ନୂଆଦିଲ୍ଲୀ: ଭାରତ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ସଫଳତାର ସହ ଚନ୍ଦ୍ରଯାନ-୩କୁ ସଫଳ ଅବତରଣ କରାଇବା ପରେ ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଶନିବାର ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୩୫ ମସିହା ସୁଦ୍ଧା ଭାରତ ନିଜସ୍ବ ମହାକାଶ ଷ୍ଟେସନ (ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ) ନିର୍ମାଣ କରିବାକୁ ଯୋଜନା କରୁଛି। ଭାରତର ମହାକାଶ ଅଭିଯାନରେ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା)ର ଭୂମିକାକୁ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ନିକଟରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶ ଯାତ୍ରା କରି ଫେରିଛନ୍ତି। ଶୁଭାଂଶୁଙ୍କ ଏହି ଅଭିଜ୍ଞତା ଆଗାମୀ ଦିନରେ ଗଗନଯାନ ଓ ଅନ୍ୟ ମହାକାଶ ଅଭିଯାନରେ ସହାୟକ ହେବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି। ସ୍ବଦେଶ ଫେରିବାପରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ଅଭିଜ୍ଞତା ବଖାଣିଥିଲେ। ଏହି ଅବସରରେ ଦେଶରେ ମହାକାଶଚାରୀଙ୍କ ଏକ ଟିମ୍ ଗଠନ କରିବାକୁ ଶୁଭାଂଶୁ ପ୍ରସ୍ତାବ ଦେଇଛନ୍ତି। ମୋଦୀ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସଏସ)ରେ ଅବସ୍ଥାନ କରିବାରେ
ଶୁଭାଂଶୁ ହେଉଛନ୍ତିି ଭାରତର ପ୍ରଥମ ମହାକାଶଚାରୀ। ଆଇଏସଏସ୍ରେ ତ୍ରିରଙ୍ଗା ଉଡିବା ନିଶ୍ଚିତଭାବେ ଗର୍ବର ବିଷୟ ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ ମହାକାଶରୁ ମୋଦୀଙ୍କ ସହ କଥା ହେବା ସମୟରେ ଶୁଭାଂଶୁ ତ୍ରିରଙ୍ଗା ପ୍ରଦର୍ଶନ କରିଥିଲେ। ମୋଦୀ ଆହୁରି କହିଛନ୍ତି ଯେ ଭାରତର ଯୁବ ମହାକାଶ ବିଜ୍ଞାନୀଙ୍କ ଉପରେ ଦେଶର ମହାକାଶ ଅଭିଯାନ ନିର୍ଭର କରୁଛି। ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି।
ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଭି.ନାରାୟଣନ ମଧ୍ୟ ନିଜର ବକ୍ତବ୍ୟ ରଖିଛନ୍ତି। ନାରାୟଣନ କହିଛନ୍ତି ଯେ ମହାକାଶ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା କାର୍ଯ୍ୟକାରୀ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଅତ୍ୟନ୍ତ ଆଗ୍ରହୀ ହୋଇପଡିଛନ୍ତି। ଆଗାମୀ ଦିନରେ ଚନ୍ଦ୍ରଯାନ-୪ ଏବଂ ଭିନସ ଅର୍ବିଟର ମିଶନ ଭଳି କାର୍ଯ୍ୟକ୍ରମ ସମ୍ପାଦିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ୨୦୨୮ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ନକ୍ସା (ମଡ୍ୟୁଲ)ପ୍ରସ୍ତୁତ କରାଯିବ। ୨୦୪୦ ମସିହା ସୁଦ୍ଧା ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ସେଠାରୁ ମାଟି ଓ ଅନ୍ୟ ନମୁନା ସଂଗ୍ରହ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସାଂପ୍ରତିକ ସମୟରେ ମହାକାଶ ବିଜ୍ଞାନ ପ୍ରସଙ୍ଗରେ ବିଶ୍ବର ହାତଗଣତି ରାଷ୍ଟ୍ରଙ୍କ ସହ ଭାରତ ସମକକ୍ଷ ହୋଇପାରିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିଥିଲା। ଏହାକୁ ସ୍ମରଣୀୟ କରିବାକୁ ଉକ୍ତ ଦିନକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି।
୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବ ଭାରତ
Popular Categories



