www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ ଓ ଆମେରିକା

ମୁଁ ଏ ରଚନା ଲେଖୁଚି ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୋଟେରାରେ ବିଶ୍ବର ବୃହତ୍ତମ ଷ୍ଟାଡିୟମରେ ପରସ୍ପରକୁ ପ୍ରଶଂସାରେ ପୋତି ପକେଇଲା ବେଳେ। ମୁଁ ଶୁଣୁଚି କିଭଳି ଟ୍ରମ୍ପ ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣର ସାମର୍ଥ୍ୟକୁ ନେଇ ଗର୍ବ କରୁଛନ୍ତି। ମୁଁ ଶୁଣୁଚି କିଭଳି ମୋଦୀ ଭାରତର ସାଂସ୍କୃତିକ ବିବିଧତା ଓ ବିକାଶ ଗାଥାକୁ ଉଦ୍‌ଘୋଷିତ କରୁଛନ୍ତି। ମୁଁ ଦେଖୁଛି ସେମାନେ କେତେ ଉଷ୍ମ ଅନ୍ତରଙ୍ଗତାର ସହିତ ପରସ୍ପରର କରମର୍ଦନ କରୁଛନ୍ତି ଓ ପରସ୍ପରକୁ କୋଳାଗ୍ରତ କରୁଛନ୍ତି। ଚ୍ୟାନେଲ୍‌ ପରେ ଚ୍ୟାନେଲ୍‌ ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଓ ଆତଙ୍କବାଦ-ବିରୋଧୀ ସାମ୍ମୁଖ୍ୟର ବର୍ଣ୍ଣନା କରୁଛନ୍ତି। କମ୍ପୁଚି ମୋଟେରାର ଜନସମୁଦ୍ର। ଦେଖୁଦେଖୁ ଟ୍ରମ୍ପ ଦମ୍ପତି ପହଞ୍ଚୁଛନ୍ତି ଆଗ୍ରାରେ। ଉଦ୍‌ଭାସିତ ହୋଇଉଠୁଚି ଜ୍ୟୋତ୍ସ୍ନାରାତିରେ ଘନୀଭୂତ ଅଶ୍ରୁବିନ୍ଦୁ ତାଜମହଲ। ୟା’ ପରେ ଟ୍ରମ୍ପ ଆସିବେ ଦିଲ୍ଲୀ। ଦ୍ବିପାକ୍ଷିକ ଆଲୋଚନା ହେବ। ବିଶଦ ବିବରଣୀ ପ୍ରସ୍ତୁତ କରିବେ ବିଶ୍ବର ଶତାଧିକ ସାମ୍ବାଦିକ, ପ୍ରତିଶବ୍ଦ ଗୁଞ୍ଜରିତ ହେବ ଶତାଧିକ ଚ୍ୟାନେଲ୍‌ରେ। ଟ୍ରମ୍ପଙ୍କର ଦୁଇଦିନର ଭାରତ ଗସ୍ତ ଭାରତ ପାଇଁ ପୁରୁଣା ହୋଇଯିବ।
ବ୍ୟବସାୟିକ ଚୁକ୍ତିରେ ଏମିତି କିଛି ହେବନାହିଁ, ଯାହା ଭାରତର ଅନୁମାନର ବାହାରେ। ଭାରତର ବିଚକ୍ଷଣ ରାଜନେତା ଓ କୂଟନୀତିଜ୍ଞମାନେ ଜାଣନ୍ତି ଯେ ଆମେରିକା କାହାର ନୁହେଁ। ତେଣୁ ଅନ୍ତରଙ୍ଗତାର ଲୁହା ପାଚି ଲାଲ ହୋଇଥିବାବେଳେ ହାତୁଡିରେ ପାହାରେ ପକେଇଲେ ଯେତିକି ବାଙ୍କିବ ଲୁହା ସେତିକି ଯଥେଷ୍ଟ। ଟ୍ରମ୍ପ ଜଣେ ମହଦାକାଙ୍‌କ୍ଷୀ ରାଜନେତା, ଜଣେ ରାଷ୍ଟ୍ରବାଦୀ ରାଷ୍ଟ୍ରନାୟକ। ମୋଦୀ ଜଣେ ପ୍ରଭାବନ୍ତ (କାରିସ୍ମାଟିକ୍‌) ରାଜନେତା ଓ ଜଣେ ରାଷ୍ଟ୍ରବାଦୀ ଲୋକନାୟକ। ଟ୍ରମ୍ପ ଆମେରିକା ପାଇଁ ଆମେରିକାର ରଚନା କରୁଛନ୍ତି। ଆମେରିକାନ୍‌ ସ୍ବପ୍ନକୁ ସତ୍ୟରେ ପରିଣତ କରିବାକୁ ଚାହୁଁଛନ୍ତି। ଆମେରିକା ପାଇଁ ଆମେରିକାର ରଚନା ଓ ଆମେରିକାର ସ୍ବପ୍ନ କ’ଣ। ଆମେରିକା ପାଇଁ ଆମେରିକାର ଅର୍ଥ ଆମେରିକାନ୍ସ ପାଇଁ ଆମେରିକା, ଅର୍ଥାତ ଶ୍ରମ, କର୍ମ, ଜ୍ଞାନ ଓ କୌଶଳର ଆଧାରରେ ଆମେରିକାରେ ପ୍ରବେଶ କରି ନିଜ ପାଇଁ ଆମେରିକାନ୍ସଙ୍କ ସମକକ୍ଷ ହେବାର ଗୌରବ ହାସଲ କରିଥିବା ବିଶ୍ବର ପ୍ରାୟ ସବୁ ଦେଶରୁ ଆସିଥିବା ପ୍ରବାସୀମାନଙ୍କ କବଳରୁ ଆମେରିକାନ୍‌ ଆମେରିକାକୁ ଉଦ୍ଧାର କରି ଗୋଟିଏ ବିଚ୍ଛୁରିତ ରାଷ୍ଟ୍ରୀୟତାକୁ ଠୁଳୀଭୂତ କରିବା।
ବହୁଦିନ ତ​‌େ​‌ଳ, ଆମେରିକାର ରାଷ୍ଟ୍ରଦୂତ ଡାନିଏଲ ପାଟ୍ରିକ ମୋଇନିହାନ୍‌ ଓ ଏମ.ଆଇ.ଟି ପ୍ରଫେସର ଲେଖିଥିବା ଖଣ୍ଡିଏ ଅତି ପ୍ରଭାବଶାଳୀ ବହି ‘ଇନ୍‌ ଦ ଗେଲ୍ଟି ପଟ୍‌’ ମୋ ହାତକୁ ଆସିଥିଲା। ବହିର ଚର୍ଚ୍ଚିତ ବିଷୟ ଥିଲା ଆମେରିକାରେ ସଂଖ୍ୟାଲଘୁଙ୍କର ମୁଖ୍ୟସ୍ରୋତରେ ନିମଜ୍ଜନ। ବହୁ ସଂଖ୍ୟାଲଘୁ ଲୋକ ସଂପ୍ରଦାୟଙ୍କୁ ଆମେରିକାର ମୁଖ୍ୟସ୍ରୋତରେ ନିମଜ୍ଜିତ କରି ବିଶାଳ ଯୁକ୍ତରାଷ୍ଟ୍ର ଆମେରିକାର କଳ୍ପନା ଏକଦା ଆମେରିକାନ୍‌ ଉଦାରବାଦର ସର୍ବଶ୍ରେଷ୍ଠ ଉପଲବ୍ଧ ଥିଲା। ଆମେରିକାର ସାହାଣମେଲା ଦ୍ବାର, ଦେଇ ସତେ ଅବା ଗୋଟିଏ ବିଶ୍ବ ପଶିଯାଇଥିଲା ଆମେରିକାରେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ମିତ୍ରଶକ୍ତିର ନେତୃତ୍ବନେଇ ସାମ୍ରାଜ୍ୟବାଦୀ ୟୁରୋପକୁ କାଳେ ଅନୁଗାମୀ ଗୋଷ୍ଠୀରେ ପରିଣତ କରିଥିଲା ଆମେରିକା। ସେଇଥିରୁ ଆରମ୍ଭ ହୋଇଥିଲା ଉତ୍ତର-ଔପନିବେଶିକ ବିଶ୍ବରେ ଆମେରିକାର ପ୍ରଭୁତ୍ବର ମହାପାଠ। ୟୁରୋପର ବିଶାଳ ପୁଞ୍ଜି ପ୍ରବେଶ କରିଥିଲା ଆମେରିକାରେ । ଅର୍ଥନୀତିଜ୍ଞମାନେ ଜାଣନ୍ତି ଯେ ଆମେରିକା ବିଶ୍ବର ସବୁଠୁ ବଡ଼ ଧନୀରାଷ୍ଟ୍ର ଓ ତା’ ସହିତ ଆମେରିକା ବିଶ୍ବର ସବୁଠୁ ବଡ଼ ଋଣୀ ରାଷ୍ଟ୍ର। ଏ ଋଣ ୟୁରୋପକୁ ଫେରିବାର ସମ୍ଭାବନା ନାହିଁ, କାରଣ ୟୁରୋପିଅନ୍‌ ୟୁନିଅନ୍‌ ଗଠନକରି ଡଲାରର ସମକକ୍ଷ ଗୋଟିଏ ବିଶ୍ବମୁଦ୍ରା ‘ୟୁୁରୋ’ ଦ୍ବାରା ବଜାର ନିୟନ୍ତ୍ରିତ କରିବାର ମହଦାକାଙ୍‌କ୍ଷା ଫଳବତୀ ହେବାର ସମ୍ଭାବନା ନାହିଁ। ବ୍ରେକ୍ସିଟ୍‌ ଫଳରେ ୟୁରୋପିଆନ୍‌ ୟୁନିଅନ୍‌ରୁ ନିଜର ମହାମୁଦ୍ରା ‘ପାଉଣ୍ଡ’କୁ ନେଇ ଇଂଲଣ୍ଡ ଓହରିଯିବା ମଧ୍ୟ ଗୋଟିଏ ପ୍ରଚଣ୍ଡ ଧକ୍କା, ୟୁରୋପିଆନଙ୍କ ସଂଘ ନିର୍ମାଣକୁ। ତା’ ସହିତ ପୁଣି ଅଛି ଗ୍ରୀସ୍‌ ଭଳି ଦରିଦ୍ର ୟୁରୋପୀୟ ଦେଶଙ୍କର ରାଷ୍ଟ୍ରୀୟ ସ୍ବାଭିମାନର ପୁନର୍ଜାଗରଣ ଭଳି ଗ୍ରେକୋ-ରୋମାନ୍‌ ସଭ୍ୟତାର ଉଭୟ ୟୁରୋପୀୟ ଦେଶମାନଙ୍କ ଭିତରେ ନିଜ ଭାଗ୍ୟ ନିଜେ ନିୟନ୍ତ୍ରିତ କରିବାର ଏକ ରାଷ୍ଟ୍ରବାଦୀ ସଂକଳ୍ପ।
ୟୁରୋପୀୟମାନେ ଏକାଠି ହେବାର ଯୋଜନା ସଂପୂର୍ଣ୍ଣ ନହେବାର ସ୍ଥିତିରୁ ଆମେରିକା ଏ ଶିକ୍ଷା ମଧ୍ୟ ଗ୍ରହଣ କଲା ଯେ ଭବିଷ୍ୟତରେ ଆମେରିକାକୁ ଏକ ସ୍ବ-ନିର୍ଭର ପୁଞ୍ଜିବାଦୀ, ବିନାଶକ ଓ ରାଷ୍ଟ୍ରବାଦୀ ଦେଶରେ ପରିଣତ ନକରିପାରିଲେ ୟୁରୋପୀୟମାନେ ତାଙ୍କ ଦ୍ବାରା ନିୟୋଜିତ ପୁଞ୍ଜି ଓ ଅନ୍ଧ-ସମର୍ଥନର ହାତ, ଦୁଇଟାଯାକ ଫେ​‌େ​‌ରଇ ନେଇ ପାରନ୍ତି। ସେତେବେଳେ, ନିଃସମ୍ବଳ ଆମେରିକାକୁ କିଏ ପଚାରିବ? ଆଖିକୁ ସିନା ଦିଶୁନାହିଁ, କିନ୍ତୁ ଦରିଦ୍ର ଓ କ୍ଷୁଦ୍ର ଦେଶମାନେ ମଧ୍ୟ ବର୍ତ୍ତମାନ ଆମେରିକାନ୍‌ ଭ୍ରାତୃତ୍ବର ହାତ ଛାଡ଼ିବା ପାଇଁ ତତ୍ପର ହେଲେଣି।’ ଭୌଗୋଳିକ-ରାଜନୈତିକ ରାଷ୍ଟ୍ରମାନଙ୍କରେ ଆମେରିକାନ୍‌ ପ୍ରଭାବ ଆକଳନର ନୂଆ ମାନକ କ୍ରମେ ଚର୍ଚ୍ଚିତ ହେଲାଣି। କହିପାରନ୍ତି ଭୌଗୋଳିକ-ରାଜନୈତିକ କୂଟନୀତିରେ କ୍ଷେତ୍ରୀୟ ସନ୍ତୁଳନ ବଜାରତନ୍ତ୍ରର ନୂଆ ପ୍ରୟୋଗ ଆରମ୍ଭ ହେଲାଣି। ଆଗର ରାଜନୀତି ଓ ଏବର ରାଜନୀତି ଭିତରେ ଯେମିତି ବଡ଼ ପାର୍ଥକ୍ୟ, ସେବର କୂଟନୀତି ଓ ଏବର କୂଟନୀତି ଭିତରେ ସେହିଭଳି ବଡ଼ ପାର୍ଥକ୍ୟ। ସବୁ କୂଟକପଟ ପଦାକୁ ଦିଶୁଚି ଓ ହାୱାରେ କିଲା ଗଢ଼ିବାର ସୁସଂପାଦିତ ଚୁକ୍ତିମାନଙ୍କରେ ଆଉ କାହାରି ବିଶ୍ବାସ ନାହିଁ। ୟାବି କହିପାରନ୍ତି ଯେ ଆମେରିକାନମାନେ ଅତି ଚାଲାକ ହୋଇ ହେଜିମୋନି ବା ପ୍ରଭୁତ୍ବ ସ୍ଥାପନାର ଯେଉଁ ଜାଲ ବୁଣିଥିଲେ ସେଇଥିରେ ନିଜେ ପଡ଼ିଗଲେ। ଯେଉଁ ମିଥ୍ୟା ଓ ଛଳନାର ଭାଷାରେ ସେମାନେ ବିଶ୍ବର କ୍ଷୁଦ୍ର ଅବିକଶିତ ଦେଶମାନଙ୍କୁ ବଶମ୍ବଦ କରି ସସାଗରା ଧରାର କର୍ତ୍ତୃତ୍ବ ହାସଲ କରିବାକୁ ଚାହୁଁଥିଲେ ତାହା ଧରାପଡ଼ିଗଲା। ନିଜ ବାହାଦୁରୀର ସ୍ତୁତିଗାନ କରି ତାଙ୍କରି ନିଜ ବଡ଼ବୋଲା ବିଦ୍ବାନମାନେ ତାଙ୍କର କଳକୌଶଳ ପଦାରେ ପକାଇ ଦେଲେ। ଆମେରିକାନ-ୟୁରୋପିଆନ୍‌ ବ୍ରେଟନ୍‌ ଉଡସ୍‌ ଅନୁଷ୍ଠାନ ( ଯଥା ବିଶ୍ବବ୍ୟାଙ୍କ) ଗୁଡ଼ିକ କିଭଳି ନୀତିମାନଙ୍କୁ ପ୍ରଭୁଙ୍କ ସ୍ବାର୍ଥରେ ନିର୍ମାଣ କରନ୍ତି ବ୍ୟବହାର ତାହା ସେଇମାନେ ହଁ ଲୋକରେ ପ୍ରଚାରିତ କରିଦେଲେ। ମୋର ସାମାନ୍ୟତମ ସଂପୃକ୍ତିରୁ ମୁଁ ଜାଣେ କିଭଳି ‘ଅଙ୍କଟାଡ଼’ରୁ ‘ଗ୍ୟାଟ୍‌’କୁ ଆସିଲା ପୁଞ୍ଜିବାଦୀଙ୍କ ବ୍ୟବସାୟିକ ଦର୍ଶନ ଓ କିଭଳି ସମସ୍ତ ପ୍ରୟାସ ସତ୍ତ୍ବେ ଜାତିସଂଘ ଓ ତା’ର ଅନ୍ୟ ଅବୟବମାନଙ୍କର କ୍ଷୁଦ୍ରଦେଶମାନଙ୍କର ସ୍ବର ଫିଟିବା ଆରମ୍ଭ ହୋଇଛି। କୁହାଯାଇପାରେ ଯେ ଆମେରିକାନ୍‌ଙ୍କ ହାତରେ ଏଇନେ ‘କମ୍‌ ବିଜ୍ଞାନ ଓ ଅଧିକ ଟେକ୍ନୋଲୋଜି’ର ଗୋଟିଏ ଦୁର୍ବଳ ବୌଦ୍ଧିକ ତନ୍ତ୍ର ମାତ୍ର ଅଛି। ସେ ପୁଣି ବିନାଶକ ଯୁଦ୍ଧାସ୍ତ୍ରର ଓ ମାରଣାସ୍ତ୍ରର। ବିଶ୍ବରେ ଯୁଦ୍ଧ ଲାଗିଲେ ମାରଣାସ୍ତ୍ର ବିକିବା ସୁବିଧା ହେବ। ଆମେରିକାନ୍‌ ଧନୀ ଆହୁରି ଧନୀ ହେବେ, କିନ୍ତୁୁ ଧୀରେଧୀରେ ଆମେରିକାନ୍‌ ପତିଆରା ହ୍ରାସ ପାଉଛି। ବିଶ୍ବୀକରଣର ପ୍ରଥମ କେତେକ ବର୍ଷ ଭିତରେ ସ୍ପଷ୍ଟ ହୋଇଗଲା ଯେ ସୀମାରେଖାହୀନ ସମତଳ ବିଶ୍ବର କଳ୍ପନା ଥିଲା ବସ୍ତୁତଃ ଆମେରିକା ପରିଚାଳିତ ଏକ ବିପଣନ ବ୍ୟବସ୍ଥା ଯାହାର ଅନ୍ତତଃ ତ୍ରି-ଚତୁର୍ଥାଂଶ ରହିବ କମ୍‌ ଶ୍ରମ ଓ ଉଚ୍ଚ ଟେକ୍ନୋଲୋଜିରେ ନିର୍ମିତ ସାମଗ୍ରୀ ଯାହା ଆମେରିକା ଓ ୟୁରୋପୀୟ ବନ୍ଧୁରାଷ୍ଟ୍ରମାନଙ୍କ କବ୍‌ଜାରେ ରହିବ। ଆମର ବହୁଶ୍ରମ ଓ ନିମ୍ନ ଟେକ୍ନୋଲୋଜିରେ ନିର୍ମିତ ସାମଗ୍ରୀ ପାଇଁ ବଜାର କୋଉଠୁ ଆସିବ? ସେଥିରେ ପୁଣି ଅଛି ଏମିତି କୂଟ ଯେ ଆମ ଉତ୍ପାଦିତ ବସ୍ତୁମାନଙ୍କର ନିର୍ମାଣରେ ଶ୍ରମିକର ପାରିଶ୍ରମିକ ବା ମଜୁରି ବିଶ୍ବସ୍ତରୀୟ ଫେଆର ଲେବର ଷ୍ଟାଣ୍ଡାର୍ଡର ଅନୁରୂପ ହୋଇଥିବ। ଯଦି ସେ ଷ୍ଟାଣ୍ଡାର୍ଡ ପ୍ରୟୋଗ କରାଯାଏ ତା’ହେଲେ ଆମର କ୍ଷୁଦ୍ର ଉତ୍ପାଦଗୁଡ଼ିକ ବଜାରରେ ପ୍ରତିଦ୍ବନ୍ଦ୍ବିତା ବି କରିପାରିବେ ନାହିଁ। ଏସବୁ କହିବାର ତାତ୍ପର୍ୟ୍ୟ ଏହି ଯେ ଆମେରିକାନ୍‌ମାନେ ନିଜ ପାଇଁ ସବୁ ଯୋଗାଡ଼ କରି ସାରିଲେଣି। ତାଙ୍କର ଏମିତି କିଛି ଆବଶ୍ୟକତା ନାହିଁ ଯାହା ପୂରଣ କରିବା ପାଇଁ ସେମାନେ ଆମ ଉପରେ ନିର୍ଭର କରିବେ। ତେଣୁ ଟ୍ରମ୍ପଙ୍କ ଭାରତ ଗସ୍ତରେ ପରିଶେଷରେ ତାହାହିଁ ହେବ ଯାହା ହେବାର ଥିଲା। ମୋଦୀ-ଟ୍ରମ୍ପ କୋଳାକୋଳିର ଅନ୍ତରଙ୍ଗତା ଆମେରିକାନଙ୍କ ଆତ୍ମରକ୍ଷା ଶିଳାପ୍ରାଚୀରକୁ ଭେଦ କରି ସମ୍ବେଦନା ଓ ଭ୍ରାତୃତ୍ବର ସହବନ୍ଧନରେ ପରିଣତ ହେବାର ସମ୍ଭାବନା ନାହିଁ। ବଜାର ସନ୍ତୁଳନ ସବୁବେଳେ ୟୁରୋ-ଆମେରିକାନ୍‌ ଗୋଷ୍ଠୀଙ୍କ ସପକ୍ଷରେ ରହିବ।
ଆମ ପାଖରେ କିନ୍ତୁ ଏଭଳି ଗୋଟିଏ ସଂପଦ ଅଛି ଯାହା ଆମେରିକାନ୍‌ଙ୍କ ପାଖରେ ନାହିଁ ଓ ଯାହାକୁ ୟୁୁରୋପିଆନମାନେ ରେନାଁସାଁ ବା ନବୋନ୍ମେଷର ହାତୁଡ଼ିମାଡ଼ରେ ଧୂଳିସାତ କରିଦେଇଛନ୍ତି। ସେକୋ-ରୋମାନ ସଭ୍ୟତାର ଲାଭ ସେମାନେ କେହି ଆଉ ପାଇବେ ନାହିଁ। ଅନ୍ୟଭାବରେ କହିଲେ ଆମେରିକା ଭଳି ଏକ ସଭ୍ୟତାହୀନ ରାଷ୍ଟ୍ର ଓ ୟୁରୋପ ଭଳି ସଭ୍ୟତାଭ୍ରଷ୍ଟ ରାଷ୍ଟ୍ରପୁଞ୍ଜଙ୍କ ସାମ୍ନାରେ ବିଶାଳ ସଭ୍ୟତାର ଏକ ଅକଳ୍ପନୀୟ ନୈତିକ ଶକ୍ତି ନେଇ ଠିଆ ହୋଇଚି ଭାରତ। ବଜାରତନ୍ତ୍ର ବିରୋଧରେ ସଭ୍ୟତାକୁ ଗୋଟେ ଚାଲେଞ୍ଜର୍‌ ଭୂମିକାରେ ଠିଆ କରାଇ ପାରିବାକି ଆମେ ? ସଭ୍ୟତାକୁ ବଜାରରେ ଏକ ଭାରତୀୟ ଉତ୍ପାଦ ଭାବରେ ଠିଆ କରାଇପାରିବାକି ଆମେ? ସଭ୍ୟତା ବଜାରତନ୍ତ୍ରକୁ ବଦଳେଇ ଦେଇ ପାରିବ କି? ମୋଦୀ ତାଙ୍କର ମୋଟେରା ଅଭିଭାଷଣରେ ଭାରତଭୂମିର ପ୍ରାଚୀନତା କଥା କହିଲେ। ଟ୍ରମ୍ପ ମଧ୍ୟ ସଂସ୍କୃତିର ପ୍ରାଚୀନତା କଥା କହିଲେ, କିନ୍ତୁୁ ସଭ୍ୟତାର ଆଧାରରେ ନୂଆ ବିଶ୍ବର ନିର୍ମାଣ କଥା କେହି କହିଲେ ନାହିଁ। ବେପାର ବଣିଜର କଥା କୁହାଗଲା। ମୁକ୍ତ କଣ୍ଠରେ, କିନ୍ତୁ ସଭ୍ୟତାର କଥା କହୁକହୁ କହି ଦିଆଗଲା। ହଣ୍ଟିଂଟନ୍‌ ତାଙ୍କର ‘କ୍ଲାସ ଅଫ୍‌ ସିଭିଲାଇଜେସନସ୍‌’ ଗ୍ରନ୍ଥରେ ଭବିଷ୍ୟତର ସଂଘର୍ଷ ସଭ୍ୟତାର ଆଧାରରେ ହେବ ବୋଲି ଯେଉଁ ଭବିଷ୍ୟବାଣୀ କରି ସଭ୍ୟତାବିହୀନ ଆମେରିକାନ୍‌ଙ୍କୁ ସଭ୍ୟତା-ବିମୁଖ କରିଦେଲେ କି? ଭାରତୀୟତାର ଆଧାରରେ ନୂଆ ଭାରତରେ ସ୍ବପ୍ନ ଦେଖୁଥିବା ଆମର ଲୋକନାୟକ ମୋଦୀ ଭାରତୀୟ ସଭ୍ୟତାର ପ୍ରଭାବକୁ ନେଇ ଶତମୁଖ, କିନ୍ତୁ ତା’ର ଆନୁଷ୍ଠାନିକ ନିର୍ମାଣ ବିଷୟରେ ଏ ପର୍ୟ୍ୟନ୍ତ ଆକ୍ରାମକ ହୋଇପାରି ନାହାନ୍ତି କି?
କହିବାରେ ଦ୍ବିଧା ନାହିଁ ଯେ ଆଧୁନିକତା, ଇତିହାସ, ବିଜ୍ଞାନ, ସଭ୍ୟତା, ଏପରିକି ତଥ୍ୟ, ସବୁର ଅନ୍ତ ଘଟି ସାରିଚି ଓ ଆମେ ସବୁ ଅନ୍ତର ପରକାଳରେ ଠିଆହୋଇ କେବଳ ‘ବର୍ତ୍ତମାନ’ର ଦାୟରେ ବଞ୍ଚିବେ, ଏଭଳି ବୌଦ୍ଧିକ ଆତଙ୍କ ସୃଷ୍ଟି କରିଥିବା ୟୁରୋ-ଆମେରିକାନ୍‌ ଚିନ୍ତକମାନେ ବିଶ୍ବାତ୍ମାକୁ ଉପହାସ କରିବାର ଆସ୍ପର୍ଦ୍ଧା କରିଛନ୍ତି। ପୋଷ୍ଟ-ମଡର୍ଣ୍ଣ, ପୋଷ୍ଟ-ହିଷ୍ଟ୍ରି, ପୋଷ୍ଟ-ସାଇନ୍ସ, ପୋଷ୍ଟ- ସିଭିଲାଇଜେସନ, ପୋଷ୍ଟ-ଫ୍ୟାକ୍ଟର ଅର୍ଥ କ’ଣ ? ପାଞ୍ଚଶହ ବର୍ଷ ପୁରୁଣା ଗୋଟେ ଦେଶ ପାଞ୍ଚହଜାର ବର୍ଷରୁ ଊର୍ଦ୍ଧ୍ବକାଳ ତିଷ୍ଠିଥିବା ସଭ୍ୟତାକୁ ଉପହାସ କରି କହିବ ଯେ ଆମେ ଆମେରିକାନ୍‌ମାନେ ଯାହା ସବୁ କରିବାର କଥା କଲୁ, ଏଣିକି ଆଉ ନୂଆ କିଛି କରିବାର ସାମର୍ଥ୍ୟ ଆଉ କାହା ପାଖରେ ନାହିଁ। ନିଜ ସଭ୍ୟତାକୁ ରେନାଁସାଁ ନାଁରେ ନିଜେ ଭ୍ରଷ୍ଟ କରିଥିବା ୟୁରୋପୀୟମାନେ ଦାଦା ଆମେରିକାନ୍‌ଙ୍କ କଥାରେ ମୁଣ୍ଡ ଟୁଙ୍ଗାରିଲେ। ଆମେ ମାନିବା କି? ଆମେ ମୁଣ୍ଡ ଟୁଙ୍ଗାରି କହିବାକି ସବୁ ଶେଷ ହୋଇଗଲା?
ଭାରତୀୟ ସଭ୍ୟତା ହିଁ ଆମର ଏକମାତ୍ର ମହାଶକ୍ତି, ଯେଉଁଥିରେ ସଭ୍ୟତା ଆଧାରରେ ବିଶ୍ବର ପୁନର୍ଗଠନର ସୂତ୍ର ଅଛି। ଏ ସେହି ଶକ୍ତି ଯାହାର ବୌଦ୍ଧିକ ଚମତ୍କାରିତା ଆଗରେ ବସ୍ତୁବାଦୀ ବେପାରୀଙ୍କ ବଜାରତନ୍ତ୍ର ନିଷ୍ପ୍ରଭ। ମୋଦୀଙ୍କ ହାତରେ ଏ ମହାଶକ୍ତି ଅଛି, ଟ୍ରମ୍ପ ଜାଣନ୍ତି, କିନ୍ତୁ କୂଟନୈତିକ ବାଗାଡ଼ମ୍ବର ବାହାରେ ଏ ଶକ୍ତିର ତାତ୍ପର୍ୟ୍ୟ ବୁଝିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଜଣେ ଭାରତୀୟ ନାଗରିକ ଭାବରେ ମୁଁ ମନେକରେ ଯେ ଭାରତର ହୃଦସ୍ଥଳରେ ନିର୍ମିତ ହେଉ ଏକ ବିଶାଳ ‘ସେଣ୍ଟର ଫର୍‌ ଇଣ୍ଡିଆନ୍‌ ସିଭିଲାଇଜେସନ’। ଏ ହେବ ଆମେରିକା ସରକାରଙ୍କ ଦ୍ବାରା ସ୍ଥାପିତ ୧୯ଟି ମ୍ୟୁଜିଅମ୍‌ ଓ ୯ଟି ଗବେଷଣା ଓ ସାଂସ୍କୃତିକ କେନ୍ଦ୍ର ସମାହାରରେ ଗଠିତ ୱାଶିଂଟନ୍‌ର ସ୍ମିଥ୍‌ସୋନିଆନ୍‌ରୁ ଅନ୍ତତଃ ଦଶଗୁଣ ବଡ଼ ଏକ ଜୀବନ୍ତ ସଭ୍ୟତା କେନ୍ଦ୍ର। ମୋଦୀଙ୍କ ନେତୃତ୍ବରେ ଭାରତୀୟତାର ବିସ୍ମୟକର ମହାଦୃଶ୍ୟ ଓ ମହାପାଠ ଯଦି ସଂରକ୍ଷିତ ହୋଇ ରହିଯାଏ, ତେବେ ସଭ୍ୟତା ବି ବଣିକଙ୍କ ବଜାରରେ ଏକ ଦୁର୍ମୂଲ୍ୟ ଉତ୍ପାଦ ହୋଇ ଥୁଆହୋଇଯିବ। ୟାର ନିର୍ମାଣ ପାଇଁ ଯେଉଁ ବିପୁଳ ସଂପଦ ଲୋଡ଼ାହେବ ତାହା ଭାରତର ଧନିକମାନେ ଏଣ୍ଡାଓମେଣ୍ଟ ଆକାରରେ ଦେବେ, ଦରକାର ହେଲେ ଆମେ ନାଗରିକମାନେ ବି ଆମର ସ୍ବଳ୍ପ ସଂଚୟରୁ ଅଳ୍ପଟିକେ ରକ୍ତ ଭଳି ନିଗାଡ଼ି ଦେବୁ। ଆହୁରି ଭଲ ହେବ ଭାରତର ବନ୍ଧୁ ଟ୍ରମ୍ପ ଭାରତର ଏ ସଭ୍ୟତା କୀର୍ତ୍ତିପାଇଁ ସହଯୋଗର ହାତ ବଢ଼ାନ୍ତୁ। ସଭ୍ୟତାର ପୁନରାବର୍ତ୍ତନ ହିଁ ମାନବ କଲ୍ୟାଣର ଶ୍ରେଷ୍ଠ ସମ୍ଭାବନା ଓ ଗଣତନ୍ତ୍ରର ଶ୍ରେଷ୍ଠ ମହୋତ୍ସବ। ଟ୍ରମ୍ପ ମାରକଶକ୍ତିର ବଡ଼ପଣ ଦେଖାନ୍ତୁ, ତାଙ୍କର ତ ସଭ୍ୟତା ନାହିଁ; କିନ୍ତୁ ଭାରତର ମୋଦୀଙ୍କ ହାତରେ ସଭ୍ୟତାର ଶକ୍ତି ଅଛି ୟାର ଆନୁଷ୍ଠାନିକ ପ୍ରତିଷ୍ଠା ଲୋଡ଼ା।

  ହରପ୍ରସାଦ ଦାସ
                                                                              ‘ବାଗର୍ଥ’, ଏନ-୨/୨୬ ଆଇଆରସି ଭିଲେଜ, ଭୁବନେଶ୍ବର-୧୫
(ସାମାନ୍ୟ ବିଳମ୍ବରେ ଲେଖାଟି ଆମର ହସ୍ତଗତ ହେବାରୁ ତାହାର ପ୍ରକାଶନ ଯଥା ସମୟରେ ହୋଇ ପାରିନାହିଁ।)
(କା.ସଂପାଦକ)

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories