ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପର ସୁପର-୪ ମ୍ୟାଚ ଗତ ୨୧ରେ ଦୁବାଇରେ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ପାକିସ୍ତାନ ଦ୍ରୁତ ବୋଲର ହାରିସ ରୈଫ ଓ ବ୍ୟାଟ୍ସମ୍ୟାନ ସାହେବଜାଦା ଫରହାନ ଭାରତୀୟ ପ୍ରଶଂସକଙ୍କ ପ୍ରତି ଅଶୋଭନୀୟ ଆଚରଣ କରିଥିଲେ। ଉକ୍ତ ଆଚରଣ ପାଇଁ ଆଇସିସି ରୈଫଙ୍କୁ ଦଣ୍ଡିତ ଓ ଫରହାନଙ୍କୁ ତାଗିଦା କରିଛି। ପଡ଼ିଆରେ ଏଭଳି ଆଚରଣ ପାଇଁ ରୈଫ ଓ ଫରହାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିସିସିଆଇ ପକ୍ଷରୁ ଆଇସିସି ନିକଟରେ ଦାବି କରାଯାଇଥିଲା। ମ୍ୟାଚ ରେଫରୀ ରିଚି ରିଚାଡସର୍ନଙ୍କ ରିପୋର୍ଟ ପରେ ଆଇସିସି ପକ୍ଷରୁ ରୈଫ ଓ ଫରହାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରୈଫଙ୍କ ୩୦ ପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଥିବାବେଳେ ଫରହାନଙ୍କୁ ତାଗିଦ କରାଯାଇଛି।
କ୍ରିକେଟ ପଡ଼ିଆରେ ଏଭଳି ଆଚରଣ ଆଇସିସି ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ରୈଫ ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ସହ ଯୁକ୍ତିତର୍କ ଓ ଭାରତୀୟ ପ୍ରଶଂସକଙ୍କ ଆଡକୁ ଇଙ୍ଗିତ କରି ଲଢୁଅା ଜେଟ୍ ବିମାନ ଉପରକୁ ଉଠିବା ଓ ପରେ ତଳେ ପଡ଼ିଯିବାର ସଙ୍କେତ ଦେଇଥିଲେ। ଭାରତୀୟ ଇନିଂସ ସମୟେର ବାଉଣ୍ଡାରୀ ଲାଇନରେ ପାକିସ୍ତାନ ଦ୍ରୂତ ବୋଲର ହାରିସ ରୈଫ ଫିଲ୍ଡିଂ କରୁଥିବାବେଳେ ଭାରତୀୟ ପ୍ରଶଂସକ କୋହଲି କୋହଲି ଚିତ୍କାର କରିଥିଲେ। ଏହାର ଜବାବରେ ରୈଫ ଭାରତୀୟ ପ୍ରଶଂସକଙ୍କ ଆଡକୁ ଚାହିଁ ଲଢୁଅା ଜେଟ୍ ବିମାନ ଉପରକୁ ଉଠିବା ଓ ପରେ ତଳେ ପଡ଼ିଯିବାର ସଙ୍କେତ ଦେଇଥିଲେ। ସେହିପରି ଫରହାନ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟକୁ ଏକେ ୪୭ ବନ୍ଧୁକ ଭଳି ଦେଖାଇ ଉତ୍ସବ ମନାଇଥିଲେ। କ୍ରିକେଟ ପଡ଼ିଆରେ ରୈଫ ଓ ଫରହାନଙ୍କ ଏଭଳି ଆଚରଣକୁ ବିଭିନ୍ନ ସ୍ତରରେ ସମାଲୋଚନା କରାଯାଇଥିଲା।



