୩୭୦ ଧାରା ଉଚ୍ଛେଦ ପ୍ରସ୍ତାବ ନାହିଁ: କେନ୍ଦ୍ର

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ସମ୍ବିଧାନର ଧାରା ୩୭୦କୁ ବର୍ତ୍ତମାନ ଉଚ୍ଛେଦ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଆହିର ମଙ୍ଗଳବାର ଲୋକସଭାରେ ସୂଚନା ଦେଇଛନ୍ତି। ସମ୍ବିଧାନର ଏହି ଧାରାକୁ ଉଚ୍ଛେଦ କରିବାର କୌଣସି ପ୍ରସ୍ତାବ ରହିଛି କି ନାହିଁ, ସେ ସମ୍ପର୍କରେ ବିଜେପି ସାଂସଦ ଅଶ୍ୱିନୀ କୁମାର ପଚାରିଥିବା ପ୍ରଶ୍ନର ଜବାବରେ ଆହିର ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା ଯେ ଦଳ କ୍ଷମତାକୁ ଆସିଲେ ୩୭୦ ଧାରାକୁ ଉଚ୍ଛେଦ କରାଯିବ। ତେବେ ୨୦୧୫ରୁ ଜାମ୍ମୁ କାଶ୍ମୀରରେ ପିଡିପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ବିଜେପି ଅଂଶୀଦାର ରହିଛି। ତେଣୁ ମେଣ୍ଟ ହେବା ପରଠାରୁ ବିଜେପି ଆଉ ଏହି ଧାରାକୁ ଉଚ୍ଛେଦ କରିବାର ନାଁ ଧରୁନାହିଁ। ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର କିଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଶ୍ନ କରିଥିଲେ। ଜବାବରେ ଆହିର କହିଛନ୍ତି ଯେ ଜାମ୍ମୁ କାଶ୍ମୀର ପାଇଁ ମଧ୍ୟସ୍ଥି ନିଯୁକ୍ତ ହୋଇଥିବା ଦିନେଶ୍ୱର ଶର୍ମା ଇତିମଧ୍ୟରେ ଏକାଧିକ ଥର ସେଠାକୁ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିସାରିଲେଣି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ ହେଉଥିବା ପରିପ୍ରେକ୍ଷୀରେ ସୀମା ସଂଲଗ୍ନ ଅଞ୍ଚଳରେ ବଙ୍କର ନିର୍ମାଣ କରିବା ସହ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ଦିନେଶ୍ୱର ସରକାରଙ୍କୁ ପରାମର୍ଶ ଦେଇଥିବା ଆହିର କହିଛନ୍ତି। କାଶ୍ମୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ସବୁ ବର୍ଗର ଲୋକଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆହିର ସୂଚନା ଦେଇଛନ୍ତି।

Leave A Reply