ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟ ସୁଦ୍ଧା ୫୬ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନରେ ଆସିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୧.୩୧ ପର୍ଯ୍ୟଟକ ଚିକିତ୍ସା ଉଦ୍ଦେଶ୍ୟରେ ଭାରତ ଆସିଛନ୍ତି। ଅପରପକ୍ଷରେ ଏହି ସମୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୩୦୩ କୋଟି ରହିଥିବା କୁହାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ପର୍ଯ୍ୟଟନର ବିକାଶ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩୨୯୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିଲା।
ସ୍ବଦେଶ ଦର୍ଶନ ୧ ଓ ୨ ଅନୁଯାୟୀ ଏହି ଅର୍ଥରେ ୪୦ଟି ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସମ୍ପାଦନ କରାଯାଇଥିବା ଜଣାପଡିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଭାରତକୁ ୫୧,୫୩୨ କୋଟି ଟଙ୍କାର ବିଦେଶୀ ମୁଦ୍ରା ଉପାର୍ଜନର ସୁଯୋଗ ମଧ୍ୟ ମିଳିଛି। ସୂଚନାଯୋଗ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଜିଡିପି (ମୋଟ ଜାତୀୟ ଉତ୍ପାଦ)ର ୫.୨୨ ପ୍ରତିଶତ ଅବଦାନ ପର୍ଯ୍ୟଟନ ଶିଳ୍ପର ରହିଥିଲା ବୋଲି ଜଣାପଡିଛି।



