ଭାରତ-ଭିଏତନାମ ମଧ୍ୟରେ ୩ ଚୁକ୍ତି ସ୍ୱାକ୍ଷରିତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ଭାରତ ଗସ୍ତରେ ଥିବା ଭିଏତ୍‌ନାମ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗଙ୍କ ସହିତ ଶନିବାର ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ତିନିଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତର ଗ୍ଲୋବାଲ ସେଣ୍ଟର ଫର୍‌ ନ୍ୟୁକ୍ଲିୟର ଏନର୍ଜି ପାର୍ଟନରଶିପ୍‌ (ଜିସିଏନ୍‌ଇପି) ଏବଂ ଭିଏତନାମ ଆଟମିକ୍‌ ଏନର୍ଜି ଇନ୍‌ଷ୍ଟିଚ୍ୟୁଟ୍‌ (ଭିନାଟୋମ) ମଧ୍ୟରେ ସହଯୋଗିତା ବୃଦ୍ଧି ସମ୍ବନ୍ଧୀୟ ବୁଝାମଣାପତ୍ର ଏଥିରେ ଅନ୍ତର୍ଭୁକ୍ତ। ଶାନ୍ତିପୂର୍ଣ୍ଣ ଭାବେ ଆଣବିକ ଶକ୍ତିର ବ୍ୟବହାର ଦିଗରେ ବୈଷୟିକ ସହଯୋଗ ବୃଦ୍ଧି ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏଥିସହ ଅର୍ଥନୀତି ଏବଂ ବାଣିଜ୍ୟିକ ସମ୍ପର୍କ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଅନ୍ୟ ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (ଆଇସିଏଆର୍‌) ଏବଂ ଭିଏତ୍‌ନାମର କୃଷି ଏବଂ ଗ୍ରାମୀଣ ମନ୍ତ୍ରଣାଳୟ ମଧ୍ୟରେ ୨୦୧୮ରୁ ୨୦୨୨ ମଧ୍ୟରେ ଏକ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ମଧ୍ୟ ଆଉ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିବା କୁହାଯାଇଛି। ଦୁଇ ଦେଶର କୃଷି ଏବଂ ଏହାର ସହଯୋଗୀ କ୍ଷେତ୍ରଗୁଡିକର ବିଶେଷଜ୍ଞମାନେ ଉଭୟ ଦେଶକୁ ଯାଇ ବୈଷୟିକ ଜ୍ଞାନ ପ୍ରସାର ନେଇ କାର୍ଯ୍ୟପନ୍ଥା ସ୍ଥିର କରିବା ଏହି ରାଜିନାମର ମୂଖ୍ୟ ଲକ୍ଷ୍ୟ।
ଏକ ମିଳିତ ବିବୃତ୍ତିରେ ମୋଦି କହିଛନ୍ତି, ବୈଠକରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ବୈଷୟିକ ଜ୍ଞାନ ପ୍ରସାର ଦିଗରେ ପରସ୍ପର ମଧ୍ୟରେ ସହଯୋଗିତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୁକ୍ତ, ସ୍ୱାଧୀନ ଓ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଗଠନ ଦିଗରେ ଦୁଇ ଦେଶ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି। ଭାରତର ପୂର୍ବାଞ୍ଚଳ ନୀତି ତଥା ଆସିନ୍‌ ରାଷ୍ଟ୍ର ସମୁହ ପ୍ରତି ଭାରତର ଆଭିମୁଖ୍ୟ ଯାହା, ସେଦୃଷ୍ଟିରୁ ଭିଏତନାମର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭିଏତନାମ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସମସ୍ତ ଦ୍ୱିପାକ୍ଷିକ ପ୍ରସଙ୍ଗଗୁଡିକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ଦୁଇ ଦେଶ ମଧ୍ୟରେ ରଣକୌଣଳ ଭିତ୍ତିକ ସମ୍ପର୍କକୁ ଅଗ୍ରଗତି ପ୍ରଦାନ କରିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।

Leave A Reply