୫୦ ହଜାର କୋଟି ଛୁଇଁବ ଭାରତର ପ୍ରତିରକ୍ଷା ରପ୍ତାନି
ଡେସ୍କ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ୨୦୨୮-୨୯ ସୁଦ୍ଧା ୫୦ ହଜାର କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ନୂଆଦିଲ୍ଲୀରେ ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ପ୍ରତିରକ୍ଷା ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ସମୟ ମଧ୍ୟରେ ଭାରତର ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ୫୦୦ରୁ ଅଧିକ ସାମଗ୍ରୀକୁ ନେଇ ସେନାର ପାଞ୍ଚଟି ସକାରାତ୍ମକ ସ୍ୱଦେଶୀକରଣ ତାଲିକା ବିଜ୍ଞପ୍ତି ଜାରି କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୈନିକମାନେ ଯେପରି ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ପ୍ଲାଟଫର୍ମ ବ୍ୟବହାର କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ୟୁନିଟ୍ ପାଇଁ ୪୬୦୦ରୁ ଅଧିକ ସାମଗ୍ରୀ ସହିତ ଅନ୍ୟ ଚାରିଟି ତାଲିକା ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୩୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ଅଧିଗ୍ରହଣକୁ ନୀତିଗତ ଅନୁମୋଦନ ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪-୨୫ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୨୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଯାହା କି ମନ୍ତ୍ରଣାଳୟ ଗୁଡ଼ିକ ମଧ୍ୟରେ ସର୍ବାଧିକ।
ପ୍ରତିରକ୍ଷା କ୍ଷେତ୍ରକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଦୀର୍ଘକାଳୀନ ଲାଭ ପାଇଁ ଏଥିରେ ଆମୂଳକ ପରିବର୍ତ୍ତନ କରାଯାଇଛି ବୋଲି ଶ୍ରୀ ସିଂହ ଗୁରୁତ୍ୱାରୋପ କରିଥିଲେ। ୨୦୪୭ ସୁଦ୍ଧା ଭାରତକୁ ‘ବିକ୍ଷିତ ଭାରତ’ କରିବା ପାଇଁ ସରକାର ସ୍ୱଳ୍ପକାଳୀନ ଫଳାଫଳ ନୁହେଁ ବରଂ ଦୀର୍ଘମିଆଦୀ ଲାଭ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ଏରୋ ଇଞ୍ଜିନ୍ ଏବଂ ଗ୍ୟାସ୍ ଟର୍ବାଇନ୍ ଭଳି ଉଚ୍ଚସ୍ତରୀୟ ବ୍ୟବସ୍ଥା ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
Comments are closed.