‘୨+୨’ ଆଲୋଚନା: ଭାରତ ଆମେରିକା ମହତ୍ୱପୂର୍ଣ୍ଣ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷର

0

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଗୁରୁବାର ପ୍ରଥମ ‘୨+୨’ ଆଲୋଚନା ପରେ ଦୁଇ ଦେଶ ଏକ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷର କରିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ଯୋଗାଯୋଗ ଏବଂ ତଥ୍ୟ ସୁରକ୍ଷା ବୁଝାମଣା ରାଜିନାମା (ସିଓଏମ୍‍ସିଏଏସ୍‍ଏ) ପ୍ରତିରକ୍ଷା କ୍ଷେତ୍ରରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହା ଦ୍ୱାରା ଆମେରିକା ଭାରତକୁ ସମ୍ବେଦନଶୀଳ ସୁରକ୍ଷା ବୈଷୟିକ ଜ୍ଞାନକୁ ବିକି ପାରିବ। ପ୍ରଥମ ଅଣନାଟୋ ଦେଶ ଭାବେ ଭାରତକୁ ଏଭଳି ସୁବିଧା ମିଳିଛି। ଏହି ବହୁପ୍ରତୀକ୍ଷିତ ଆଲୋଚନାରେ ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ପ୍ରତିପକ୍ଷ ଆମେରିକାର ବୈଦେଶିକ ସଚିବ ମାଇକ୍‍ ପୋମ୍ପେଓ ଏବଂ ପ୍ରତିରକ୍ଷା ସଚିବ ଜେମ୍‍ସ ମାଟ୍ଟିସ୍‍ଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ରଣନୀତି, ନିରାପତ୍ତା ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗିତା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ହଟଲାଇନ ସ୍ଥାପନ, ସୀମାପାର ଆତଙ୍କବାଦ, ଏନ୍‍ଏସ୍‍ଜିରେ ଭାରତର ସଦସ୍ୟତା, ବିବାଦୀୟ ଏଚ୍‍-୧ବି ଭିସା ପ୍ରସଙ୍ଗରେ ଏକାଠି କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ବିଶେଷ କରି ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା।
ଉଲ୍ଲେଖ ଯେ ୨୦୧୭ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ୍‍ ଯୋଗେ ଆଲୋଚନା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ୨+୨ ଆଲୋଚନା ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ଦୁଇଥର ସ୍ଥଗିତ ରହିବା ପରେ ତୃତୀୟ ଥରରେ ଗୁରୁବାରଠାରୁ ଏହି ଆଲୋଚନା ଆରମ୍ଭ ହୋଇଛି।

Leave A Reply