ସମାଜ ପୋର୍ଟାଲ ଡେସ୍କ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ଡିଜିଟାଲ ମାଧ୍ୟମ ଜରିଆରେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଅଭିମତ ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ ସାରା ବିଶ୍ୱରେ ୨୦୧୫ ମସିହା ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା କିନ୍ତୁ ଆଜି ପ୍ରଥମ ଥର ପାଇଁ ଏହା ଡିଜିଟାଲ ମାଧ୍ୟମରେ ପାଳନ କରାଯାଉଛି। ୨୦୧୪ ଡିସେମ୍ବର ୧୧ରେ ଜାତିସଂଘ ସାଧାରଣ ସଭାରେ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ସର୍ବସମ୍ମତି ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଯୋଗ ଦିବସ ଏକଜୁଟ ରହିବାର ବାର୍ତ୍ତା ଦେଇଥାଏ ଓ ଏହା ବିଶ୍ୱ ବନ୍ଧୁତ୍ୱର ବାର୍ତ୍ତା ପ୍ରସାର କରାଇଥାଏ। ସେ କହିଛନ୍ତି ଯେ ଯାହା ଆମକୁ ନିକଟତର ହେବ ଶିଖାଇଥାଏ ତାହା ଯୋଗ ଅଟେ। ମୋଦୀ କହିଛନ୍ତି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱର କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ଲୋକମାନେ My Life – My Yoga ଭିଡିଓ ପ୍ରତିଯୋଗିତାରେ ଭାଗ ନେବା ଯୋଗ ପ୍ରତି ଥିବା ଉତ୍ସାହ ପ୍ରତିପାଦନ କରୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବାର ମଧ୍ୟରେ ଛୋଟ ପିଲା, ଯୁବକ, ବୃଦ୍ଧ ସମସ୍ତେ ଯୋଗ ମାଧ୍ୟମରେ ଯୋଡି ହେବ ଫଳରେ ଗୃହ ମଧ୍ୟରେ ଏକ ଶକ୍ତିର ସଂଚାର ହୋଇଥାଏ ତେଣୁ ଆଜିର ଯୋଗ ଦିବସ ଭାବନାତ୍ମକ ଭାବେ ପାରିବାରିକ ସମ୍ପର୍କ ଦୃଢ କରିବାରେ ସହାୟକ ହୋଇଥାଏ। ସେ କହିଛନ୍ତି ଯେ କରୋନା ଭୁତାଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମର ଶ୍ୱାସକ୍ରିୟା ବ୍ୟବସ୍ଥା ଉପରେ ପ୍ରଭାବ ପକାଉଥିବାରୁ ଶ୍ୱାସକ୍ରିୟା ସମ୍ପର୍କିତ ପ୍ରାଣାୟାମ ଅତ୍ୟନ୍ତ ଉପଯୋଗୀ ଅଟେ।
ସମସ୍ତେ ଦୈନିକ ବ୍ୟାୟାମ ସୂଚୀରେ ଅନୁଲୋମ ଵିଲୋମ ଭଳି ପ୍ରଣାୟମ ବ୍ୟବସ୍ଥାକୁ ସାମିଲ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେହି ବ୍ୟକ୍ତି ହେଉଛି ଆଦର୍ଶ ବ୍ୟକ୍ତି ଯିଏ ନିର୍ଜନତାରେ ବି କ୍ରିୟାଶୀଳ ରହିଥାଏ ଓ ଅତ୍ୟଧିକ ବ୍ୟସ୍ତତା ମଧ୍ୟରେ ଶାନ୍ତି ଅନୁଭବ କରିଥାଏ। କୌଣସି ବ୍ୟକ୍ତି ପାଇଁ ଏହା ଏକ ବିଶେଷ କ୍ଷମତା ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଯୋଗର ଅର୍ଥ ବୁଝାଇବାକୁ ଯାଇ କହିଛନ୍ତି, ‘ସମତ୍ୱମ ଯୋଗ ଉଚ୍ୟତେ’ ଅର୍ଥାତ ଅନୁକୂଳ ହେଉ ଅବା ପ୍ରତିକୂଳ, ସଫଳତା ହେଉ କି ବିଫଳତା, ସବୁ ସମୟରେ ଓ ସବୁ ପରିସ୍ଥିତିରେ ନିଜକୁ ସ୍ଥିର ଓ ଦୃଢ ରଖିବା ହେଉଛି ଯୋଗର ଅନ୍ୟ ନାମ।
‘ଯୋଗଃ କର୍ମସୁ କୌଶଳମ’ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଯୋଗର ବ୍ୟାଖ୍ୟା କରିଥିବା କହିବା ସହ ମୋଦୀ କହିଛନ୍ତି ଯେ କର୍ମର କୁଶଳତା ହିଁ ଯୋଗ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନରେ ଆମେ ନିଶ୍ଚୟ ସଫଳ ହେବ ଓ ବିଜୟ ଲାଭ କରିବା।



