୟ ପରାଜିତ ହୋଇଥିଲା। ଡେଭିଡ୍‌ ମିଲର ଆହତ ହୋଇ ଦୁଇ ସପ୍ତାହ ବାଦ୍‌ ପଡ଼ିବା ଦଳକୁ ଚିନ୍ତା ଘାରିଛି। ସେହିପରି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ବ୍ୟାଟିଂରେ କେ.ଏଲ ରାହୁଲ, ନିକୋଲାସ ପୁରନ, କ୍ବିଣ୍ଟନ ଡିକକ, ମାର୍କୋସ ଷ୍ଟୋଇନିସ ଓ କ୍ରୁନାଲ ପାଣ୍ଡ୍ୟା ରନ କରୁଛନ୍ତି। ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ଶେଷ ଦୁଇ ମ୍ୟାଚରେ ବିଜୟ ହାସଲ କରିଛି। ଶେଷ ଦୁଇ ମ୍ୟାଚରେ ବୋଲିଂରେ ମୟଙ୍କ ଯାଦବଙ୍କ ଚମତ୍କାର ପ୍ରଦର୍ଶନ ଦଳ ପାଇଁ ବେଶ ଫାଇଦା ହେଉଛି। ମୟଙ୍କଙ୍କ ବାଦ୍‌ ନବୀନ ଉଲ୍‌ ହକ, ରବି ବିଷ୍ଣୋୟି ପ୍ରମୁଖ ରହିଛନ୍ତି। ବୋଲିଂ ଓ ବ୍ୟାଟିଂରେ ସନ୍ତୁଳିତ ରହିଥିବା ଗୁଜରାଟକୁ ହରାଇ କ୍ରମାଗତ ତୃତୀୟ ବିଜୟ ଆଶା ରଖିଛି।

Comments are closed.