ଅହମ୍ମଦାବାଦ : ପ୍ରଥମଥର ଆଇପିଏଲ୍ର ଫାଇନାଲ ମ୍ୟାଚ୍ ଅତିରିକ୍ତ ଦିବସକୁ ଯାଇଛି। ରବିବାର ଏଠାରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଓ ୪ ଥର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବାର ଥିଲା। ହେଲେ ସନ୍ଧ୍ୟାରୁ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍ ଆରମ୍ଭ ହୋଇ ପାରିନଥିଲା। ଟସ୍ ମଧ୍ୟ ପଡ଼ିନଥିଲା। ଫଳରେ ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ସୋମବାର ଅତିରିକ୍ତ ଦିନରେ ଫାଇନାଲ ମ୍ୟାଚ୍ ଖେଳାଯିବ। ରବିବାର ସନ୍ଧ୍ୟାରେ ୨ ଥର ବର୍ଷା ବନ୍ଦ ହୋଇଥିଲା ଏବଂ ଗ୍ରାଉଣ୍ଡସମ୍ୟାନ୍ ପଡ଼ିଆ ଶୁଖାଇବା ଲାଗି ପ୍ରୟାସ କରିଥିଲେ। ହେଲେ ବର୍ଷା ପୁଣି ଆରମ୍ଭ ହୋଇ ଯାଇଥିଲା। ଏତେ ବର୍ଷା ହୋଇଥିଲା ଯେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପଡ଼ିଆରେ ୬ ଇଞ୍ଚ୍ର ପାଣି ଜମା ହୋଇଥିଲା। ନିୟମ ଅନୁସାରେ; ପୂରା ଖେଳ ହେବା ଲାଗି ମ୍ୟାଚ୍ ରାତି ୯.୩୫ରେ ଆରମ୍ଭ ହେବାର ଥିଲା। ୫ ଓଭର ମ୍ୟାଚ୍ ପାଇଁ ରାତି ୧୨.୦୬ରେ ଖେଳ ଆରମ୍ଭ ହେବାର ଥିଲା। ହେଲେ ରାତି ୧୦.୫୦ଟା ସୁଦ୍ଧା ବର୍ଷା ନ ଛାଡ଼ିବାରୁ ଅମ୍ପାୟାର ଦିନର ଖେଳକୁ ବାତିଲ କରିଥିଲେ।
Popular Categories



