କ୍ଷେତରେ ଜରୁରୀ ଅବତରଣ କଲା ସେନା ହେଲିକପ୍ଟର

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ବାୟୁସେନାର ଏୟାର ଶୋ’ ସଫଳ ହୋଇଥିବା ବେଳେ ରବିବାର ବେରସିଆସ୍ଥିତ ଡୁଙ୍ଗରିଆ ଗାଁର ଡ୍ୟାମ୍‌ ନିକଟସ୍ଥ ଏକ କ୍ଷେତରେ ସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି। ହେଲିକପ୍ଟରର ଏଭଳି ଅବତରଣ ଦେଖି ସେଠାରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା।

ସୂଚନା ଅନୁସାରେ, ଆଜି ସକାଳେ ଭୋପାଳର ବେରସିଆସ୍ଥିତ ଡୁଙ୍ଗରିଆ ଗାଁର ଡ୍ୟାମ୍‌ ନିକଟରେ ଥିବା ଏକ କ୍ଷେତରେ ସେନା ହେଲିକପ୍ଟର ଜରୁରୀ ଅବତରଣ କରିଥିଲା। ହେଲିକପ୍ଟରରେ ସେନାର ୬ ଜଣ ଯବାନ ଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ମୁତାବକ, ହେଲିକପ୍ଟରରେ ତ୍ରୁଟି ଦେଖାଦେବା ପରେ ଏହା ଅବତରଣ ପାଇଁ ଡୁଙ୍ଗରିଆ ଡ୍ୟାମ ଚାରି ପଟେ ଘୂରି ବୁଲିଥିଲା ଏବଂ ପରେ ଏକ କ୍ଷେତରେ ଅବତରଣ କରିଥିଲା।

ଜରୁରୀ ଅବତରଣ ପରେ ଅନ୍ୟ ଏକ ସେନା ହେଲିକପ୍ଟର ସାହାଯ୍ୟ ପାଇଁ ଡୁଙ୍ଗରିଆ ଗ୍ରାମରେ ପହଞ୍ଚିଥିଲା। ଏହି ହେଲିକପ୍ଟରଟି ଇଞ୍ଜିନିୟର, ସହାୟକ କର୍ମଚାରୀ ଏବଂ ବୈଷୟିକ ଦଳ ନେଇ ସେଠାକୁ ଯାଇଥିଲା। ଦଳକୁ ସେଠାରେ ଛାଡି ପୁଣି ତାହା ଫେରି ଯାଇଥିଲା। ବର୍ତ୍ତମାନ ଇଞ୍ଜିନିୟର ଏବଂ ବୈଷୟିକ ଦଳ ହେଲିକପ୍ଟରରେ ଥିବା ତ୍ରୁଟିର ଯାଞ୍ଚ କରୁଛନ୍ତି। ସୂଚନାନୁସାରେ, ଏହା ଭାରତୀୟ ବାୟୁସେନା ହେଲିକପ୍ଟର, ଯାହା ଭୋପାଳରୁ ଝାନ୍‌ସୀ ଯାଉଥିଲା। ବିମାନରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଥିଲେ।

Comments are closed.