୫୭୪/୮ରେ ଭାରତର ପାଳି ଘୋଷଣା ; ଜାଡ଼େଜା ୧୭୫ରେ ଅପରାଜିତ

ମୋହାଲି :  ଭାରତ-ଶ୍ରୀଲଙ୍କା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ ଦମଦାର ପ୍ରଦର୍ଶନ କରି ପାଳି ଘୋଷଣା କରିଛି । ୮ ୱିକେଟ ହରାଇ ୫୭୪ ରନରେ ଭାରତ  ପ୍ରଥମ ପାଳି ଘୋଷଣା କରିଛି। ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ଓ  ଅଶ୍ବିନଙ୍କ ୬୧ ରନ ବଳରେ ଭାରତ ଏହି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ରବୀନ୍ଦ୍ର ଜାଡ଼େଜା ୧୭୫ରନରେ ଅପରାଜିତ ଅଛନ୍ତି।

ଶନିବାର ମ୍ୟାଚର ଦ୍ବିତୀୟ ଦିନରେ ରବୀନ୍ଦ୍ର ଜାଡ଼େଜା ଓ ରବି ଚନ୍ଦ୍ରନ ଅଶ୍ବିନଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ଭାରତ ଆଜି ୩୫୭/୬ ରୁ ଖେଳ ଆରମ୍ଭ କରିଥିଲା। ଶୁକ୍ରବାର ୪୫ ରନ କରି ଅପରାଜିତ ଥିବା ରବୀନ୍ଦ୍ର ଜାଡ଼େଜା ଆଜି ଶତକ ହାସଲ କରିଥିଲେ। ପରେ ପାଳି ଘେଷଣା ହେବା ବେଳକୁ ସେ ୨୨୮ ବଲରେ ୧୭୫ ରନ କରି ଅପରାଜିତ ଥିଲେ । ଅଶ୍ବିନ ୮୨ ବଲରେ ୬୧ ରନ କରି ଆଉଟ ହୋଇଥିଲେ। ସେହିପରି ଜୟନ୍ତ ଯାଦବ ୨ ରନ କରି ଆଉଟ ହୋଇଥିଲେ । ପାଳି ଘେଷଣା ହେବା ବେଳକୁ ମହମ୍ମଦ ଶାମି ମଧ୍ୟ ୨୦ ରନ କରି ଅପରାଜିତ ଥିଲେ।

ଶୁକ୍ରବାର ରୋହିତ ଓ ମୟଙ୍କ ଅଗ୍ରୱାଲ ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ। ଉଭୟେ ପ୍ରଥମ ୱିକେଟ ପାଇଁ ୯.୫ ଓଭରୁ ୫୨ରନ ସଂଗ୍ରହ କରିଥିଲେ। ରୋହିତ ୨୮ଟି ବଲରୁ ୬ଟି ଚୌକା ସହ ୨୯ରନ କରି ଲାହିରୁ କୁମାରାଙ୍କ ବଲରେ ସୁରଙ୍ଗା ଲାକ୍‌ମଲଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ମୟଙ୍କ ଅଗ୍ରୱାଲଙ୍କ ସହ ହନୁମା ବିହାରୀ ପାଳିକୁ ଆଗକୁ ବଢାଇଥିଲେ । ଉଭୟେ ଦ୍ବିତୀୟ ୱିକେଟ ପାଇଁ ବଡ ସ୍କୋର ଯୋଡିବାରେ ବିଫଳ ହୋଇଥିଲେ। ଦଳୀୟ ସ୍କୋର ୮୦ରନ ଥିବାବେଳେ ମୟଙ୍କ ଲାସିଥ ଏମ୍ବୁଲଡେନିଆଙ୍କ ବଲରେ ଏଲବିଡବ୍ଳୁ ଆଉଟ୍‌ ହୋଇଥିଲେ। ମୟଙ୍କଙ୍କ ୱିକେଟ ପରେ ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ ଖେଳୁଥିବା କୋହଲି ଆତ୍ମବିଶ୍ବାସର ସହିତ ପଡିଆକୁ ଓହ୍ଳାଇଥିଲେ। କୋହଲି ଓ ହନୁମା ବିହାରୀ ତୃତୀୟ ୱିକେଟ ପାଇଁ ୯୦ରନ ଯୋଡିଥିଲେ । ସ୍କୋର ୧୭୦ରନ ଥିବାବେଳେ କୋହଲି ୪୫ରନ କରି ଲାସିଥ ଏମ୍ବୁଲଡେନିଆଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। କୋହଲି ୭୬ଟି ବଲରୁ ୫ଟି ଚୌକା ସହ ୪୫ରନ କରିଥିଲେ। କୋହଲିଙ୍କ ୱିକେଟ ପରେ ମାତ୍ର ୫ରନ ବ୍ୟବଧାନରେ ବିହାରୀଙ୍କ ୱିକେଟ ହରାଇଥିଲା ଭାରତ। ସ୍କୋର ୧୭୫ରନ ଥିବାବେଳେ ବିହାରୀ ୧୨୮ଟି ବଲରୁ ୫ଟି ଚୌକା ସହ ୫୮ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟ ପାଇଁ ୱିକେଟରକ୍ଷକ ଋଷଭ ପନ୍ତ୍‌ ଓ ଶ୍ରେୟାସ ଆୟର ୫୩ ଯୋଡିବା ସହିତ ଦଳୀୟ ସ୍କୋରକୁ ୨୦୦ ପାର କରିଥିଲେ। ୨୨୮ରନ ସ୍କୋର ଥିବାବେଳେ ଶ୍ରେୟାସ ୪୮ଟି ବଲରୁ ୩ଟି ଚୌକା ସହ ୨୭ରନ କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ୱିକେଟ ପତନ ଘଟି ଚାଲିଥିବାବେଳେ ଅନ୍ୟପଟେ ପନ୍ତ୍‌ ଚିରାଚରିତ ଭ‌ାବେ ରନ କରି ଚାଲିଥିଲେ। ଷଷ୍ଠ ୱିକେଟ ପାଇଁ ପନ୍ତ୍‌ ଓ ରବୀନ୍ଦ୍ର ଜାଡେଜା ୧୦୪ରନ ଯୋଗ କରିଥିଲେ। ସ୍କୋର ୩୩୨ରନ ଥିବାବେ​ଳେ‌ ଭାରତ ପନ୍ତ୍‌ଙ୍କ ୱିକେଟ ହରାଇଥିଲା। ପନ୍ତ୍‌ ବିସ୍ଫୋରକ ବ୍ୟାଟିଂ କରି ୯୭ଟି ବଲରୁ ୯ଟି ଚୌକା ଓ ୪ଟି ଛକା ସହ ୯୬ରନ କରି ଲାକ୍‌ମଲଙ୍କ ବଲ​ରେ‌ର କ୍ଳିନ ବୋଲ୍ଡ ହେବା ସହିତ ଶତକରୁ ବଞ୍ଚିତ ହୋଇଥିଲେ। ସପ୍ତମ ୱିକେଟ ପାଇଁ ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ଅବିଭାଜିତ ୨୫ରନ ଯୋଗ କରିଥିଲେ । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୪୫ ଓ ଅଶ୍ବିନ ୧୦ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଲାସିଥ ଏମ୍ବୁଲଡେନିଆ ୨ଟି, ସୁରଙ୍ଗା ଲାକ୍‌ମଲ ୨, ବିଶୁଆ ଫର୍ଣ୍ଣାଣ୍ଡୋ ୨, ଲାହିରୁ କୁମାରା ଓ ଧନଞ୍ଜୟ ଡିସିଲ୍‌ଭା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

 

Comments are closed.