ସ୍କଚ୍ ରିପୋର୍ଟ ଓ ଇଣ୍ଡିଆ ଟ୍ରେଣ୍ଡ୍ସରେ ନବୀନ ତୃତୀୟ

ସୁଶାସନରେ ପ୍ରଥମରେ ଜଗନ, ୨ୟରେ ମମତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତାକୁ ପୂର୍ବରୁ ବହୁ ପ୍ରଶଂସା ମିଳିଥିବାବେଳେ ଏବେ ଆଉ ୨ଟି ଫର୍ଦ ଯୋଡ଼ି ହୋଇଯାଇଛି । ରାଜ୍ୟ ଆଇଟି ବିଭାଗ ସୂଚନା ଅନୁଯାୟୀ ଇଣ୍ଡିଆ ଟ୍ରେଣ୍ଡ୍ସରେ ନବୀନ ତୃତୀୟ ସ୍ଥାନରେ ରହିଛନ୍ତି। ‘ନବୀନ ବେଷ୍ଟ ସିଏମ ଫର ୨୨ ଇୟର୍ସକୁ’ ୧୩୦୦ ଜଣ ଟୁଇଟ କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଓ ଦକ୍ଷିଣ କୋରିଆର ରାପର ସୁଗାଙ୍କ ଜନ୍ମଦିନକୁ ନେଇ ହୋଇଥିବା ଟ୍ବିଟ ପରେ ଏହା ତୃତୀୟ ସ୍ଥାନରେ ରହିଛି। ସେହିପରି ସଦ୍ୟ ପ୍ରକାଶିତ ୨୦୨୧ ସ୍କଚ୍ ସୁଶାସନ ରିପୋର୍ଟ କାର୍ଡରେ ମଧ୍ୟ ନବୀନ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଆଗରେ ରହିଛନ୍ତି ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରଥମ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଓ ଦ୍ବିତୀୟ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ରିପୋର୍ଟ କାର୍ଡ଼ରେ ଓଡ଼ିଶାକୁ ‘ତାରକା ରାଜ୍ୟ’ ଶ୍ରେଣୀରେ ରଖାଯାଇଛି। ପୁଲିସ ଓ ନିରାପତ୍ତା, କୃଷି, ଖଣି, ଅର୍ଥ ଓ ରାଜସ୍ବ, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ ବିକାଶ, ପରିବହନ ଓ ଜଳ ଯୋଗାଣ ପରି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ବହୁ ଆଗରେ ରହିଛି। ଓଡ଼ିଶା ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରି ବିକଶିତ ରାଜ୍ୟଗୁଡ଼ିକ ତୁଳନାରେ ବହୁ ଆଗରେ ରହିଛି। ୨୦୨୦ ରିପୋର୍ଟ କାର୍ଡ଼ରେ ନବୀନ ଅଷ୍ଟମ ସ୍ଥାନରେ ଥିଲେ। ରିପୋର୍ଟରେ ୪ର୍ଥରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ୫ମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ୬ଷ୍ଠରେ ତେଲଙ୍ଗାନାର କେ.ଚନ୍ଦ୍ରଶେଖର ରାଓ, ୭ମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୮ମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ୯ମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ୧୦ମରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରହିଛନ୍ତି।

kalyan agarbati

Comments are closed.