କଲକାତା : ଆଇପିଏଲ୍-୧୧ରେ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)ର ବିଜୟଧାରା ଭାଙ୍ଗିପାରିଛି କଲକାତା ନାଇଟ ରାଇଡର୍ସ (କେକେଆର୍)। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ପରେ ଶୁବ୍ମାନ ଗିଲ୍ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନଇକୁ ୬ ୱିକେଟରେ କେକେଆର୍ ପରାସ୍ତ କରିଛି। ମହେନ୍ଦ୍ର ସିଂହ ଧୋନି, ସେନ୍ ୱାଟ୍ସନ ଓ ସୁରେଶ ରୈନାଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ୫ ୱିକେଟରେ ୧୭୭ ରନ୍ କରିଥିଲା। ପରେ ଗିଲ୍ ଓ ଦିନେଶ କାର୍ତ୍ତିକଙ୍କ ଅପରାଜିତ ଇନିଂସ ବଳରେ କଲକାତା ୧୭.୪ ଓଭରରେ ୪ ୱିକେଟ ହରାର ବିଜୟୀ ହୋଇଥିଲା। ୯ମ ମ୍ୟାଚ୍ରେ କଲକାତାର ଏହା ୫ମ ବିଜୟ। ୯ମ ମ୍ୟାଚ୍ରେ ଚେନ୍ନଇ ୩ୟ ପରାଜୟ ଭୋଗି ୨ୟକୁ ଖସିଆସିଛି।
ସମ୍ମୁଖରେ ୧୭୮ ରନ୍ର ଲକ୍ଷ୍ୟ ଥିବା ବେଳେ ପ୍ରଥମ ଓଭରରେ କଲକାତା ନାଇଟ ରାଇଡର୍ସର ଓପ୍ନର କ୍ରିସ୍ ଲିନ୍ କ୍ରମାଗତ ୨ଟି ଛକାମାରି ଶେଷ ବଲ୍ରେ ଆଉଟ ହୋଇ ଯାଇଥିଲେ। ପରେ ରବିନ୍ ଉଥପ୍ପା ୬ ରନ୍କରି ବିଦାୟ ନେଇଥିଲେ। ୨ୟ ଓଭରରେ କ୍ରମାଗତ ୨ଟି ବଲ୍ରେ ସୁନୀଲ ନାରାୟଣଙ୍କ କ୍ୟାଚ୍ ଜାଡ଼େଜା ଛାଡ଼ିଥିଲେ। ନାରାୟଣ ଏହାର ଫାଇଦା ଉଠାଇ ୨୦ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ଦ୍ରୁତ ୩୨ ରନ୍କରି ଆଉଟ ହୋଇଥିଲେ। ରିଙ୍କୁ ସିଂହ ୧୬ ରନ୍କରି ଆଉଟ ହୋଇଥିଲେ। ଗୋଟିଏ ପଟେ ଯୁବ ବ୍ୟାଟ୍ସମ୍ୟାନ୍ ଶୁବ୍ମାନ ଗିଲ୍ ଦର୍ଶନୀୟ ବ୍ୟାଟିଂ କରୁଥିବା ବେଳେ ଅଧିନାୟକ ଦିନେଶ କାର୍ତ୍ତିକ କି୍ରଜ୍କୁ ଆସିବା ମାତ୍ର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ କଲକାତାର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ଶୁବ୍ମାନ ଗିଲ୍ ଓ କାର୍ତ୍ତିକ ଅବିଭାଜିତ ୫ମ ୱିକେଟ ପାଇଁ ୬ ଓଭରରେ ୮୩ ରନ୍ ଯୋଡ଼ିିଥିଲେ। କାର୍ତ୍ତିକ ମାତ୍ର ୧୮ ବଲ୍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୫ ରନ୍କରି ଅପରାଜିତ ଥିଲେ। ୧୯ ବର୍ଷ ବୟସ୍କ ଶୁବ୍ମାନ ଗିଲ୍ ୩୬ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୫୬ ରନ୍ରେ ଅପରାଜିତ ଥିଲେ।
ଟସ୍ ଜିତି ଘରୋଇ ଦଳ କଲକାତା ଫିଲ୍ଡିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍ସ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ୫ ଓଭରରେ କେକେଆର୍ର ଓପ୍ନର ୪୮ ରନ୍ ଯୋଗ କରିଥିଲେ। ଓପ୍ନର ଫାଫ୍ ଡୁ ପ୍ଲେସି ୧୫ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍କରି ପ୍ରଥମେ ଆଉଟ ହୋଇଥିଲେ। ଅନ୍ୟ ବିଦେଶୀ ଓପ୍ନର ସେନ୍ ୱାଟ୍ସନ ୧୧ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିବା ସହ ସୁରେଶ ରୈନାଙ୍କ ସହ ୨ୟ ୱିକେଟ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଅଷ୍ଟ୍ରେଲୀୟ ୱାଟ୍ସନ ୨୫ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ୍ କରିଥିଲେ। ଫର୍ମରେ ଥିବା ବାମହାତି ରୈନା ପୁଣି ଏକ ଭଲ ଇନିଂସ ଖେଳି ୨୬ ବଲ୍ରୁ ୪ଟି ଚୌକା ସହ ୩୧ ରନ୍ କରିଥିଲେ। ଚଳିତ ଆଇପିଏଲ୍ରେ ଅଦ୍ୟାବଧି ସର୍ବାଧିକ ୩୯୧ ରନ୍କରି ଅରେଞ୍ଜ୍ କ୍ୟାପ୍ର ଅଧିକାରୀ ହୋଇଥିବା ଅମ୍ବତି ରାୟୁଡୁ ସେଟ୍ ହୋଇ ଆସୁଥିବା ବେଳେ ଆଉଟ ହୋଇ ଯାଇଥିଲେ। ରାୟୁଡୁ ୧୭ ବଲ୍ରୁ ୩ଟି ଚୌକା ସହ ୨୧ ରନ୍ କରିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରହାର ଯୋଗୁଁ ଶେଷ ୫ ଓଭରରୁ ଚେନ୍ନଇ ୫୬ ରନ୍ ନେଇ ପାରିଥିଲା। ଧୋନି ୨୫ ବଲ୍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୧୨ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୧୨ ରନ୍ କରି ପାରିଥିଲେ। କଲକାତାର ୩ ସ୍ପିନର ପୀୟୂଷ ଚାୱଲା, କୁଲଦୀପ ଯାଦବ ଓ ସୁନୀଲ ନାରାୟଣ ମିଳିତ ଭାବେ ୧୨ ଓଭରରୁ ୮୯ ରନ୍ଦେଇ ୫ଟି ୱିକେଟ ନେଇଥିବା ବେଳେ ପେସ୍ ବୋଲର ମିଳିତ ଭାବେ ୮ ଓଭରରୁ ୮୪ ରନ୍ଦେଇ କୌଣସି ୱିକେଟ ପାଇନଥିଲେ।
ଗିଲ୍ ଓ କାର୍ତ୍ତିକଙ୍କ ମାଡ଼ରେ ଜିତିଲା କଲକାତା
Popular Categories


