www.samajalive.in
Monday, December 15, 2025
26.1 C
Bhubaneswar

ଆଜି ରାଜସ୍ଥାନ-ଆର୍‌ସିବି ଏଲିମିନେଟର ମୁକାବିଲା

ଅହମ୍ମଦାବାଦ: ବୁଧବାର ଏଠାରେ ଆଇପିଏଲ୍‌ର ଏଲିମିନେଟର ବା ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳାଯିବ। ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟ​ରେ ଏହି ମୁକାବିଲା ହେବ। ଲିଗ୍‌ ପର୍ଯ୍ୟାୟରେ ରାଜସ୍ଥାନ ୩ୟ ଓ ଆର୍‌ସିବି ୪ର୍ଥ ସ୍ଥାନରେ ରହିଥିଲା। ତେବେ ପ୍ଲେଅଫ୍‌କୁ ଉଭୟ ଦଳର ଯାତ୍ରା ବେଶ୍‌ ରୋଚକ ଥିଲା। ରାଜସ୍ଥାନ ପ୍ରଥମ ୯ଟି ଲିଗ୍‌ ମ୍ୟାଚ୍‌ରୁ ୮ଟି ଜିତି ଟେବୁଲ୍‌ର ଶୀର୍ଷ ସ୍ଥାନରେ ରହିଥିଲା। ହେଲେ ଶେଷ ୫ଟି ମ୍ୟାଚ୍‌ରୁ ରାଜସ୍ଥାନ ଗୋଟିଏ ମଧ୍ୟ ଜିତି ପାରିନାହିଁ। ହେଲେ ଆର୍‌ସିବି ପ୍ରଥମ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତି ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିଲା। ଏହା ପରଠାରୁ ଆର୍‌ସିବି ପାଇଁ ବାକି ୬ଟିଯାକ ମ୍ୟାଚ୍‌ ନକ୍‌ଆଉଟ୍‌ ଥିଲା। ଗୋଟିଏ ପରାଜୟ ଏହାକୁ ବିଦାୟ ଦେଇଥାଆନ୍ତା। ହେଲେ ଆର୍‌ସିବି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଶେଷ ୬ଟିଯାକ ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ସ୍ଥାନ ନିଶ୍ଚିତ କରିପାରିଛି। ତେଣୁ ମନୋବଳ ଦୃଷ୍ଟିରୁ ଆର୍‌ସିବି ବହୁତ ଉପରେ ରହିଛି। ୯ମ ମ୍ୟାଚ୍‌ ପରେ ପୂର୍ବତନ ଚମ୍ପିଆନ୍ ରାଜସ୍ଥାନ ରୟାଲ୍‌ସର ପ୍ରଦର୍ଶନ ନିମ୍ନଗାମୀ ହେବା ଏହାକୁ ଚିନ୍ତାରେ ପକାଇଛି।

ଉଭୟ ରାଜସ୍ଥାନ ଓ ଆର୍‌ସିବି ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରି। ଯେଉଁ ଦଳ ପରାସ୍ତ ହେବ; ଏହା ବିଦାୟ ନେବ। ଏପ୍ରିଲ ୬ରେ ଉଭୟ ଦଳଙ୍କ ମଧ୍ୟରେ ଲିଗ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଆର୍‌ସିବି ଓପ୍‌ନିଂ ଯୋଡ଼ିରେ ୧୨୫ ରନ୍‌ କରିବା ସହ ଏହାର ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଅପରାଜିତ ୧୧୩ ରନ୍‌ କରିଥିଲେ। ଏହା ୩/୧୮୩ ରନ୍‌ କରିଥିଲା। ପରେ ଓପ୍‌ନର​‌ ଜୋସ୍ ବଟ୍‌ଲରଙ୍କ ଅପରାଜିତ ଶତକ ଓ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ଦ୍ରୁତ ୬୯ ରନ୍‌ ବଳରେ ରାଜସ୍ଥାନ ୬ ୱିକେଟ୍‌ରେ ଜିତିଥିଲା। ଉକ୍ତ ପରାଜୟର ପ୍ରତିଶୋଧ ନେବାକୁ ଆର୍‌ସିବି ନିଶ୍ଚୟ ପ୍ରୟାସ କରିବ। ତେବେ ରାଜସ୍ଥାନ ପାଇଁ ଏହା ଦୁଃସମ୍ବାଦ ଯେ ବଟ୍‌ଲର ସ୍ବଦେଶ ଫେରି ଯାଇଛନ୍ତି। ତେଣୁ ତାଙ୍କ ସ୍ଥାନ ପୂରଣ କରିବା ଦଳ ପାଇଁ ସହଜ ହେବନାହିଁ। ଅନ୍ୟପକ୍ଷରେ ଆର୍‌ସିବି ଚମତ୍କାର ଫର୍ମରେ ରହିଛି। ଦୁଇ ଓପ୍‌ନର ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ଭଲ ବ୍ୟାଟିଂ କରୁଛନ୍ତି। ମଧ୍ୟକ୍ରମରେ ରଜତ ପଟିଦାର, କାମେରନ୍ ଗ୍ରୀନ୍, ଦିନେଶ କାର୍ତ୍ତିକ ଭଲ ବ୍ୟାଟିଂ କରୁଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ ଗତ ମ୍ୟାଚ୍‌ରେ ଭଲ ଇନିଂସ ଖେଳିଥିଲେ। ବିରାଟ କୋହଲି ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ୧୪ଟି ଇନିଂସରୁ ୬୪.୪ ଆଭ୍‌ରେଜରେ ୧ ଶତକ ଓ ୫ଟି ଅର୍ଦ୍ଧଶତକ ସହ ସର୍ବାଧିକ ୭୦୮ ରନ୍‌ କରିଛନ୍ତି। ୧୫୫.୬ ଷ୍ଟ୍ରାଇକ୍‌ରେଟ୍‌ରେ କୋହଲି ରନ୍‌ କରିବା ସହ ୩୭ଟି ଛକା ମାରିଛନ୍ତି। ଡୁ ପ୍ଲେସି ୪ଟି ଅର୍ଦ୍ଧଶତକ ସହ ୪୬୧ ରନ୍‌ କରିଛନ୍ତି। ୫ଟି ଅର୍ଦ୍ଧଶତକ ମାରି ପଟିଦାର ୩୬୧ ଓ ଦିନେଶ କାର୍ତ୍ତିକ ୩୧୫ ରନ୍‌ କରିଛନ୍ତି। ଦୁଇ ବିଦେଶୀ ୱିଲ୍‌ ଜ୍ୟାକ୍‌ସ ଓ କାମେରନ୍ ଗ୍ରୀନ୍‌ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ବୋଲିଂରେ ୟଶ ଦୟାଲ ୧୫ ଓ ମହମ୍ମଦ ସିରାଜ୍ ୧୩ଟି ୱିକେଟ୍‌ ନେଇଛନ୍ତି। ଗ୍ରୀନ୍ ଓ ଲୋକି ଫର୍ଗୁସନ୍ ଭଲ ବୋଲିଂ କରୁଛନ୍ତି। କର୍ଣ୍ଣ ଶର୍ମା ସ୍ପିନ୍ ବୋଲିଂ ବିଭାଗ ସମ୍ଭାଳିବେ। ରାଜସ୍ଥାନ ପାଇଁ ଚିନ୍ତାର ବିଷୟ ଯେ ଯଶସ୍ବୀ ଜୟସୱାଲ୍‌ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ନିୟମିତ ରନ୍ କରି ପାରିନଥିଲେ। ଦଳର ଦୁଇ ବ୍ୟାଟିଂ ତାରକା ହେଲେ ସଞ୍ଜୁ ସାମ୍‌ସନ ଓ ରିୟାନ୍ ପରାଗ। ଦୁହେଁ ୫୦୦ରୁ ଅଧିକ ରନ୍‌ କରିଛନ୍ତି। ସିମ୍ରନ୍ ହେତ୍‌ମେୟର ବହୁତ କମ୍‌ ବ୍ୟାଟିଂର ସୁଯୋଗ ପାଇଛନ୍ତି। ଉପରୋକ୍ତ ୪ ଜଣଙ୍କୁ ଛାଡ଼ି ରାଜସ୍ଥାନର କେହି ବଡ଼ ସ୍କୋର୍‌ କରି ପାରିନାହାନ୍ତି। ଆଶା ଅନୁସାରେ ରାଜସ୍ଥାନ ପାଇଁ ଚମତ୍କାର ବୋଲିଂକରି ୟୁଜବେନ୍ଦ୍ର ଚହଲ ସର୍ବାଧିକ ୧୭ଟି ୱିକେଟ୍‌ ନେଇଛନ୍ତି। ଟ୍ରେଣ୍ଟ୍‌ ବୋଲଟ୍‌ ନିୟମିତ ଭାବେ ନୂଆ ବଲ୍‌ରେ ୱିକେଟ୍‌ ନେଉଛନ୍ତି। ଆଭେସ୍ ଖାଁ ଶେଷ ଆଡ଼କୁ ଭଲ ବୋଲିଂ କରୁଛନ୍ତି। ସନ୍ଦୀପ ଶର୍ମା ଫିଟ୍‌ ହୋଇ ଫେରିବା ପରେ ଚମ୍ପିଆନ୍‌ଙ୍କ ପରି ବୋଲିଂ କରୁଛନ୍ତି। ତେଣୁ ବୋଲିଂ ବିଭାଗରେ ଆର୍‌ସିବି ଅପେକ୍ଷା ରାଜସ୍ଥାନ ମଜ୍‌ଭୁତ ଅଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories