ଭାରତ ଏଆଇ ମିଶନ – ବିଲ୍ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ହେବ ବୁଝାମଣା

ଡେସ୍କ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ଏଆଇ ମିଶନ ଓ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଖୁବ୍ ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ନୂଆଦିଲ୍ଲୀରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ବୈଷ୍ଣବ ଉନ୍ନତ ଫସଲ, ସୁଦୃଢ଼ ସ୍ୱାସ୍ଥ୍ୟସେବା, ସ୍ମାର୍ଟ ଶିକ୍ଷା ଏବଂ ଜଳବାୟୁ ସହନଶୀଳତା ପାଇଁ ଏଆଇ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଶ୍ରୀ ଗେଟ୍ସଙ୍କ ସହ ବୈଠକ କରିଥିଲେ। ବୈଠକରେ ଶ୍ରୀ ନଡ୍ଡା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାରେ ଫାଉଣ୍ଡେସନର ମୂଲ୍ୟବାନ ସହଯୋଗକୁ ସ୍ୱୀକାର କରିଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଯେ ସେମାନେ ଫାଉଣ୍ଡେସନ୍ ସହଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା, ବିଶେଷକରି ମାତୃ ସ୍ୱାସ୍ଥ୍ୟ, ଟୀକାକରଣ ଏବଂ ପରିମଳ କ୍ଷେତ୍ରରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ସମସ୍ତ ନାଗରିକଙ୍କ ପାଇଁ ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ମିଳିତ ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇ ଉଭୟ ପକ୍ଷ ସେମାନଙ୍କର ସହଯୋଗ ପତ୍ରକୁ ନବୀକରଣ କରିବାକୁ ଆଗ୍ରହୀ।

Comments are closed.