ଭୁବନେଶ୍ୱର : ରାଜ୍ୟର ୮ଟି ପ୍ରମୁଖ ରାଜନୈତିକ ଦଳ ଦେଶବ୍ୟାପୀ କୃଷକମାନଙ୍କ ସଂଗଠିତ ଆନ୍ଦୋଳନ ପ୍ରତି ସଂହତି ଓ ଦୃଢ଼ ସମର୍ଥନ ଜ୍ଞାପନ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନମାନଙ୍କ ପକ୍ଷରୁ ଚାଲିଥିବା ପ୍ରତିବାଦ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। କୃଷକମାନଙ୍କ ପକ୍ଷରୁ କୃଷି ଓ କୃଷକ ବିରୋଧି ଆଇନ୍ଗୁଡିକୁ ପ୍ରତ୍ୟାହାର ଦାବି କରି ଆସନ୍ତା କାଲି ଡିସେମ୍ବର ୮ ତାରିଖ ମଙ୍ଗଳବାର ଭାରତ ବନ୍ଦ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜ୍ଞାପନ କରିଛନ୍ତି।
ଏହି ନୂତନ ଆଇନ୍ଗୁଡିକ ପାର୍ଲାମେଂଟାରୀ ବ୍ୟବସ୍ଥାରେ ରହିଥିବା ସମସ୍ତ ବିଧିବିଧାନ ଏପରିକି ଭୋଟ ଦାନ କରିବା ଗଣତାନ୍ତ୍ରିକ ପରମ୍ପରାକୁ ଉଲ୍ଲଘଂନ କରି ପାର୍ଲାମେଣ୍ଟରେ ପାରିତ କରାଯାଇଛି। ଏହି ଆଇନ୍ ଦ୍ୱାରା ଦେଶର କୃଷି ଓ କୃଷକମାନେ ଧ୍ୱଂସ ଆଡକୁ ଠେଲି ହୋଇଯିବେ। ଦେଶର ଗରିବ ଲୋକେ ପାଉଥିବା ଖାଦ୍ୟ ନିରାପତା ଲୋପ ପାଇବ। କୃଷକମାନଙ୍କ ପାଇଁ ରହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାର ବ୍ୟବସ୍ଥାର ପତ୍ତନ ଘଟିବ। ଆମର କୃଷି ଏବଂ ବଜାର ଦେଶୀ-ବିଦେଶୀ ବଡ ବଡ କର୍ପୋରେଟ ପୁଞ୍ଜିପତିଙ୍କ ଚରାଭୂଇଁରେ ପରିଣତ ହେବ ।
କେନ୍ଦ୍ର ସରକାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମର ଅନ୍ନଦାତା କୃଷକ ଭାଇଭଉଣୀମାନଙ୍କ ନ୍ୟାଯ୍ୟପୂର୍ଣ୍ଣ ଦାବିକୁ ପୂରଣ କରିବାକୁ ହେବ।
ଆଜି କଂଗ୍ରେସ ଭବନଠାରେ ଅପରାହ୍ନ ୪ ଘଟିକା ସମୟରେ ୮ଟି ରାଜନୈତିକ ଦଳମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି। ଆଜିର ଏହି ବୈଠକରେ କଂଗ୍ରେସ ତରଫରୁ ଦୁଇ ବରିଷ୍ଠ ନେତା ପଂଚାନନ କାନୁନ୍ଗୋ ଓ ଶିବାନନ୍ଦ ରାୟ, ମାର୍କ୍ସବାଦି କମ୍ୟୁନିଷ୍ଟ ପାର୍ଟି ତରଫରୁ ଅଳିକିଶୋର ପଟ୍ଟନାୟକ ଓ ସୁରେଶ ପାଣିଗ୍ରାହୀ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ, ସିପିଆଇ (ଏମ୍.ଏଲ୍)ର ମହେନ୍ଦ୍ର ପରିଡା, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଆର୍.ଜେ.ଡି, ଫରୱାର୍ଡ ବ୍ଲକର ଜ୍ୟୋତିପ୍ରକାଶ ମହାପାତ୍ର ଓ ଏନ୍ସିପିର ବିକ୍ରମ ସ୍ୱାଇଁ ଯୋଗ ଦେଇଥିଲେ।
ଆସନ୍ତାକାଲି ଭାରତ ବନ୍ଦକୁ ଓଡିଶାରେ ପୂର୍ଣ୍ଣ ସଫଳ କରିବା ପାଇଁ ରାଜନୈତିକ ଦଳଗୁଡିକର ମିଳିତ ଆହ୍ୱାନ
Popular Categories



