କରନ୍‌ଙ୍କ ୬୩, ଦିଲ୍ଲୀକୁ ହରାଇଲା ପଞ୍ଜାବ

ସମାଜ: ୪୫୩ ଦିନ ପରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରି ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍‌ସର ନେତୃତ୍ବ ନେଇଥିଲେ ହେଁ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଆଇପିଏଲ୍‌ର ୨ୟ ମ୍ୟାଚ୍‌ରେ ଦିଲ୍ଲୀକୁ ୪ ୱିକେଟରେ ପଞ୍ଜାବ କିଙ୍ଗ୍‌ସ ପରାସ୍ତକରି ଅଭିଯାନ ଆରମ୍ଭ କରିଛି। ଶନିବାର ଅପରାହ୍‌ଣର ମ୍ୟାଚ୍‌ରେ ସାମୂହିକ ଯୋଗଦାନ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସ ୯ ୱିକେଟରେ ୧୭୪ ରନ୍‌ କରିଥିଲା। ପରେ ସାମ୍ କରନ୍‌ଙ୍କ ଦର୍ଶନୀୟ ୬୩ ରନ୍‌ ବଳରେ ୪ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ପଞ୍ଜାବ ଜିତିଥିଲା।

୧୭୫ ରନ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ ୩ ଓଭରରେ ୩୪ ରନ୍‌ କରିବା ପରେ ଅଧିନାୟକ ଶିଖର ଧାୱନ ୧୬ ବଲ୍‌ରୁ ୪ଟି ଚୌକା ସହ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ୪ଟି ବଲ୍‌ ପରେ ଅନ୍ୟ ଓପ୍‌ନର ଜନି ବେୟାରଷ୍ଟୋ ୩ଟି ବଲ୍‌ରୁ ୯ ରନ୍‌କରି ବିଦାୟ ନେଇଥିଲେ। ପରେ ଇମ୍ପାକ୍ଟ ଖେଳାଳି ପ୍ରଭସିମ୍ରନ୍ ସିଂହ ଓ ସାମ୍‌ କରନ୍‌ ୩ୟ ୱିକେଟ ପାଇଁ ୩୩ ବଲ୍‌ରୁ ୪୨ ରନ୍‌ ଯୋଗ କରିଥିଲେ। ପ୍ରଭସିମ୍ରନ୍ ଭଲ ବ୍ୟାଟିଂକରି ୧୭ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଜିତେଶ ଶର୍ମା ୯ ବଲ୍‌ରୁ ୯ ରନ୍‌କରି ଆଉଟ୍‌ ହେବା ବେଳକୁ ପଞ୍ଜାବର ସ୍କୋର୍‌ ଥିଲା ୪ ୱିକେଟରେ ୧୦୦ ରନ୍‌। ପରେ ଇଂଲଣ୍ଡର ଦୁଇ ବ୍ୟାଟ୍‌ସମ୍ୟାନ୍ ସାମ୍ କରନ୍‌ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଚମତ୍କାର ବ୍ୟାଟିଂକରି ଦିଲ୍ଲୀ କ୍ୟାପିଟାଲ୍‌ସକୁ ମ୍ୟାଚ୍‌କୁ ଫେରିବାକୁ ଦେଇନଥିଲେ। ଦୁହେଁ ବିସ୍ଫୋରକ ବ୍ୟାଟିଂକରି ୫ମ ୱିକେଟ ପାଇଁ ୭ ଓଭରରେ ୬୭ ରନ୍‌ ଯୋଡ଼ି ପଞ୍ଜାବର ବିଜୟ ନିଶ୍ଚିତ କରିଥିଲେ। ସାମ୍ କରନ୍‌ ୪୭ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୩ ରନ୍‌କରି ବିଦାୟ ନେଇଥିଲେ। ପରବର୍ତ୍ତୀ ବଲ୍‌ରେ ଶଶାଙ୍କ ସିଂହ ଆଉଟ୍‌ ହୋଇଥିଲେ ହେଁ ପଞ୍ଜାବ ସେତେବେଳେ ବିଜୟ ଦ୍ବାରରେ ଥିଲା। ଲିଭିଙ୍ଗଷ୍ଟୋନ୍‌ ୨୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୮ ରନ୍‌କରି ଅପରାଜିତ ଥିଲେ। ଖଲିଲ ଅହମ୍ମଦ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୨ ଓଭର ପକାଇବା ପରେ ଗୋଇଠି ମୋଡ଼ି ହୋଇଯିବାରୁ ଈଶାନ୍ତ ଶର୍ମା ଆଉ ବୋଲିଂ କରି ପାରିନଥିଲେ। ସାମ୍ କରନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ପଞ୍ଜାବ କିଙ୍ଗ୍‌ସ ଫିଲ୍‌ଡିଂ ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍‌ସର ଦୁଇ ଅଷ୍ଟ୍ରେଲୀୟ ଓପ୍‌ନର ବିସ୍ଫୋରକ ବ୍ୟାଟିଂକରି ୧୯ ବଲ୍‌ରୁ ୩୯ ରନ୍‌ର ଭାଗିଦାରୀ କରିଥିଲେ। ମିଚେଲ ମାର୍ଶ ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭରରେ ଦିଲ୍ଲୀ ୭୪ ରନ୍‌ କରିଥିବା ବେଳେ ଅଭିଜ୍ଞ ୱାର୍ଣ୍ଣର ୨୧ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୯ ରନ୍‌କରି ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ସୈ ହୋପ୍ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ ହେଁ ସେଟ୍‌ ହେବା ପରେ ଆକ୍ରମଣ କରିଥିଲେ। ହୋପ୍ ୨୫ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‌ କରିଥିଲେ। ତାଙ୍କ ଫେରନ୍ତା ମ୍ୟାଚ୍‌ରେ ଅଧିନାୟକ ଋଷଭ ପନ୍ତ୍ ୧୩ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ରିକି ଭୁଇ ୩ ଓ ଟ୍ରିଷ୍ଟାନ୍ ଷ୍ଟବ୍‌ସ ୫ ରନ୍‌କରି ବିଦାୟ ନେଇଥିଲେ। ଅକ୍ଷର ପଟେଲ ଭଲ ବ୍ୟାଟିଂକରି ୧୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ବଙ୍ଗଳାର ଯୁବ ଖେଳାଳି ଅଭିଷେକ ପୋରେଲଙ୍କୁ ଦିଲ୍ଲୀ ଇମ୍ପାକ୍ଟ ଖେଳାଳି ଭାବେ ପଠାଇବା ଯୋଜନା ସଫଳ ହୋଇଥିଲା। ଶେଷ ଓଭରରେ ୨୫ ରନ୍‌ ମାରିବା ସହ ପୋରେଲ୍‌ ମାତ୍ର ୧୦ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୨ ରନ୍‌ କରିଥିଲେ। ଅର୍ଶଦୀପ ସିଂହ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.