ମାଞ୍ଚେଷ୍ଟର:ତେନ୍ଦୁଲକର -ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଓଲ୍ଡ ଟ୍ରାଫୋର୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ବୋଲରଙ୍କ ପ୍ରଭାବହୀନ ବୋଲିଂର ଫାଇଦା ଉଠାଇ ଇଂଲଣ୍ଡ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ା ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ରନ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟ୍ଙ୍କ ୧୫୦ରନ ବଳରେ ୭ ୱିକେଟ ହରାଇ ୫୪୪ରନ କରିଛି। ହାତରେ ଆଉ ୩ ୱିକେଟ ସୁରକ୍ଷିତ ରହିଥିବାବେଳେ ଦଳ ୧୮୬ରନରେ ଆଗୁଆ ରହିଛି। ତୃତୀୟ ଦିନରେ ଭାରତୀୟ ବୋଲରମାନେ ୫ଟି ୱିକେଟ ପାଇଥିବାବେଳେ ଇଂଲଣ୍ଡ ୩୧୯ରନ କରିଥିଲା।
ଇଂଲଣ୍ଡ ଦ୍ବିତୀୟ ଦିନର ଅସମାପ୍ତ ୨/୨୨୫ରୁ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ୧୧ ଓ ଓଲି ପୋପ ୨୦ରନରୁ ଖେଳ ଆରମ୍ଭ କରିଥିଲେ। ଉଭୟେ ଭାରତୀୟ ବୋଲରଙ୍କୁ ସହଜରେ ଖେଳି ରନ ସ୍କୋରକୁ ବଢାଇ ଚାଲିଥିଲେ। ମଧ୍ୟାହ୍ନଭୋଜନ ବିରତି ପର୍ଯ୍ୟନ୍ତ ଇଂଲଣ୍ଡ ଆଉ କୌଣସି ୱିକେଟ ହରାଇନଥିଲା। ଉଭୟେ ୩ୟ ୱିକେଟ ପାଇଁ ୧୪୪ରନ ଭାଗିଦାରୀ କରିଥିଲେ। ସ୍କୋର ୩୪୧ରନ ଥିବାବେଳେ ପୋପ୍ ୭୧ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ଆଉଟ୍ ହୋଇଥିଲେ। ଇଂଲଣ୍ଡ ୩୪୯ରନରେ ଚତୁର୍ଥ ୱିକେଟ ହରାଇଥିଲା। ହ୍ୟାରୀ ବ୍ରୁକ୍ ମାତ୍ର ୩ରନ କରି ୱାଶିଂଟନଙ୍କ ବଲରେ ଷ୍ଟମ୍ପିଂ ହୋଇଥିଲେ। ୮ରନ ମଧ୍ୟରେ ଦୁଇଟି ୱିକେଟ ନେଇ ଭାରତ ମ୍ୟାଚକୁ ଫେରିବାକୁ ଉଦ୍ୟମ କରିଥିଲେ ମଧ୍ୟ ରୁଟ୍ ଓ ଅଧିନାୟକ ବେନ୍ ଷ୍ଟୋକସ କୌଣସି ସୁଯୋଗ ଦେଇନଥିଲେ। ରୁଟ୍ ୧୭୮ଟି ବଲରୁ ଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ରୁଟ୍ଙ୍କ ଏହା ୩୮ତମ ଶତକ। ପଞ୍ଚମ ୱିକେଟରେ ରୁଟ୍ ଓ ଷ୍ଟୋକ୍ସ ବଡ ଭାଗିଦାରୀ କରି ଭାରତକୁ ପୁଣି ନିରାଶ କରିଥିଲେ। ଉଭୟେ ୧୪୨ରନ ଭାଗିଦାରୀ କରିଥିଲେ। ସ୍କୋର ୪୯୧ରନ ଥିବାବେଳେ ଷ୍ଟୋକ୍ସ ରିଟାୟାର୍ଡ ହର୍ଟ ହୋଇଥିଲେ। ଷ୍ଟୋକ୍ସ ୬୬ରନ କରିଥିବାବେଳେ ମାଂଶପେଶୀରେ ଆଘାତ ଲାଗି ରିଟାୟାର୍ଡ ହଟ ହୋଇଥିଲେ। ରୁଟଙ୍କ ସହ ଜେମି ସ୍ମିଥ୍ ମାତ୍ର ୮ରନ ଭାଗିଦାରୀ କରିଥିଲେ। ୪୯୯ରନ ସ୍କୋର ଥିବାବେଳେ ରୁଟ୍ ୧୫୦ରନ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ୫୧୫ରନରେ ଷଷ୍ଠ ୱିକେଟ ହରାଇଥିଲା। ସ୍ମିଥ୍ ୯ରନ କରି ଆଉଟ୍ ହୋଇଥିଲେ। ସପ୍ତମ ୱିକେଟରେ ଲିୟାମ ଡାଓସନ ଓ କ୍ରିସ ୱକ୍ସ ୧୩ରନ ସଂଗ୍ରହ କରିଥିଲେ। ୫୨୮ରନ ସ୍କୋର ଥିବାବେଳେ ୱକ୍ସ ୪ରନ କରି ଆଉଟ୍ ହୋଇଥିଲେ। ରିଟାୟାର୍ଡ ହଟ୍ ହୋଇଥିବା ରୁଟ୍ ପୂନର୍ବାର ବ୍ୟାଟିଂ କରିବାକୁ ଆସିଥିଲେ। ଅଷ୍ଟମ ୱିକେଟରେ ରୁଟ୍ ଓ ଡାଓସନ ଅବିଭାଜିତ ୧୬ରନ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଷ୍ଟୋକ୍ସ ୭୭ ଓ ଡାଓସନ ୨୧ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ, ଅଂଶୁଲ କାମ୍ବୋଜ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ଓଲ୍ଡ ଟ୍ରାଫୋର୍ଡରେ ଭାରତର ଦୁର୍ବଳ ବୋଲିଂ: ଇଂଲଣ୍ଡର ବିଶାଳ ସ୍କୋର
Popular Categories



