www.samajalive.in
Sunday, December 14, 2025
19.1 C
Bhubaneswar

ଭାରତ ୩-୦ରେ ଦିନିକିଆ ଶୃଙ୍ଖଳା ପୋଛିଲା

ହରାରେ : ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌ରେ ୧୯୦ ରନ୍‌ ମଧ୍ୟ କରି ପାରିନଥିବା ଘରୋଇ ଜିମ୍ବାୱେ ସୋମବାର ୩ୟ ଦିନିକିଆରେ ୨୯୦ ରନ୍‌ର ପିଛାକରି ବିଜୟର ଖୁବ୍ ନିକଟବର୍ତ୍ତୀ ହୋଇ ଯାଇଥିଲା। ଚମତ୍କାର ଫର୍ମରେ ଥିବା ସିକନ୍ଦର ରାଜା ବିସ୍ଫୋରକ ଶତକ ହାସଲକରି ଦଳକୁ ବିଜୟର ଦ୍ବାରରେ ପହଞ୍ଚାଇଥିଲେ ହେଁ ସେ ଆଉଟ୍‌ ହୋଇଯିବା ଯୋଗୁଁ ଜିମ୍ବାୱେ ବିଜୟରୁ ବଞ୍ଚିତ ହୋଇଥିଲା। ୩ୟ ତଥା ଅନ୍ତିମ ଦିନିକିଆରେ ଜିମ୍ବାୱେକୁ ୧୩ ରନ୍‌ରେ ଭାରତ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ର ଶୃଙ୍ଖଳାକୁ ଭାରତ ୩-୦ରେ ପୋଛିନେଇଛି। ଶୁବ୍‌ମାନ ଗିଲ୍‌ଙ୍କ ଜୀବନର ପ୍ରଥମ ଆନ୍ତର୍ଜାତିକ ଶତକ ଓ ଈଶାନ୍ କିଷନଙ୍କ ଅର୍ଦ୍ଧଶତକ ବଳରେ ଭାରତ ୮ ୱିକେଟରେ ୨୮୯ ରନ୍‌ କରିଥିଲା। ବ୍ରାଡ୍‌ ଇଭାନ୍‌ସ ୫ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂ ଉପରେ ଅଙ୍କୁଶ ରଖିଥିଲେ। ପରେ ସିକନ୍ଦର ରାଜାଙ୍କ ଶତକ ସତ୍ତ୍ବେ ଜିମ୍ବାୱେ ୩ଟି ବଲ୍‌ ବାକିଥାଇ ୨୭୬ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ଜିମ୍ବାୱେ ବିପକ୍ଷରେ ଭାରତ କ୍ରମାଗତ ୪ର୍ଥ ଦିନିକିଆ ଶୃଙ୍ଖଳା ପୋଛିନେଇଛି।
ଜିମ୍ବାୱେ ୨୯୦ ରନ୍‌ର ପିଛା କରିଥିବା ବେଳେ ଇନୋସେଣ୍ଟ କାଇଆ ୬ ରନ୍‌କରି ବିଦାୟ ନେଇଥିଲେ। ପରେ ସନ୍ ୱିଲିୟମ୍‌ସ ଚମତ୍କାର ଇନିଂସ ଖେଳି ୪୬ ବଲ୍‌ରୁ ୭ଟି ଚୌକା ସହ ୪୫ ରନ୍‌କରି ଆଉଟ୍‌ ହୋଇଥିଲେ। ଟୋନି ମ୍ୟୁନ୍ୟୋଙ୍ଗା ୩୧ ବଲ୍‌ରୁ ମାତ୍ର ୧୫ ରନ୍‌ କରି ପାରିଥିଲେ। ରିଟାୟର୍ଡ ହୋଇଥିବା ଓପ୍‌ନର କାଇଟାନୋ ପୁଣି ବ୍ୟାଟିଂ କରିବାକୁ ଆସି ୧୩ ରନ୍‌ କରିଥିଲେ। ୧୨୨ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ସତ୍ତ୍ବେ ସିକନ୍ଦର ରାଜା ଗୋଟିଏ ପଟୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଅଧିନାୟକ ରେଜିସ୍ ଚାକାଭା ୧୬, ରିୟାନ୍ ବର୍ଲ ୮ ଓ ଲ୍ୟୁକ୍ ଜଙ୍ଗ୍‌ୱେ ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ୧୬୯ ରନ୍‌ରେ ୭ଟି ୱିକେଟ ପଡ଼ିବା ପରେ ସିକନ୍ଦର ରାଜା ଓ ବ୍ରାଡ୍‌ ଇଭାନ୍‌ସ ବିସ୍ଫୋରକ ବ୍ୟାଟିଂକରି ୧୧ ଓଭରରେ ୧୦୪ ରନ୍‌ ଯୋଡ଼ି ଦଳକୁ ବିଜୟର ଆଶା ଦେଇଥିଲେ। ୧୩ ବଲ୍‌ରୁ ୧୭ ରନ୍‌ ଆବଶ୍ୟକ ଥିବା ବେଳେ ଇଭାନ୍‌ସ ୨୮ ରନ୍‌କରି ଆଉଟ୍‌ ହୋଇଥିଲେ। ୪୯ତମ ଓଭରରେ ରାଜା ଆଉଟ୍‌ ହୋଇଯିବା ଯୋଗୁଁ ଜିମ୍ବାୱେ ପରାସ୍ତ ହୋଇଥିଲା। ଗତ ୬ଟି ଦିନିକିଆରୁ ୩ୟ ଏବଂ ମୋଟ ୫ମ ଶତକ ହାସଲ କରିଥିବା ସିକନ୍ଦର ରାଜା ୯୫ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୧୧୫ ରନ୍‌ କରିଥିଲେ। ଆଭେସ୍ ଖାଁ ୩ଟି ଏବଂ ଦୀପକ ଚହର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଭାରତ ଟସ୍ ଜିତି ବ୍ୟାଟିଂ ନେବା ପରେ ଓପ୍‌ନିଂ ଯୋଡ଼ି ୧୫ ଓଭରରେ ୬୩ ରନ୍‌ କରିଥିଲା। ଅଧିନାୟକ କେ.ଏଲ୍‌. ରାହୁଲ ୪୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌ କରିଥିଲେ। ଶିଖର ଧାୱନ ୬୮ ବଲ୍‌ରୁ ୫ଟି ଚୌକା ସହ ୪୦ ରନ୍‌ କରିଥିଲେ। ୮୪ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ଶୁବ୍‌ମାନ ଗିଲ୍‌ ଓ ଈଶାନ୍ କିଷନ୍‌ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ୨୧ ଓଭରରୁ ୧୪୦ ରନ୍‌ ଯୋଗକରି ଦଳର ସମ୍ମାନଜନକ ସ୍କୋର ନିଶ୍ଚିତ କରିଥିଲେ। ବାମହାତି କିଷନ୍‌ ୬୧ ବଲ୍‌ରୁ ୬ଟି ଚୌକା ସହ ୫୦ ରନ୍‌କରି ଜୀବନର ୨ୟ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ହୁଡା ଓ ଅକ୍ଷର ପଟେଲ ୧ ରନ୍‌ ଲେଖାଏଁ କରିଥିବା ବେଳେ ସଞ୍ଜୁ ସାମ୍‌ସନ ୧୩ ବଲ୍‌ରୁ ୨ଟି ଛକା ସହ ୧୫ ରନ୍‌ କରିଥିଲେ। ଶେଷ ଓଭରରେ ଆଉଟ୍‌ ହୋଇଥିବା ଶୁବ୍‌ମାନ ଗିଲ୍‌ ୯୭ ବଲ୍‌ରୁ ଗୋଟିଏ ଛକା ଓ ୧୫ଟି ଚୌକା ସହ ୧୩୦ ରନ୍‌ କରିଥିଲେ। ଯେକୌଣସି ଫର୍ମାଟରେ ଏହା ଗିଲ୍‌ଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ। ବ୍ରାଡ୍‌ ଇଭାନ୍‌ସ ୫ଟି ୱିକେଟ ନେଇଥିଲେ। ଶୁବ୍‌ମାନ ଗିଲ୍‌ ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories