www.samajalive.in
Sunday, December 7, 2025
16.1 C
Bhubaneswar

ଅର୍ଦ୍ଧଶତକରେ ଶତକ ପୁରୁଷ

କଟକ  (କ୍ରୀଡ଼ା ବ୍ୟୁରୋ) : ଜଣେ କ୍ରୀଡ଼ାବିତ୍‌ଙ୍କ ୫୦ତମ ଜନ୍ମଦିନକୁ ନେଇ ଏତେ ଉନ୍ମାଦନା ଦେଶରେ କେବେ ବି ଦେଖିବାକୁ ମିଳିନଥିଲା। ଭାରତମାଟିରେ ବହୁତ ପ୍ରଥିତଯଶା କ୍ରୀଡ଼ାବିତ୍‌ ଜନ୍ମହୋଇ ଦେଶର ନାମକୁ ଉଚ୍ଚା କରିବା ସହ ଆମ ଛାତିକୁ ଗର୍ବରେ ଫୁଲାଇ ପାରିଛନ୍ତି। ହେଲେ ସଚିନ ତେନ୍ଦୁଲକର ଅନ୍ୟନ୍ୟ। ପୂର୍ବରୁ ନା ସଚିନ ଥିଲେ; ନା ଆଗକୁ ବାହାରିବେ। ସାଢ଼େ ୯ ବର୍ଷ ତଳେ କ୍ରିକେଟ୍‌କୁ ଅଲ୍‌ବିଦା କହିଥିବା ସଚିନଙ୍କୁ ଏବେ ବି କେବଳ ଭାରତ ନୁହେଁ; ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ଝୁରୁଛନ୍ତି ଏବଂ ଆଗକୁ ଝୁରୁଥିବେ ମଧ୍ୟ। କାରଣ ସଚିନ ତେନ୍ଦୁଲକର, ଲତା ମଙ୍କେସ୍‌କର, ଅମିତାଭ ବଚ୍ଚନଙ୍କ ପରି ବ୍ୟକ୍ତିତ୍ବ ଥରେ ଜନ୍ମ ନେଇଥାଆନ୍ତି। କେହି ବି ଏମାନଙ୍କ ସମକକ୍ଷ ହୋଇ ପାରିନାହାନ୍ତି। ବୋଧହୁଏ ଏମାନେ ଦୈବୀଶକ୍ତି ନେଇ ଧରାପୃଷ୍ଠକୁ ଆସିଥିଲେ ଏବଂ ସେମାନଙ୍କ କାମ ହିଁ ସେମାନଙ୍କୁ ଅଜସ୍ର ସୁନାମ ଆଣିଦେଇଛି।
ସଚିନ ତେନ୍ଦୁଲକର କେବଳ ଜଣେ କ୍ରିକେଟର ନୁହନ୍ତି; ସେ ଥିଲେ ଏକ ଭାବନା। ମ୍ୟାଚ୍‌ ତ ବହୁତ କ୍ରିକେଟର ଦେଶକୁ ଜିତାଇଛନ୍ତି। ହେଲେ ସଚିନ ହେଲେ ନିଆରା। ସଚିନ ଥିଲେ ବିଶ୍ବାସ ଅଛି। ସଚିନ ଅଛନ୍ତି ତ ଚିନ୍ତାନାହିଁ। ସଚିନ କ୍ରିଜ୍‌ରେ ଥିବା ବେଳେ ରାତି ଅନିଦ୍ରା ହୋଇ ଲୋକ ଖେଳ ଦେଖୁଥିଲେ। ପୁଣି ସେ କ୍ରିଜ୍‌​‌େ​ର ଥିଲେ କ୍ରିକେଟପ୍ରେମୀ ଏହା ଭାବି ଶୋଇ ଯାଉଥିଲେ ଯେ ସଚିନ ଅଛନ୍ତି; ସେ ଦଳକୁ ଜିତାଇଦେବେ। ଏହିପରି ୧୦୦ କୋଟିରୁ ଊର୍ଦ୍ଧ୍ବ କ୍ରିକେଟ‌େ​‌ପ୍ରମୀଙ୍କ ଆଶା ବିଶ୍ବାସ ନେଇ ସଚିନ ୨୪ ବର୍ଷ ଧରି ୨୨ ଗଜର ପିଚ୍‌ରେ ରାଜୁତି କରିଥିଲେ। ସଚିନ ରେକର୍ଡ କରୁନଥିଲେ; ରେକର୍ଡ ତାଙ୍କ ପଛରେ ଗୋଡ଼ାଉଥିଲା। ଦେଶକୁ ଜିତାଇବା ପାଇଁ ସେ ଖେଳୁଥିଲେ। କୀର୍ତ୍ତିମାନ ଆପେଆପେ ତାଙ୍କ ପାଦସ୍ପର୍ଶ କରୁଥିଲା। ସଚିନଙ୍କ ଯୋଗୁଁ ହିଁ କ୍ରିକେଟ୍‌କୁ ନାପସନ୍ଦ କରୁଥିବା ବ୍ୟକ୍ତି କ୍ରିକେଟ୍‌ ପ୍ରତି ଆକୃଷ୍ଟ ହୋଇଥିଲେ। ସଚିନଙ୍କ ଯୋଗୁଁ ହିଁ ବସିବାକୁ ଗ୍ୟାଲେରୀରେ ଜାଗା ମିଳୁନଥିଲା। ସଚିନଙ୍କ ପ୍ରହାର ଯୋଗୁଁ ବିଶ୍ବର ନାମୀ ବୋଲରଙ୍କ ଆଖିରୁ ନିଦ ହଜି ଯାଇଥିଲା। ସଚିନ ୧୯୮୯ରୁ ୨୦୧୩ ପର୍ଯ୍ୟନ୍ତ ଏପରି ସମୟରେ କ୍ରିକେଟ୍‌ ଖେଳୁଥିଲେ; ଯେତେବେଳେ କ୍ରିକେଟ୍‌ ଇତିହାସର ଶ୍ରେଷ୍ଠ ବୋଲର ଖେଳୁଥିଲେ। ପେସ୍‌ ବୋଲରଙ୍କ ମଧ୍ୟରେ କର୍ଟଲି ଆ‌େ‌ମ୍ବ୍ରାଜ୍, କର୍ଟନି ୱାଲ୍‌ସ, ଇଆନ୍ ବିଶପ୍, ଗ୍ଲେନ୍‌ ମ୍ୟାକ୍‌ଗ୍ରା, ଷ୍ଟିଭେନ୍ ଫ୍ଲେମିଂ, ଜେସନ୍ ଗିଲେସ୍ପି, ଜେମ୍‌ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌, ଇମ୍ରାନ୍ ଖାଁ, ୱାସିମ୍ ଆକ୍ରମ୍, ୱକାର ୟୁନୁସ୍ ଏବଂ ସ୍ପିନର ଭାବେ ଦୁଇ କିମ୍ବଦନ୍ତୀ ସେନ୍ ୱାର୍ଣ୍ଣ, ମୁଥେୟା ମୁରଲୀଧରନ୍‌, ଅବ୍‌ଦୁଲ କାଦିର ପ୍ରଭୃତି ଖେଳୁଥିଲେ। ସେମାନଙ୍କ ମୁକାବିଲା କରି ୧୦୦ ଆନ୍ତର୍ଜାତିକ ଶତକ ମାରି ସଚିନ ପ୍ରମାଣ କରିଥିଲେ ଯେ ସେ ଅନ୍ୟନ୍ୟ। ତାଙ୍କ ସମୟରେ ତାଙ୍କ ଭଳି କୌଣସି ବ୍ୟାଟ୍‌ସମ୍ୟାନ୍ ନଥିଲେ। ପ୍ରଥମ କ୍ରୀଡ଼ାବିତ୍‌ ଭାବେ ‘ଭାରତରତ୍ନ’ ପାଇବା ମଧ୍ୟ ସଚିନଙ୍କ ମହାନତାର ପରିଚାୟକ। ୨୦୧୧ରେ ଭାରତ ୨ୟ ଥର ଦିନିକିଆ ବିଶ୍ବକପ୍‌ ଜିତିବା ପରେ ସାଥୀ ଖେଳାଳି ଟ୍ରଫିକୁ ସଚିନଙ୍କ ନାମରେ ଉତ୍ସର୍ଗ କରିଥିଲେ। ୧୦୦ ଆନ୍ତର୍ଜାତିକ ଶତକର କୀର୍ତ୍ତିମାନର ଅଧିକାରୀ ସଚିନ ପ୍ରକୃତରେ ଜଣେ ଯୋଗଜନ୍ମା।
ଆମେ କ୍ରିକେଟ୍‌ କିମ୍ବଦନ୍ତୀ ଡନ୍ ବ୍ରାଡ୍‌ମ୍ୟାନଙ୍କୁ ଦେଖିନାହୁଁ। ହେଲେ ନିଜେ ବ୍ରାଡ୍‌ମ୍ୟାନ୍ କହିଥିଲେ ଯେ ସଚିନ ଠିକ୍‌ ତାଙ୍କ ପରି ବ୍ୟାଟିଂ କରୁଛନ୍ତି। ଏଥିରୁ ହିଁ ସଚିନଙ୍କ ମହାନତା ପ୍ରମାଣିତ। ୨୦୧୩ ନଭେମ୍ବରରେ ତାଙ୍କର ସହରର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଜୀବନର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍‌ ସଚିନ୍ ଖେଳିଥିଲେ। ଏହା ସତ ଯେ କିମ୍ବଦନ୍ତୀ କଦାପି ଅବସର ନିଅନ୍ତିନାହିଁ। ମହମ୍ମଦ୍‌‌ ଅଲୀ, ପେଲେ, ଡନ୍‌‌ ବ୍ରାଡ୍‌‌ମ୍ୟାନ ବା ଧ୍ୟାନଚାନ୍ଦ ଏବେ ବି କ୍ରୀଡ଼ାପ୍ରେମୀଙ୍କ ପାଖରେ ପୂଜା ପାଉଛନ୍ତି। ସଚିନ କେଇ ଶତାବ୍ଦୀ ଧରି ଆମ ହୃଦୟରେ ରାଜୁତି କରିବେ, ଆମ ପାଇଁ ପ୍ରେରଣା ପାଲଟିବେ ଓ ଉଦାହରଣ ହୋଇ ରହିବେ। କ୍ରିକେଟ୍‌‌ରେ ଶ୍ରେଷ୍ଠତ୍ବ କଥା ଉଠିଲେ; ସଚିନଙ୍କ ଉଦାହରଣ ହିଁ ଦିଆଯାଏ। ବ୍ୟାଟିଂ ରେକର୍ଡ ବହିର ଶୀର୍ଷରେ ଏହି ମହାରଥୀଙ୍କ ନାମ ରହିଛି। ନିଜେ ସଚିନ କହିଥିଲେ ଯେ କୌଣସି ବ୍ୟକ୍ତି କ୍ରୀଡ଼ାଠାରୁ ବଡ଼ ନୁହନ୍ତି। ୨୪ ବର୍ଷ ଧରି ବ୍ୟାଟିଂକୁ ନୂଆ ଅର୍ଥ ଦେଇଥିଲେ ସେ। କ୍ରିକେଟ୍‌‌ର ମାନଦଣ୍ଡ ଏତେ ଉଚ୍ଚ କରିଛନ୍ତି ଯେ ସେଠାରେ ପହଞ୍ଚିବା ଅନ୍ୟ କ୍ରିକେଟରଙ୍କ ପାଇଁ ଅସମ୍ଭବ। ପ୍ରକୃତରେ କ୍ରିକେଟ୍‌‌ରେ ସଚିନଙ୍କ କୃତିତ୍ବକୁ ବଖାଣିବା ପାଇଁ ଶବ୍ଦ ନିଅଣ୍ଟ ହୁଏ; ବିଶ୍ଲେଷଣସବୁ ସରିଯାଏ; ସମ୍ବାଦପତ୍ରର ପୃଷ୍ଠା ବି କମ୍‌‌ ପଡ଼ିଯାଏ। ସଚିନଙ୍କ ଯୋଗୁଁ ହିଁ ବିଦେଶରେ ଭାରତ ବିଜୟୀ ହେବା ଆରମ୍ଭ କରିଥିଲା ଏବଂ ବିଦେଶର ଦୁର୍ଦ୍ଧର୍ଷ ଫାଷ୍ଟବୋଲରଙ୍କୁ ଭାରତୀୟ ନାଲିଆଖି ଦେଖାଇବା ଶିଖିଥିଲେ। ୧୯୮୯ରୁ ୨୦୧୩ ‘ସଚିନ ଯୁଗ’ ବୋଲି କୁହାଯିବ। ଭାରତୀୟ କ୍ରିକେଟ୍‌‌ରେ ଆଗକୁ ସଚିନଙ୍କଠାରୁ ଭଲ ବ୍ୟାଟ୍‌‌ସମ୍ୟାନ୍‌‌ ଆସିପାରନ୍ତି; ଅଧିକ ବ୍ୟାଟିଂ ରେକର୍ଡ ହାସଲ କରିପାରନ୍ତି। ହେଲେ ସଚିନ ତେନ୍ଦୁଲକର କେହି ହୋଇପାରିବେ ନାହିଁ। ସେ ହେଉଛନ୍ତି ଅନନ୍ୟ ଓ ଅତୁଳନୀୟ। ୮୦ ଦଶକରୁ ବିସ୍ମୟ ବାଳକ ସଚିନ ତେନ୍ଦୁଲକରଙ୍କ ପ୍ରଚଣ୍ଡ ପ୍ରତିଭା ହେଉ ବା ୧୯୮୯ରୁ ୨୪ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ୍‌‌ରେ ଏହି ଲିଟ୍‌‌ଲ ମାଷ୍ଟରଙ୍କ କୃତିତ୍ବ; ସବୁକିଛି ଆମର ପୃଷ୍ଠାମଣ୍ଡନ କରିଥିଲା। ତାଙ୍କର ୧୦୦ ଆନ୍ତର୍ଜାତିକ ଶତକ ନେଇ ଭାରତୀୟ କ୍ରିକେଟପ୍ରେମୀ ଯେତିକି ଗର୍ବ ଅନୁଭବ କରିଥିଲେ; ତାହା ବଖାଣିବାରେ ଆମ ଛାତି ସେତିକି ଫୁଲି ଉଠିଥିଲା। ସର୍ବାଧିକ ରନ୍, ସର୍ବାଧିକ ଶତକ ଓ ସର୍ବାଧିକ ଅର୍ଦ୍ଧଶତକର କୀର୍ତ୍ତିମାନ ସଚିନଙ୍କ ନାମରେ। କିଛି କୀର୍ତ୍ତିମାନ ଭାଙ୍ଗିବ ନିଶ୍ଚୟ। ହେଲେ କେହି ସଚିନ ହୋଇପାରିବେ ନାହିଁ। ଆସନ୍ତୁ, ୫୦ତମ ଜନ୍ମଦିନରେ ସଚିନଙ୍କୁ ସ୍ମରଣକରି ଆମ ମୁହଁରେ ହସ ଫୁଟାଇ ପାରିଥିବାରୁ ତାଙ୍କୁ କୃତଞ୍ଜତା ଜଣାଇବା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories