ସୀମାରୁ ସେନା ଅପସାରଣ ସହ ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ସ୍ଥାପନ ଦିଗରେ ଚୀନ ଭାରତ ସହ ମିଳିମିଶି କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛି। ଉଭୟ ଦେଶର ବରିଷ୍ଠ ସାମରିକ ଅଧିକାରୀମାନଙ୍କ ମଧ୍ୟରେ ତୃତୀୟ ଆଲୋଚନା କାଳରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସେନା ଅପସାରଣ କରିବା ଏବଂ ଉତ୍ତେଜନା ହ୍ରାସ କରିବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ୧୪ କର୍ପସ କମାଣ୍ଡର ଲେଫ୍ଟ ଜେନେରାଲ ହରିନ୍ଦର ସିଂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବେଳେ ଚୀନ୍ ପକ୍ଷରୁ କମାଣ୍ଡର ମେଜର ଜେନେରାଲ ଲିୟୁ ଲି ନେତୃତ୍ୱ ନେଇଥିଲେ।
ଏହି ବୈଠକ ପୂର୍ବ ଲଦାଖର ଚୁସୁଲ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପଟେ ହୋଇଥିଲା। ସକାଳ ୧୧ ଟାରୁ ଆରମ୍ଭ ହୋଇ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା। ମଙ୍ଗଳବାର ହୋଇଥିବା ଆଲୋଚନାରେ, ଉଭୟ ପକ୍ଷ ଜୁନ୍ ୬ରେ ପ୍ରଥମ କମାଣ୍ଡରସ୍ତରୀୟ ଆଲୋଚନାରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡିକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରିବାକୁ ରାଜି ହୋଇଥିବା ଜଣାପଡିଛି। ଏହି ଆଲୋଚନାରେ ଉଭୟ ପକ୍ଷର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି ଯାହା ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ କରିବ ଏବଂ ଆଗାମୀ ଦିନରେ ଉଭୟ ସାମରିକ ଓ କୂଟନୈତିକ ସ୍ଥରରେ ଅଧିକ ପାରସ୍ପରିକ ଆଲୋଚନା ପରେ ସମାଧାନର ସୂତ୍ର ବାହାରିପାରିବ। ସାମଗ୍ରିକ ପରିସ୍ଥିତିକୁ ଏକ ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ପରିଚାଳନା କରିବା ଉପରେ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଆଗାମୀ ସମୟରେ ବିଭିନ୍ନ ପର୍ଯ୍ୟାୟ ବୈଠକରେ ଏ ନେଇ ଆଲୋଚନା କରାଯିବାକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି।



