www.samajalive.in
Friday, December 5, 2025
20.1 C
Bhubaneswar

ଆଜିଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

ରାଜକୋଟ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରାରମ୍ଭ ଭାରତ ପାଇଁ ସଠିକ୍‌ ନଥିଲା। ପ୍ରଥମ ଟେଷ୍ଟରେ ଘରୋଇ ଦଳର ଦୁର୍ବଳତାର ଫାଇଦା ଉଠାଇ ଇଂଲଣ୍ଡ ଏହାକୁ ଜିତି ନେଇଥିଲା। ଏହାପରେ ଭାରତ ତା’ର ତ୍ରୁଟି ସୁଧାରି ୨ୟ ଟେଷ୍ଟମ୍ୟାଚ୍‌କୁ ଜିତିଥିଲା। ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବା ବେଳେ ଗୁରୁବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାରେ ଆଗୁଆ ହେବା ପାଇଁ ଉଭୟ ଦଳ ପ୍ରୟାସ କରିବେ। ତେବେ ପ୍ରମୁଖ ଖେଳାଳି ଆହତ ହେବା ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିରାଟ କୋହଲି ପୂରା ଶୃଙ୍ଖଳାରୁ ଓହରିଯିବା, ଶ୍ରେୟାସ ଆୟର ଓ କେ.ଏଲ୍‌. ରାହୁଲ ଆହତ ହେବା ଭାରତୀୟ ମଧ୍ୟକ୍ରମକୁ ଦୁର୍ବଳ କରିଦେଇଛି। ଏବେ କିଛି ନୂଆ ଓ ଯୁବ ଖେଳାଳିଙ୍କୁ ନେଇ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି ଭାରତ। ଅନ୍ୟପକ୍ଷରେ ଇଂଲଣ୍ଡର ସ୍ପିନର ଜ୍ୟାକ୍‌ ଲିଚ୍‌ ଆହତହୋଇ ପୂରା ଶୃଙ୍ଖଳାରୁ ବାଦ୍‌ପଡ଼ିବା ଇଂଲଣ୍ଡର ଆକ୍ରମଣକୁ କିଛି ଦୁର୍ବଳ କରିଦେଇଛି। ମୋଟ ଉପରେ ଯୁବ ଭାରତୀୟ ବ୍ୟାଟର ଓ ଇଂଲଣ୍ଡର ଯୁବ ସ୍ପିନରଙ୍କ ମଧ୍ୟରେ ମୁକାବିଲା ହେବ।
ନିକଟ ଅତୀତରେ ଭାରତୀୟ ଟେଷ୍ଟ ଦଳ ସବୁଠାରୁ ଅନଭିଜ୍ଞ ବ୍ୟାଟିଂ ଅର୍ଡର ନେଇ ଖେଳିବ। ନିୟମିତ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବେ କେବଳ ଶୁବ୍‌ମାନ ଗିଲ୍‌ ଥିବାରୁ ୪ରୁ ୬ନଂ ସ୍ଥାନରେ ସର୍ଫରାଜ, ରଜତ ପଟିଦାର ଓ ଧ୍ରୁବ ଜୁରେଲ ଖେଳିପାରନ୍ତି। ପଟିଦାର ଗୋଟିଏ ଟେଷ୍ଟ ଖେଳିଥିବା ବେଳେ ଜୁରେଲ ଓ ସର୍ଫରାଜ ଟେଷ୍ଟ ପଦାର୍ପଣ କରିବେ। ଫଳରେ ମଧ୍ୟକ୍ରମରେ ଥିବା ୪ ବ୍ୟାଟ୍‌ସମ୍ୟାନ୍ ମୋଟ ୨୩ଟି ଟେଷ୍ଟମ୍ୟାଚ୍‌ ଖେଳିଛନ୍ତି। ତେବେ ରବୀନ୍ଦ୍ର ଜାଡ଼େଜା ଫେରିବା ଭାରତୀୟ ଦଳର ଶକ୍ତି ବୃଦ୍ଧି କରିଛି। ଜାଡ଼େଜାଙ୍କ ସ୍ପିନ୍ ବୋଲିଂ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ। ପୁଣି ସେ ଜଣେ ଉପଯୋଗୀ ବ୍ୟାଟ୍‌ସମ୍ୟାନ୍। ପ୍ରଥମ ଟେଷ୍ଟରେ ସେ ଲଢ଼ୁଆ ଇନିଂସ ଖେଳିଥିଲେ। ୨ୟ ଟେଷ୍ଟମ୍ୟାଚ୍‌ ଖେଳି କୁଲଦୀପ ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଅକ୍ଷର ପଟେଲ ୨ଟି ଟେଷ୍ଟ​‌ ଖେଳି ବ୍ୟାଟିଂରେ ଉପଯୋଗୀ ଯୋଗଦାନ କରିଥିଲେ ହେଁ ସେପରି ଭଲ ବୋଲିଂ ପାରିନାହାନ୍ତି। ତେଣୁ କୁଲଦୀପ ଖେଳିପାରନ୍ତି। ୨ୟ ଟେଷ୍ଟରେ ଭାରତୀୟ ଦଳର ବିଜୟରେ ମୁଖ୍ୟ ପୁରୋଧା ଯଶପ୍ରୀତ ବୁମ୍‌ରା ବୋଲିଂ ଆକ୍ରମଣର ନେତୃତ୍ବ ନେବେ। ଶୃଙ୍ଖଳାରେ ବୁମ୍‌ରା ସର୍ବାଧିକ ୧୫ଟି ୱିକେଟ ନେଇଛନ୍ତି। ୨ୟ ପେସ୍‌ ବୋଲର ଭାବେ ମହମ୍ମଦ ସିରାଜ୍ ଖେଳିପାରନ୍ତି। ରାଜକୋଟ ପିଚ୍ ଆରମ୍ଭରୁ ବ୍ୟାଟିଂ ପାଇଁ ସହାୟକ ହେବ। ପରେ ଏଥିରୁ ସ୍ପିନର ସହାୟତା ପାଇବେ। ପ୍ରଥମ ୨ଟି ଟେଷ୍ଟରେ ମାତ୍ର ଜଣେ ପେସ୍‌ ବୋଲର ଖେଳାଇଥିବା ଇଂଲଣ୍ଡ ୨ ଜଣ ପେସ୍‌ ବୋଲର- ଜେମ୍‌ସ ଆଣ୍ଡରସନ୍‌ ଓ ମାର୍କ ଉଡ୍‌ଙ୍କୁ ଖେଳାଇବାକୁ ଘୋଷଣା କରିଛି। ଫଳରେ ଅଫ୍‌ସ୍ପିନର ସୋଏବ୍ ବସିର ବାଦ୍‌ପଡ଼ିବେ। ୨ୟ ଟେଷ୍ଟରେ ଆଣ୍ଡରସନ୍ ଭଲ ବୋଲିଂ କରିଥିଲେ। ୬୯୫ ଟେଷ୍ଟ ୱିକେଟ ନେଇଥିବା ଆଣ୍ଡରସନ୍‌ଙ୍କ ପ୍ରତି ଆମ ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ ଅପରିବର୍ତ୍ତିତ ରହିବ। ଭାରତ ଅପେକ୍ଷା ଇଂଲଣ୍ଡର ବ୍ୟାଟିଂ ଶକ୍ତିଶାଳୀ ମନେହେଉଛି। ଦୁଇ ଓପ୍‌ନର ବେନ୍ ଡକେଟ୍‌ ଓ ଜ୍ୟାକ୍ କ୍ରଲି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ଓଲି ପୋପ୍ ଓ ଜୋ ରୁଟ୍‌ ଭଲ ବ୍ୟାଟିଂ କରୁଛନ୍ତି। ଅଧିନାୟକ ବେନ୍ ଷ୍ଟୋକ୍‌ସ ୨ଟି ଭଲ ଇନିଂସ ଖେଳିଛନ୍ତି। ତେବେ ଜନି ବେୟାରଷ୍ଟୋଙ୍କୁ ରନ୍‌ କରିବାକୁ ପଡ଼ିବ। ଯଦି ଇଂଲଣ୍ଡର ବ୍ୟାଟିଂ ସଫଳ ହୁଏ; ତେବେ ଭାରତକୁ ଏହା କଡ଼ା ଆହ୍ବାନ ଦେଇପାରେ। ଇଂଲଣ୍ଡ ପାଇଁ ସର୍ବାଧିକ ୧୪ଟି ୱିକେଟ ନେଇଛନ୍ତି ବାମହାତି ସ୍ପିନର ଟମ୍ ହାର୍ଟଲି। ଆଣ୍ଡରସନ୍ ୫ଟି ୱିକେଟ ନେଲେ ୭୦୦ ଟେଷ୍ଟ ୱିକେଟ ପୂରଣ କରିବେ। ସେ ୬ଟି ୱିକେଟ ନେଲେ ଭାରତ ବିପକ୍ଷରେ ୧୫୦ ଟେଷ୍ଟ ୱିକେଟ ପୂରଣ କରିବେ। ରବିଚନ୍ଦ୍ରନ୍ ଅଶ୍ବିନ ଗୋଟିଏ ୱିକେଟ ନେଲେ ୫୦୦ ଟେଷ୍ଟ ୱିକେଟ ପୂରଣ କରିବେ। ସେ ୩ଟି ୱିକେଟ ନେଲେ ଇଂଲଣ୍ଡ ବିପକ୍ଷରେ ୧୦୦ ଟେଷ୍ଟ ୱିକେଟ ପୂରଣ କରିବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories