ଡେସ୍କ: ମାଳଦୀପ ସ୍ୱାଧୀନତାର ୬୦ ବର୍ଷର ଐତିହାସିକ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ରାଷ୍ଟ୍ରପତି ଏବଂ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ସମ୍ମାନିତ ଅତିଥି ଭାବରେ ନିମନ୍ତ୍ରଣ କରିଥିବାରୁ ଶ୍ରୀ ମୋଦୀ ମାଳଦୀପ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଚଳିତ ବର୍ଷ ଭାରତ ଏବଂ ମାଳଦ୍ୱୀପ ଉଭୟେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଉଭୟ ଦେଶ ମଧ୍ୟରେ ସମ୍ପର୍କ ମୂଳ ଇତିହାସଠାରୁ ମଧ୍ୟ ପୁରୁଣା ଏବଂ ସମୁଦ୍ର ପରି ଗଭୀର। ଆଜି ପ୍ରକାଶିତ ଡାକଟିକଟ, ଯେଉଁଥିରେ ଦୁଇ ଦେଶର ପାରମ୍ପରିକ ନୌକା ରହିଛି, ତାହା ଦର୍ଶାଉଛି ଯେ ଆମେ କେବଳ ପଡ଼ୋଶୀ ନୁହେଁ, ବରଂ ସହଯାତ୍ରୀ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମାଳଦ୍ୱୀପର ସବୁଠାରୁ ନିକଟତମ ପଡ଼ୋଶୀ । ଭାରତର ପଡୋଶୀ ପ୍ରଥମେ ନୀତି ଏବଂ ‘ମହାସାଗର ଦୃଷ୍ଟିକୋଣ’ ଉଭୟରେ ମାଳଦ୍ୱୀପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ ମାଳଦ୍ୱୀପର ସବୁଠାରୁ ବିଶ୍ୱସନୀୟ ବନ୍ଧୁ ହୋଇଥିବାରୁ ମଧ୍ୟ ଗର୍ବିତ। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ, ଭାରତ ସର୍ବଦା ପ୍ରଥମେ ବନ୍ଧୁ ଭାବରେ ଠିଆ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ହେଉ କିମ୍ବା କୋଭିଡ୍ ପରେ ଅର୍ଥନୀତି ପରିଚାଳନା କରିବା ହେଉ, ଭାରତ ସର୍ବଦା ଏକତ୍ର କାମ କରିଆସିଛି।
ଶ୍ରୀ ମୋଦୀ କହିଛନ୍ତି, ଗତ ବର୍ଷ ଅକ୍ଟୋବରରେ, ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ, ଆମେ ଏକ ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଭାଗୀର ଦୃଷ୍ଟିକୋଣ ବାଣ୍ଟିଥିଲୁ। ଏବେ ଏହା ବାସ୍ତବତାରେ ପରିଣତ ହେଉଛି। ଏହାର ଫଳସ୍ୱରୂପ, ଆମର ସମ୍ପର୍କ ନୂତନ ଶିଖର ଛୁଇଁଛି। ଅନେକ ପ୍ରକଳ୍ପର ଉଦଘାଟନ ସମ୍ଭବ ହୋଇପାରିଛି।
ଭାରତର ସହଯୋଗରେ ନିର୍ମିତ ଚାରି ହଜାର ସାମାଜିକ ଗୃହ ୟୁନିଟ୍ ଏବେ ମାଳଦ୍ୱୀପର ଅନେକ ପରିବାର ପାଇଁ ଏକ ନୂତନ ଅୟମାରମ୍ଭ ହେବ। ଏକ ନୂତନ ଆବାସସ୍ଥଳ ହୋଇପାରିବ। ଗ୍ରେଟର ମେଲ୍ ସଂଯୋଗ ପ୍ରକଳ୍ପ, ସଡ଼କ ବିକାଶ ପ୍ରକଳ୍ପ ଏବଂ ପୁନଃବିକଶିତ ହନିମାଧୂ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ, ଏହି ସମଗ୍ର ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ ଏବଂ ଅର୍ଥନୈତିକ କେନ୍ଦ୍ର ଭାବରେ ଉଭା ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ଫେରି ବ୍ୟବସ୍ଥା ପ୍ରଚଳନ ଯୋଗୁଁ ବିଭିନ୍ନ ଦ୍ୱୀପପୁଞ୍ଜ ମଧ୍ୟରେ ଯାତାୟତ ସୁଗମ ହୋଇପାରିବ ବୋଲି ସେ କହିଛନ୍ତି। ବିକାଶ ସହଭାଗୀତାକୁ ଏକ ନୂତନ ଗତି ଦେବା ପାଇଁ, ମାଳଦ୍ୱୀପକୁ ୫ ହଜାର କୋଟି ଟଙ୍କାର “କ୍ରେଡିଟ୍ ଲାଇନ” ପ୍ରଦାନ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ଏହାକୁ ମାଳଦ୍ୱୀପର ଲୋକଙ୍କ ପ୍ରାଥମିକତା ଅନୁଯାୟୀ ଭିତ୍ତିଭୂମି ବିକାଶ ସହିତ ଜଡିତ ପ୍ରକଳ୍ପ ପାଇଁ ବ୍ୟବହାର କରାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଆମର ଆର୍ଥିକ ସହଭାଗୀତାକୁ ତ୍ୱରାନ୍ୱିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛୁ। ପାରସ୍ପରିକ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ, ଆମେ ଶୀଘ୍ର ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରିବୁ। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି।
ଏହି ଅବସରରେ ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା ଦ୍ୱାରା ରୁପି ଓ ରୁଫିୟାରେ ସିଧାସଳଖ ବ୍ୟବସାୟ ସମ୍ଭବ ହେବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାରସ୍ପରିକ ବିଶ୍ୱାସର ପ୍ରତୀକ। ଆଜି ଉଦଘାଟନ ହେଉଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନ ହେଉଛି ବିଶ୍ୱାସର ଏକ କଂକ୍ରିଟ୍ ଭବନ। ଏହା ଆମର ଦୃଢ଼ ସହଭାଗୀତାର ପ୍ରତିବିମ୍ବ।
ଆମର ସହଭାଗୀତା ଏବେ ପାଣିପାଗ ବିଜ୍ଞାନକୁ ମଧ୍ୟ ବିସ୍ତାରିତ ହେବ। ପାଗ ଯାହା ହେଉନା କାହିଁକି, ଆମର ବନ୍ଧୁତା ସର୍ବଦା ଉଜ୍ଜ୍ୱଳ ଏବଂ ସ୍ପଷ୍ଟ ରହିବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତ ମାଳଦ୍ୱୀପର ପ୍ରତିରକ୍ଷା କ୍ଷମତା ବିକାଶ କ୍ଷେତ୍ରରେ ସମର୍ଥନ ଜାରି ରଖିବ। ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆମର ପ୍ରାଥମିକ ଲକ୍ଷ୍ୟ। କଲମ୍ବୋ ସୁରକ୍ଷା ସମ୍ମିଳନୀରେ ଏକତ୍ରିତ ଭାବେ ଆମେ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ମଧ୍ୟ ଉଭୟ ଦେଶ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଶ୍ରୀ ମୋଦୀ କହିଛନ୍ତି।



