ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ଆଜି
ପୋର୍ଟ ଅଫ୍ ସ୍ପେନ୍ : ଇଂଲଣ୍ଡ ବିପକ୍ଷ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ଶୃଙ୍ଖଳା ଜିତିବାର ସପ୍ତାହେ ନ ପୂରୁଣୁ ବିଦେଶମାଟିରେ ଆଉ ଏକ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛି ଭାରତୀୟ କ୍ରିକେଟ୍ ଦଳ। ଶୁକ୍ରବାରଠାରୁ ଏଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଭାରତ ଖେଳିବ। ପୂର୍ଣ୍ଣ ଶକ୍ତିରେ ଖେଳିଥିବା ଇଂଲଣ୍ଡକୁ ଭାରତ ୨-୧ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ସପ୍ତାହକ ତଳେ ଘରୋଇମାଟିରେ ଦୁର୍ବଳ ବାଂଲାଦେଶଠାରୁ ୦-୩ରେ ଦିନିକିଆ ଶୃଙ୍ଖଳା ହାରିଛି ୱେଷ୍ଟଇଣ୍ଡିଜ୍। ତେଣୁ ଇଣ୍ଡିଜ୍ ବିଜୟଧାରାକୁ ଫେରିବାର ଲକ୍ଷ୍ୟ ରଖିଥିବା ବେଳେ ଭାରତ ବିଜୟଧାରା ବଜାୟ ରଖିବା ଆଶାରେ ଖେଳିବ। ଅତ୍ୟଧିକ କ୍ରିକେଟ୍ ଓ ୱେଷ୍ଟଇଣ୍ଡିଜ୍ ଦଳର ଦୁର୍ବଳତାକୁ ଦେଖି ଏହି ଶୃଙ୍ଖଳାରୁ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ବିରାଟ କୋହଲି, ଋଷଭ ପନ୍ତ୍, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ବିଶ୍ରାମ ନେଇଛନ୍ତି। କେ.ଏଲ୍. ରାହୁଲ ସୁସ୍ଥ ହୋଇନାହାନ୍ତି। ଫଳରେ ଶିଖର ଧାୱନ ନେତୃତ୍ବାଧୀନ ଦଳରେ ଥିବା ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ନିଶ୍ଚିତ କରିବାକୁ ଆଉ ଏକ ସୁଯୋଗ ମିଳିଛି।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ କ୍ରମାଗତ ୬ଟି ଦିନିକିଆ ମ୍ୟାଚ୍ରେ ପରାସ୍ତ ହୋଇଛି। ପୁଣି ବାଂଲାଦେଶ ପରି ଦଳ ବିପକ୍ଷରେ ଏହା ଘରୋଇ ମାଟିେର ଗୋଟିଏ ମ୍ୟାଚ୍ରେ ମଧ୍ୟ ୨ ଶହ ରନ୍ କରି ପାରିନାହିଁ କିମ୍ବା ୫୦ ଓଭର ଖେଳିନାହିଁ। ତେଣୁ ପ୍ରଶିକ୍ଷକ ଫିଲ୍ ସିମନ୍ସ ଓ ଅଧିନାୟକ ନିକୋଲାସ୍ ପୁରନ୍ ଦଳର ଖେଳାଳିଙ୍କୁ ପୂରା ୫୦ ଓଭର ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୧୯ ବିଶ୍ବକପ୍ ପରଠାରୁ ଅଦ୍ୟାବଧି ୱେଷ୍ଟଇଣ୍ଡିଜ୍ ୩୯ଟି ଦିନିକିଆ ଇନିଂସରେ ମାତ୍ର ୬ ଥର ପୂରା ୫୦ ଓଭର ବ୍ୟାଟିଂ କରିପାରିଛି। ବାଂଲାଦେଶ ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ଅଭିଜ୍ଞ ଅଲ୍ରାଉଣ୍ଡର ଜେସନ୍ ହୋଲ୍ଡର ଦଳକୁ ଫେରିବା ଇଣ୍ଡିଜ୍କୁ ସାମାନ୍ୟ ଉତ୍ସାହିତ କରିଛି। କେବଳ ବୋଲିଂ ନୁହେଁ; ହୋଲ୍ଡରଙ୍କ ଉପସ୍ଥିତି ଇଣ୍ଡିଜ୍ର ତଳଅର୍ଡର ବ୍ୟାଟିଂକୁ ମଜ୍ଭୁତ କରିବ। ବ୍ୟାଟ୍ସମ୍ୟାନ ଭାବେ ବାଂଲାଦେଶ ବିପକ୍ଷ ଧଳା ବଲ୍ ଶୃଙ୍ଖଳାରେ ଏକାକୀ ସଫଳ ହୋଇଥିଲେ ଅଧିନାୟକ ପୁରନ୍। ତେଣୁ ଭାରତକୁ କଡ଼ା ଆହ୍ବାନ ଦେବା ଲାଗି ପୁରନ୍ଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ। ଭାରତ ବିପକ୍ଷ ଦିନିକିଆରେ ପୁରନ୍ ୯ଟି ଇନିଂସରୁ ୪୪.୨୫ ଆଭ୍ରେଜ୍ରେ ୧୦୮ ଷ୍ଟ୍ରାଇକ୍ରେଟ୍ରେ ୩୫୪ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ଶିଖର ଧାୱନ୍ ଭଲ ବ୍ୟାଟିଂ ଫର୍ମରେ ନାହାନ୍ତି। ଗତ ୫ଟି ଦିନିକିଆରୁ ବାମହାତି ଓପ୍ନର ଧାୱନ ମୋଟ ୧୧୨ ରନ୍ କରିଛନ୍ତି। ୨୦ଟି ଇନିଂସ ପୂର୍ବରୁ ଧାୱନ ଦିନିକିଆ ଶତକ ମାରିଥିଲେ। ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ସହଜ ହେବନାହିଁ। କାରଣ ଦଳରେ ପ୍ରାୟ ପ୍ରତି ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଛନ୍ତି। ଧାୱନଙ୍କ ସହ ଋତୁରାଜ ଗାଏକ୍ୱାଡ୍ କିମ୍ବା ଈଶାନ୍ କିଷନ ଓପନ୍ କରିବେ। ମଧ୍ୟକ୍ରମରେ ଶ୍ରେୟାସ ଆୟର, ଦୀପକ ହୁଡା, ସଞ୍ଜୁ ସାମ୍ସନ, ସୂର୍ଯ୍ୟକୁମାର ଯାଦବ ଖେଳିବେ। ଉପଅଧିନାୟକ ଜାଡ଼େଜା ଓ ୟୁଜବେନ୍ଦ୍ର ଚହଲ ସ୍ପିନର ଭାବେ ଖେଳିବେ। ପେସ୍ ବୋଲର ଭାବେ ମହମ୍ମଦ ସିରାଜ୍ ଓ ସାର୍ଦୁଳ ଠାକୁର ଖେଳିବା ନିଶ୍ଚିତ ଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଓ ଆଭେସ୍ ଖାଁଙ୍କ ମଧ୍ୟରୁ ଜଣେ ଖେଳିବେ। ବାଂଲାଦେଶ ବିପକ୍ଷରେ ଖେଳିଥିବା ୱେଷ୍ଟଇଣ୍ଡିଜ୍ ଏକାଦଶରେ କେବଳ ହୋଲ୍ଡର ସାମିଲ ହେବେ। ଚଳିତବର୍ଷ ଇଣ୍ଡିଜ୍ର ବାମହାତି ସ୍ପିନର ଆକିଲ୍ ହୋସେନ୍ ଦିନିକିଆରେ ସର୍ବାଧିକ ୨୨ଟି ୱିକେଟ ନେଇଛନ୍ତି। ଚଳିତବର୍ଷ ଧାୱନ ଭାରତୀୟ ଦଳର ୭ମ ଅଧିନାୟକ ହେବେ। ପିଚ୍ ବ୍ୟାଟିଂ ଉପଯୋଗୀ ହେବ। ଏହି ଷ୍ଟାଡିୟମ୍ରେ ଭାରତ ଗତ ୯ଟି ଦିନିକିଆରେ ପରାସ୍ତ ହୋଇନାହିଁ। ଇଣ୍ଡିଜ୍ ବିପକ୍ଷରେ ଭାରତ ଗତ ୧୧ଟିଯାକ ଦିନିକିଆ ଶୃଙ୍ଖଳା ଜିତିଛି। ତେଣୁ ଏହି ଶୃଙ୍ଖଳା ଜିତିବାକୁ କିଏ ଦାବିଦାର; ତାହା ସ୍ପଷ୍ଟ ବାରିହେଉଛି।
Comments are closed.