www.samajalive.in
Tuesday, December 9, 2025
16.1 C
Bhubaneswar

ଆଇପିଏଲ୍ ବ୍ରାଣ୍ଡ୍‍ ମୂଲ୍ୟ ୪୩୨୫୦ କୋଟି ଛୁଇଁଲା

ମୁମ୍ବଇ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍‍) ଏକାଦଶ ବର୍ଷରେ ପଦାର୍ପଣ କରିଛି। ଏହି ସମୟ ମଧ୍ୟରେ ଆଇପିଏଲର ବ୍ରାଣ୍ଡ୍‍ ମୂଲ୍ୟ ୬.୩ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୩,୨୫୦ କୋଟି ଟଙ୍କା)ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କର୍ପୋରେଟ୍‍ ଫାଇନାନ୍ସ କମ୍ପାନୀ ଡଫ୍‍ ଆଣ୍ଡ୍‍ ଫେଲପ୍‍ସ ଦ୍ୱାରା ପ୍ରସ୍ତୁତ ରିପୋର୍ଟରୁ ଜଣାପଡିଛି। ଦର୍ଶକ, ପ୍ରାୟୋଜକ, ବିଜ୍ଞାପନ ଓ ପ୍ରସାରଣ ବ୍ୟବସ୍ଥାରେ ଘଟୁଥିବା ଉନ୍ନତିକୁ ନେଇ ବ୍ରାଣ୍ଡ୍‍ ମୂଲ୍ୟ ଆକଳନ କରାଯାଇଥାଏ। ୨୦୧୮ରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଷ୍ଟାର ଇଣ୍ଡିଆକୁ ପ୍ରସାରଣ ଅଧିକାର ମିଳିଛି। ଷ୍ଟାର ଇଣ୍ଡିଆ ୧୬,୩୪୭.୫ କୋଟି ଟଙ୍କାରେ ଆଗାମୀ ପାଞ୍ଚବର୍ଷ ପାଇଁ ଆଇପିଏଲ ପ୍ରସାରଣ ଅଧିକାର ହାସଲ କରିଛି। ବିଶ୍ୱର ଅନ୍ୟ ନାମୀ ଟୁର୍ଣ୍ଣାମେଣ୍ଟରେ ପ୍ରଚଳିତ ପ୍ରସାରଣ ଅଧିକାର ମୂଲ୍ୟ ସହ ଏହା ପ୍ରାୟ ସମାନ ବୋଲି ଜଣାପଡିଛି। ଦୁଇ ବର୍ଷର ବାସନ୍ଦାଦେଶ ଶେଷ ହେବାପରେ ଚଳିତବର୍ଷ ଚେନ୍ନଇ ସୁପର କିଙ୍ଗ୍‍ସ ଓ ରାଜସ୍ଥାନ ରୟାଲ୍‍ସ ପୁଣି ଆଇପିଏଲ ମାନଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଆଇପିଏଲର ମୋଟ ଆଠଟି ଦଳ ମଧ୍ୟରୁ ନୀତା ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ମୁମ୍ବଇ ଇଣ୍ଡିଆନ୍‍ସ ଦଳର ବ୍ରାଣ୍ଡ୍‍ ମୂଲ୍ୟ ସବୁଠାରୁ ଅଧିକ ଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ମୁମ୍ବଇ ଇଣ୍ଡିଆନ୍‍ସର ବ୍ରାଣ୍ଡ୍‍ ମୂଲ୍ୟ ୧୧୩ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୭୭୭ କୋଟି ଟଙ୍କା) ହୋଇଥିବାବେଳେ ତା’ ପଛକୁ କଲକାତା ନାଇଟ ରାଇଡର୍ସ (୧୦୪ ନିୟୁତ ଡଲାର-୭୧୫ କୋଟି) ଦ୍ୱିତୀୟ ସ୍ଥାନରେ ରହିଛି। କେବଳ ଏହି ଦୁଇଟି ଦଳର ବ୍ରାଣ୍ଡ୍‍ ମୂଲ୍ୟ ଏକ ଶହ ନିୟୁତ ଡଲାର ଅତିକ୍ରମ କରିଥିବାବେଳେ ତୃତୀୟ ସ୍ଥାନରେ ଯୁଗ୍ମଭାବେ ଚେନ୍ନଇ ସୁପର କିଙ୍ଗ୍‍ସ ଓ ରାଜସ୍ଥାନ ରୟାଲ୍‍ସ (ପ୍ରତ୍ୟେକ ୯୮ ନିୟୁତ ଡଲାର-୬୭୪ କୋଟି ଟଙ୍କା), ଚତୁର୍ଥ ସ୍ଥାନରେ ସନରାଇଜର୍ସ ହାଇଦରାବାଦ (୭୦ ନିୟୁତ ଡଲାର-୪୮୦ କୋଟି), ପଞ୍ଚମ ସ୍ଥାନରେ ଯୁଗ୍ମଭାବେ ଦିଲ୍ଲୀ ଡେୟାରଡେଭିଲ୍‍ସ ଓ କିଙ୍ଗ୍‍ସ ଏକାଦଶ ପଞ୍ଜାବ (ପ୍ରତ୍ୟେକ ୫୨ ନିୟୁତ ଡଲାର-୩୫୭ କୋଟି) ଓ ରାଜସ୍ଥାନ ରୟାଲ୍‍ସ (୪୩ ନିୟୁତ ଡଲାର-୨୯୫ କୋଟି) ଷଷ୍ଠ ସ୍ଥାନରେ ରହିଛି।
ଷ୍ଟାର ଇଣ୍ଡିଆକୁ ପ୍ରସାରଣ ଅଧିକାର ମିଳିବାପରେ ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ ଆଶାତୀତଭାବେ ଊର୍ଦ୍ଧ୍ବଗାମୀ ହୋଇପାରିଛି ବୋଲି ଡଫ୍‍ ଓ ଫେଲପ୍‍ସର ପରିଚାଳନା ନିର୍ଦେଶକ ବରୁଣ ଗୁପ୍ତା କହିଛନ୍ତି। ଚଳିତବର୍ଷ ଏଥିଯୋଗୁଁ ଆଠଟି ଆଞ୍ଚଳିକ ଭାଷାର ଟିଭି ଚ୍ୟାନେଲରେ ଆଇପିଏଲ ମ୍ୟାଚ ପ୍ରସାରିତ ହୋଇଥିବାବେଳେ ଟିଭି ଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ଆଇପିଏଲ ମ୍ୟାଚ କେବଳ କ୍ରୀଡା ଚ୍ୟାନେଲରେ ପ୍ରସାରିତ ହେଉଥିବା ବେଳେ ଇଂରାଜୀ ଏବଂ ହିନ୍ଦୀରେ ଧାରାବିବରଣୀ ପ୍ରଦାନ କରାଯାଉଥିଲା। ଆଞ୍ଚଳିକ ଭାଷାରେ ପ୍ରସାରିତ ହେବାପରେ ଅଧିକରୁ ଅଧିକ ସଂଖ୍ୟକ ଦର୍ଶକ ଆଇପିଏଲ ପ୍ରତି ଆକର୍ଷିତ ହୋଇଥିବା ଜଣାପଡିଛି। ଏହାବ୍ୟତୀତ ଡିଜିଟାଲ ପ୍ରସାରଣ ଓ ବିଦେଶରେ ଆଇପିଏଲ ମ୍ୟାଚର ପ୍ରସାରଣ ପରିସୀମାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଭାରତରେ କ୍ରିକେଟ ସବୁଠାରୁ ଲୋକପ୍ରିୟ କ୍ରୀଡାର ମାନ୍ୟତା ପାଉଥିବାବେଳେ ଏହାର ସୁଦୂରପ୍ରସାରୀ ମାର୍କେଟିଂ ନୀତି ଯୋଗୁଁ ଆଇପିଏଲ ବର୍ତ୍ତମାନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଓ ଲାଭଜନକ କ୍ରିକେଟ ଟୁର୍ଣ୍ଣାମେଣ୍ଟଭାବେ ପରିଗଣିତ ହୋଇପାରିଛି। ଆଇପିଏଲର ବ୍ରାଣ୍ଡ ମୂଲ୍ୟ ବୃଦ୍ଧିରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗତବର୍ଷ ଆଇପିଏଲର ପ୍ରଥମ ସପ୍ତାହରେ୬,୪୨,୦୦୦ ଦର୍ଶକ ସାମାଜିକ ଗଣମାଧ୍ୟମରେ ମ୍ୟାଚ ଉପଭୋଗ କରିଥିବାବେଳେ ଏବର୍ଷ ଆଇପିଏଲର ପ୍ରଥମ ସପ୍ତାହରେ ଏହି ସଂଖ୍ୟା ୮,୫୫,୦୦୦କୁ ବୃଦ୍ଧି ପାଇଥିବା ଜଣାପଡିଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories