www.samajalive.in
Saturday, December 6, 2025
14.1 C
Bhubaneswar

ଆଇପିଏଲ୍‌ -୨୦୨୩ : ଆଜି ଗୁଜରାଟ ବନାମ ମୁମ୍ବଇ

ଅହମ୍ମଦାବାଦ : ମଙ୍ଗଳବାର ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ ଖେଳାଯିବ। ଏଠାରେ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳ ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଗତବର୍ଷର ଚମ୍ପିଆନ୍‌ ହୋଇଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ସର୍ବାଧିକ ୫ ଥର ଆଇପିଏଲ୍‌ ଜିତିଛି। ତେଣୁ ଉଭୟ ଦଳ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସ କରିବେ। ପୁଣି ଉଭୟ ଗୁଜରାଟ ଓ ମୁମ୍ବଇ ଏହି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ର ଉପରକୁ ଚଢ଼ିବାର ପ୍ରୟାସ କରିବେ। ଗୁଜରାଟ ଟାଇଟାନ୍‌ସ ୬ଟି ମ୍ୟାଚ୍‌ରୁ ୪ଟି ଜିତି ୮ ପଏଣ୍ଟ ସହ ସୁବିଧାଜନକ ସ୍ଥିତିରେ ରହିଛି। ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ୨ଟି ମ୍ୟାଚ୍ ହାରିବା ପରେ କ୍ରମାଗତ ୩ଟି ମ୍ୟାଚ୍‌ ଜିତିଥିଲା। ହେଲେ ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଏହାକୁ ୧୩ ରନ୍‌ରେ ହରାଇ ବିଜୟଧାରା ଭାଙ୍ଗିଦେଇଛି। ତେଣୁ ବିଜୟଧାରକୁ ଫେରିବା ଲକ୍ଷ୍ୟରେ ମୁମ୍ବଇ ଖେଳିବ। ପ୍ରଥମ ରାଉଣ୍ଡରେ ଏହା ଉଭୟ ଦଳଙ୍କର ଅନ୍ତିମ ମ୍ୟାଚ୍‌ ହେବ।
ଗୁଜରାଟ ଟାଇଟାନ୍‌ସ ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସଠାରୁ ହାରିଥିବା ବେଳେ ବାକି ୨ଟି ମ୍ୟାଚ୍‌ ଜିତିଛି। ଶେଷ ମ୍ୟାଚ୍‌ରେ ମାତ୍ର ୧୩୫ ରନ୍‌ କରିଥିଲେ ହେଁ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୭ ରନ୍‌ରେ ଗୁଜରାଟ ପରାସ୍ତ କରିଥିଲା। ଗୁଜରାଟ ଚଳିତ ସଂସ୍କରଣରେ ଥରେ ୨ ଶହ ରନ୍‌ ପାର କରିଥିଲେ ହେଁ ଉକ୍ତ ମ୍ୟାଚ୍‌ରେ ଏହା ପରାସ୍ତ ହୋଇଥିଲା। କେକେଆର୍‌ର ରିଙ୍କୁ ସିଂହ ଶେଷ ୫ଟି ବଲ୍‌ରୁ ୫ଟି ଛକାମାରି ଗୁଜରାଟକୁ ପରାସ୍ତ କରିଥିଲେ। ଗୁଜରାଟ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛି। ଓପ୍‌ନର ଶୁବ୍‌ମାନ ଗିଲ୍‌ ୬ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ସହ ସର୍ବାଧିକ ୨୨୮ ରନ୍‌ କରିଛନ୍ତି। ତାଙ୍କ ପଛକୁ ସାଇ ସୁଦର୍ଶନ ୧୭୬, ଋଦ୍ଧିମାନ ଶାହା ୧୩୭, ବିଜୟ ଶଙ୍କର ୧୨୯ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧୧୫ ରନ୍‌ କରିଛନ୍ତି। ଗତ ମ୍ୟାଚ୍‌ରେ ପାଣ୍ଡ୍ୟା ଲଢ଼ୁଆ ଅର୍ଦ୍ଧଶତକ ହାସଲକରି ଦଳକୁ ଜିତାଇଥିଲେ। ଗୁଜରାଟ ପାଇଁ ଆଫ୍‌ଗାନ ଲେଗ୍‌ସ୍ପିନର ରସିଦ୍‌ ଖାଁ ଚମ୍ପିଆନ୍‌ଙ୍କ ପରି ବୋଲିଂକରି ୬ଟି ମ୍ୟାଚ୍‌ରୁ ୧୨ଟି ୱିକେଟ ନେଇଛନ୍ତି। ପେସ୍ ବୋଲର ମହମ୍ମଦ ସାମି ମଧ୍ୟ ଭଲ ଫର୍ମରେ ଅଛନ୍ତି ଓ ୧୦ଟି ୱିକେଟ ନେଇଛନ୍ତି। ଆଲ୍‌ଜାରି ଜୋସେଫ୍‌ ୭ଟି ୱିକେଟ ନେଇଛନ୍ତି। ପେସ୍ ବୋଲର ମୋହିତ ଶର୍ମା ଗତ ୩ଟି ମ୍ୟାଚ୍‌ ଖେଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ୩ଟି ମ୍ୟାଚ୍‌ରୁ ୨ଟି​‌େ​‌ର ହରିୟାଣାର ମୋହିତ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି। ୩ଟିଯାକ ମ୍ୟାଚ୍‌ରେ ମୋହିତ ଶର୍ମା ଓଭର ପିଛା ୫ରୁ କମ୍ ରନ୍‌ ଦେଇଛନ୍ତି। ଡେଭିଡ୍‌ ମିଲର ଓ ରାହୁଲ ତିୱତିଆ ଉପଯୋଗୀ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର୍ କରି ପାରିନାହାନ୍ତି। ଗୁଜରାଟ ବ୍ୟାଟିଂ ମୁଖ୍ୟତଃ ଗିଲ୍‌, ହାର୍ଦିକ, ଡେଭିଡ୍‌ ମିଲରଙ୍କ ଉପରେ ନିର୍ଭରଶୀଳ। ଯଦି ଗୁଜରାଟ ୧୬୦ ପାଖାପାଖି ରନ୍ କରିପାରେ; ମୁମ୍ବଇ ବ୍ୟାଟିଂକୁ ରୋକିବା ପାଇଁ ବୋଲିଂ ଏହାର ରହିଛି। ଅନ୍ୟପକ୍ଷରେ ମୁମ୍ବଇରେ ଅଧିକ ତାରକା ଖେଳାଳି ରହିଛନ୍ତି। ତେବେ ଦଳ ପାଇଁ ସର୍ବାଧିକ ୨୧୭ ରନ୍‌ କରିଛନ୍ତି ଯୁବ ବ୍ୟାଟ୍‌ସମ୍ୟାନ୍ ତିଳକ ବର୍ମା। ଅଧିନାୟକ ରୋହିତ ଶର୍ମା ୨ଟି ମ୍ୟାଚ୍‌କୁ ଛାଡ଼ି ବଡ଼ ସ୍କୋର୍ କରି ପାରିନାହାନ୍ତି। ଈଶାନ୍ କିଷନ୍‌ଙ୍କ ପ୍ରଦର୍ଶନ ମଧ୍ୟ ସେହିପରି। ମୁମ୍ବଇ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ ଅଷ୍ଟ୍ରେଲୀୟ କାମେରନ୍ ଗ୍ରୀନ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଗ୍ରୀନ୍ ୨ଟି ଅର୍ଦ୍ଧଶତକ ହାସଲ କରି ସାରିଲେଣି। ତେବେ ଗତ ମ୍ୟାଚ୍‌ରେ ମୁମ୍ବଇ ପରାସ୍ତ ହୋଇଥିଲେ ହେଁ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସୂଚନା। କେକେଆର୍ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ୪୩ ରନ୍‌ କରିବା ପରେ ପଞ୍ଜାବ ବିପକ୍ଷ ଗତ ମ୍ୟାଚ୍‌ରେ ବିଧ୍ବଂସୀ ବ୍ୟାଟିଂକରି ମାତ୍ର ୨୬ ବଲ୍‌ରୁ ୫୭ ରନ୍‌ କରିଥିଲେ। ସେ ଆଉଟ୍‌ ହେବା ଯୋଗୁଁ ମୁମ୍ବଇ ବିଜୟରୁ ବଞ୍ଚିତ ହୋଇଥିଲା। ତେଣୁ ସୂର୍ଯ୍ୟକୁମାରଙ୍କୁ ରୋକିବା ଗୁଜରାଟ ପାଇଁ ଆହ୍ବାନ ହେବ। ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ର ପିଚ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସୁହାଇବ। ଦ୍ବିତୀୟାର୍ଦ୍ଧରେ ବୋଲର ଅଧିକ ଫାଇଦା ପାଉଥିବାରୁ ଟସ୍‌ ଜିତି ଉଭୟ ଦଳ ଫିଲ୍‌ଡିଂ ନା ବ୍ୟାଟିଂ ନେଉଛନ୍ତି; ତାହା ଦେଖିବାର କଥା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories