ବରିଷ୍ଠ ଖେଳାଳି ବାଦ୍‌, ଯଶସ୍ବୀ, ତିଳକ ନୂଆ ମୁହଁ

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ ; ହାର୍ଦିକ ଅଧିନାୟକ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଅଗଷ୍ଟ ୩ରୁ ୧୩ ପଯ୍ୟନ୍ତ ଖେଳିବ। ଏଥିପାଇଁ ବିସିିସିଆଇ ବରିଷ୍ଠ ମନୋନୟନ କମିଟି ପକ୍ଷରୁ ବୁଧବାର ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଦଳରେ ନୂଆ ମୁହଁ ଭାବେ ବାମହାତି ଯୁବ ବ୍ୟାଟ୍‌ସମ୍ୟାନ ଯଶସ୍ବୀ ଜୟସୱାଲ ଓ ତିଳକ ବର୍ମା ସ୍ଥାନ ପାଇଛନ୍ତି। ଦଳରେ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଓ ସୂର୍ଯ୍ୟକୁମାର ଯାଦବ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଅଜିତ ଅଗରକର ଜାତୀୟ ପୁରୁଷ ବରିଷ୍ଠ ମନୋନୟନ କମିଟି ଅଧ୍ୟକ୍ଷ ହେବା ପରେ ଏହା ପ୍ରଥମ ଭାରତୀୟ ଦଳ ମନୋନୟନ।
ଆଇପିଏଲ ପ୍ରଦର୍ଶନ ଆଧାରରେ ତିଳକ ବର୍ମା ଓ ଯଶସ୍ବୀ ଜୟସୱାଲଙ୍କୁ ପ୍ରଥମ ଥର ଲାଗି ଟ୍ବେଣ୍ଟି୨୦ ଦଳରେ ସ୍ଥାନ ମିଳିଛି। ମୁମ୍ବଇର ୨୧ ବର୍ଷୀୟ ଜୟସୱାଲ ଆଇପିଏଲ୍‌-୨୦୨୩ରେ ୧୪ଟି ମ୍ୟାଚ ଖେଳି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୬୨୫ ରନ ଓ ଆନ୍ଧ୍ରପ୍ରଦେଶର ତିଲକ ବର୍ମା ୧୧ଟି ମ୍ୟାଚରୁ ୩୪୩ ରନ କରିଥିଲେ। ଅନ୍ୟପକ୍ଷରେ ଦ୍ରୁତ ବୋଲିଂ ବିଭାଗରେ ଆଭେସ୍‌ ଖାଁ, ଉମ୍ରାନ ମଲ୍ଲିକ, ଅର୍ଶଦୀପ୍‌ ସିଂହ, ମୁକେଶ କୁମାରଙ୍କୁ ସ୍ଥାନ ମିଳିଥିବା ବେଳେ ସ୍ପିନର ଭାବେ ଯୁଜୁବେନ୍ଦ୍ର ଚହଲ, କୁଳଦୀପ୍‌ ଯାଦବ, ରବି ବିଷ୍ଣୋଇ, ଅକ୍ଷର ପଟେଲ ରହିଛନ୍ତି। ପୂର୍ବରୁ ଦଳରେ ସ୍ଥାନପାଇ ମ୍ୟାଚ୍‌ ଖେଳିନଥିବା ବଙ୍ଗଳାର ପେସ୍‌ ବୋଲର ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି। ମହମ୍ମଦ ସିରାଜ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଅଗଷ୍ଟ ୩ରେ ପ୍ରଥମ, ୬ରେ ୨ୟ, ୮ରେ ୩ୟ, ୧୨ରେ ୪ର୍ଥ ଓ ୧୩ରେ ୫ମ ଟି୨୦ ମ୍ୟାଚ ଖେଳାଯିବ।

prayash

ଭାରତୀୟ ଟି-୨୦ ଦଳ
ଈଶାନ କିଷନ୍‌ ଓ ସଞ୍ଜୁ ସାମସନ (ୱିକେଟ ରକ୍ଷକ), ଶୁବମାନ ଗିଲ୍‌, ଯଶସ୍ବୀ ଜୟସୱାଲ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ଯୁଜୁବେନ୍ଦ୍ର ଚହଲ, କୁଳଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ୍‌ ସିଂହ, ଉମ୍ରାନ ମଲ୍ଲିକ, ଆଭେସ୍‌ ଖାଁ ଓ ମୁକେଶ କୁମାର।

Comments are closed.